ସମ୍ପାଦକୀୟ

Editorial: ନଛୋଡ଼ ବ୍ୟାଜର୍!

ଜୁଲାଇ ୨୪ ସୁଦ୍ଧା ଏହି ରାଜିନାମା ସ୍ବାକ୍ଷରିତ ହେଲେ ଭାରତ ଉପରେ ଧାରା-୩୦୧ ଟାରିଫ୍ ଲାଗୁ ହେବ ନାହିଁ ବୋଲି ଦିଆଯାଉଥିବା ଇସାରା ଯେ ତା’ ଉପରେ ନୂତନ ଚାପ ସୃଷ୍ଟି ନିମିତ୍ତ ଉଦ୍ଦିଷ୍ଟ, ଏଥିରେ ସନ୍ଦେହ ନାହିଁ।

ଜୁଲାଇ ୨୪ ସୁଦ୍ଧା ଏହି ରାଜିନାମା ସ୍ବାକ୍ଷରିତ ହେଲେ ଭାରତ ଉପରେ ଧାରା-୩୦୧ ଟାରିଫ୍ ଲାଗୁ ହେବ ନାହିଁ ବୋଲି ଦିଆଯାଉଥିବା ଇସାରା ଯେ ତା’ ଉପରେ ନୂତନ ଚାପ ସୃଷ୍ଟି ନିମିତ୍ତ ଉଦ୍ଦିଷ୍ଟ, ଏଥିରେ ସନ୍ଦେହ ନାହିଁ। ଭାରତ କିନ୍ତୁ ଏଇ ଚାପ ନିକଟରେ ମୁଣ୍ଡ ନ ନୁଅଁାଇ ଦ୍ବିପାକ୍ଷିକ ବାଣିଜ୍ୟ ଚୁକ୍ତି କଥାବାର୍ତ୍ତା ଓ ଧାରା-୩୦୧ ଟାରିଫ୍ ସହିତ ପୃଥକ ମୁକାବିଲା କରିବା ଉଚିତ। ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି ଯେ ଏଇ ନୂତନ ଟାରିଫ୍ ମଧ୍ୟ ଅଦାଲତରେ କାଟ୍ ଖାଇଯିବାର ଦୃଢ଼ ସମ୍ଭାବନା ରହିଛି।

ସର୍ବକାଳୀନ ସର୍ବଶ୍ରେଷ୍ଠ କମେଡିମାନଙ୍କ ମଧ୍ୟରୁ ଅନ୍ୟତମ ରୂପେ ବିବେଚିତ ୧୯୮୯ର ଫିଲ୍‌ମ ‘ଗଡ୍‌ସ ମଷ୍ଟ ବି କ୍ରେଜି’ (‘ପାଗଳ ଈଶ୍ବର’)ର ଏକ ଦୃଶ୍ୟରେ ଅନ୍ୟତମ ମୁଖ୍ୟ ଚରିତ୍ର ଜୀବବିଜ୍ଞାନୀ ଡକ୍ଟର ଷ୍ଟିଫେନ୍ ମାର୍ଶାଲ୍ ଅଚାନକ ଏକ ହନି ବ୍ୟାଜର୍ ହାବୁଡ଼ରେ ପଡ଼ିଯାଇଛନ୍ତି। ହନି ବ୍ୟାଜର୍ ହେଉଛି ଏକ ବହୁତ ବଡ଼ ନେଉଳଜାତୀୟ ଜୀବ ଯିଏ ତା’ର ଜିଦ୍‌ଖୋର୍, ଆକ୍ରମଣାତ୍ମକ, ପ୍ରତିହିଂସା ପରାୟଣ ପ୍ରକୃତି ପାଇଁ କୁଖ୍ୟାତ। ଡକ୍ଟର ମାର୍ଶାଲ୍ ଦଳେ ମହୁମାଛି ଆକ୍ରମଣରୁ ନିଜକୁ ରକ୍ଷା କରିବା ପାଇଁ ପଳାୟନ କରିବା ସମୟରେ ଅଜାଣତରେ ଏକ ହନି ବ୍ୟାରେଜ୍‌କୁ ପଦାଘାତ କରିଛନ୍ତି। ଏହାର ପ୍ରତିଶୋଧ ନେବା ପାଇଁ ଜନ୍ତୁଟି ଦୀର୍ଘ ପଥ ଓ ସମୟ ଧରି ଡକ୍ଟର ମାର୍ଶାଲ୍‌ଙ୍କର ପିଛା କରିବା ପରେ ଯେତେବେଳେ ସେ ଅବଶ ହୋଇ ମରୁଭୂମିରେ ପଡ଼ିଯାଇଛନ୍ତି, ହନି ବ୍ୟାଜର୍‌ଟି ସେତେବେଳେ ତାଙ୍କ ପାଖରେ ପହଞ୍ଚି ଯାଇ ତାଙ୍କର ମୋଟା ଚମଡ଼ା ଜୋତାର ଗୋଇଠିକୁ କାମୁଡ଼ି ଧରିଛି। ଷ୍ଟିଫେନ୍ ଯେତେ ଚେଷ୍ଟା କଲେ ମଧ୍ୟ ହନି ବ୍ୟାଜର୍‌ର ଶକ୍ତିଶାଳୀ କାମୁଡ଼ାରୁ ନିଜକୁ ମୁକୁଳାଇ ପାରି ନାହାନ୍ତି। ଅଗତ୍ୟା ସେ ସେଇ ଅବସନ୍ନ ଅବସ୍ଥାରେ ମରୁଭୂମିରେ ମାଇଲ୍ ମାଇଲ୍ ଧରି ତାଙ୍କର ଜୋତାକୁ ନଛୋଡ଼ବନ୍ଦା ଭାବରେ କାମୁଡ଼ି ଧରିଥିବା ହିଂସ୍ର ହନି ବ୍ୟାଜର୍‌ଟିକୁ ଘୋଷାରି ଘୋଷାରି ଚାଲିଛନ୍ତି।
ହନି ବ୍ୟାଜର୍‌ର ପ୍ରତିପକ୍ଷ ତା’ର କାମୁଡ଼ାରୁ ନିଜକୁ ମୁକୁଳାଇବା କାଠିକର ପାଠ ହୋଇଥାଏ। ଏହାର ଏକ କାରଣ ହେଲା ହନି ବ୍ୟାଜର୍‌ର ଶରୀରକୁ ଆବୃତ୍ତ କରିଥିବା କଠିନ ଚର୍ମ ହେଉଛି ଏକ ଢିଲା ଖୋଳପା ଭଳି, ଯାହା ଭିତରେ ଜନ୍ତୁଟି ଅନାୟାସରେ ତା’ର ଶରୀରର ଅବସ୍ଥିତିରେ ଅସମ୍ଭବ ମନେ ହେଉଥିବା ପରିବର୍ତ୍ତନମାନ ଘଟାଇଥାଏ, ଯାହା ପ୍ରତିପକ୍ଷକୁ ଅପ୍ରସ୍ତୁତ କରିଦେଇଥାଏ। ତା’ କବଳରୁ ମୁକ୍ତି ପାଇବା ଆଶାରେ ଡକ୍ଟର ମାର୍ଶାଲ୍ ହନି ବ୍ୟାଜର୍‌ଟିକୁ ଖାଦ୍ୟ ଓ ବିଅର୍ ଆଦି ଦେଇ ତୁଷ୍ଟ କରିବାକୁ ଚେଷ୍ଟା କଲେ ମଧ୍ୟ ତାହା କାର୍ଯ୍ୟ କରି ନ ଥିଲା।
ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ବର୍ଷାଧିକ କାଳ ଧରି ପୃଥିବୀର ବିଭିନ୍ନ ଦେଶମାନଙ୍କ ଉପରେ ନଛୋଡ଼ବନ୍ଦା ହୋଇ ଚଳାଇଥିବା ଟାରିଫ୍ ଆକ୍ରମଣକୁ ଦେଖିଲେ ମନେ ହୋଇଥାଏ ଟ୍ରମ୍ପ ହେଉଛନ୍ତି ଏଇ ହନି ବ୍ୟାଜର୍‌ର ଏକ ମାନବ ଅବତାର! ତାଙ୍କର ଟାରିଫ୍ କାମୁଡ଼ାକୁ ହୁଗୁଳାଇବା ନିମିତ୍ତ ଯାହା ଉଦ୍ୟମ କରାଗଲେ ମଧ୍ୟ ସେ ହନି ବ୍ୟାଜର୍ ପରି ମୋଡ଼ିମାଡ଼ି ହୋଇ ପ୍ରତିପକ୍ଷକୁ କାମୁଡ଼ି ଧରି ଚାଲିବା ଦେଖାଯାଇଛି। ଏହାର ଉଦାହରଣ ସ୍ବରୂପ ସେ କ୍ଷମତା ଗ୍ରହଣ କରିବା ପରେ ପରେ ୨ ଏପ୍ରିଲ ୨୦୨୫କୁ ‘‌ଲିବରେସନ୍ ଡେ’ (‘ମୁକ୍ତି ଦିବସ’) ରୂପେ ଘୋଷଣା କରି ସେଦିନ ଲାଗୁ କରିଥିବା ତଥାକଥିତ ‘ରେସିପ୍ରୋକାଲ୍ ଟାରିଫ୍’କୁ ଚଳିତ ବର୍ଷ ଫେବ୍ରୁଆରିରେ ଆମେରିକାର ସୁପ୍ରିମ୍ କୋର୍ଟ ଅସିଦ୍ଧ ଘୋଷଣା କରିଦେବା ପରେ ଟ୍ରମ୍ପ ପ୍ରଶାସନ ନିଜର କୌଶଳରେ ପରିବର୍ତ୍ତନ ଘଟାଇ ସେ ଦେଶର ‘ଟ୍ରେଡ୍ ଆକ୍ଟ ୧୯୭୪’ର ଧାରା-୧୨୨ ପ୍ରୟୋଗ କରି ପୁଣି ୧୦ ଶତାଂଶ ହାରରେ ଟାରିଫ୍ ଲାଗୁ କରିଦେଲା। ଏଇ ଆଇନ ଅନୁଯାୟୀ ଲାଗୁ ହେଉଥିବା ଟାରିଫ୍ କଂଗ୍ରେସର ଅନୁମୋଦନ ବିନା ମାତ୍ର ୧୫୦ ଦିନ ପାଇଁ ବଳବତ୍ତର ରହିପାରିବ, ଯାହାର ଅବଧି ୨୪ ଜୁଲାଇରେ ଶେଷ ହୋଇଯିବ। ଏହା ପରେ ଏଥିପାଇଁ କଂଗ୍ରେସର ଅନୁମୋଦନ ଆବଶ୍ୟକ ହେବ, କିନ୍ତୁ ତାହା ଉପଲବ୍‌ଧ ହେବାର ସମ୍ଭାବନା କ୍ଷୀଣ, କାରଣ କେତେକ ପ୍ରଭାବିତ କଂପାନିମାନଙ୍କର ଆବେଦନର ବିଚାର କରି ସେ ଦେଶର ଏକ ଅଦାଲତ ଏଭଳି ଟାରିଫ୍‌କୁ ‌ଅବୈଧ ଘୋଷଣା କରିସାରିଛି। ଏବେ ଟ୍ରମ୍ପ ଟାରିଫ୍ କାମୁଡ଼ାରୁ ନିବୃତ୍ତ ହେବା ପରିବର୍ତ୍ତେ ସେଇ ଆଇନର ଧାରା-୩୦୧ର ପ୍ରୟୋଗ କରି ପୁଣି ୬୦ଟି ଦେଶ ପ୍ରତି ନୂତନ ଟାରିଫ୍ ଲାଗୁ କରିବାକୁ ଯାଉଛନ୍ତି, ଯେଉଁମାନଙ୍କ ମଧ୍ୟରେ ଭାରତ ଅନ୍ତର୍ଭୁକ୍ତ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଉପରୋକ୍ତ ଫିଲ୍‌ମରେ ଷ୍ଟିଫେନ୍ ମାର୍ଶାଲ୍ ଖାଦ୍ୟପାନୀୟ ଦାନ କରି ତାଙ୍କୁ କାମୁଡ଼ି ଧରିଥିବା ହନି ବ୍ୟାଜର୍‌କୁ ତୁଷ୍ଟ କରିବାକୁ ଉଦ୍ୟମ କରିଥିବା ଭଳି ଇତିମଧ୍ୟରେ ବ୍ରିଟେନ, ଇଉରୋପିଆନ ୟୁନିଅନ, ଦକ୍ଷିଣ କୋରିଆ, ଜାପାନ, ଭିଏତ୍‌ନାମ, ମାଲେସିଆ ପରି ଅନେକ ଦେଶ ଓ ଗୋଷ୍ଠୀ ଟ୍ରମ୍ପଙ୍କର ‘ରେସିପ୍ରୋକାଲ୍ ଟାରିଫ୍’ ଆକ୍ରମଣ ପରେ ପରେ ତାଙ୍କୁ ତୁଷ୍ଟ କରିବା ପାଇଁ ଆମେରିକା ସହିତ ଦ୍ବିପାକ୍ଷିକ ବାଣିଜ୍ୟ ଚୁକ୍ତିମାନ ସଂପାଦିତ କରିବା ଦେଖାଯାଇଥିଲା। ଏହା ସତ୍ତ୍ବେ ଟ୍ରମ୍ପ ବର୍ତ୍ତମାନ ସେମାନଙ୍କ ପ୍ରତି ଏଇ ନୂତନ ଟାରିଫ୍ ଲାଗୁ କରିବାକୁ ଯାଉଛନ୍ତି ବୋଲି ଘୋଷଣା କରିବାକୁ ପଛାଇ ନାହାନ୍ତି। ଟ୍ରମ୍ପ ଏଥିପାଇଁ ଯେଉଁ ଉପଲକ୍ଷ୍ୟ ବ୍ୟବହାର କରିଛନ୍ତି, ତାହା ହେଲା ଏଇ ୬୦ଟି ଦେଶ ଅନ୍ୟ ଦେଶମାନଙ୍କରୁ ଗୋତି ଶ୍ରମ ବ୍ୟବହୃତ ହୋଇ ଉତ୍ପାଦିତ ଦ୍ରବ୍ୟମାନ ଆମଦାନି ଉପରେ ନିଷେଧାଦେଶ ଲାଗୁ କରିବାରେ ବିଫଳ ହୋଇଛନ୍ତି। ଟ୍ରମ୍ପ କହିବା ଅନୁସାରେ ମାର୍ଚ୍ଚରେ ‘ୟୁନାଇଟେଡ୍ ଷ୍ଟେଟ୍‌ସ ଟ୍ରେଡ୍ ରିପ୍ରେଜେଣ୍ଟେଟିଭ୍’ (‘ୟୁଏସ୍‌ଟିଆର୍’) କାର୍ଯ୍ୟାଳୟ ଦ୍ବାରା କରାଯାଇଥିବା ଅନୁସନ୍ଧାନରୁ ଏହା ସାବ୍ୟସ୍ତ ହୋଇଛି।
ଟ୍ରମ୍ପ ପ୍ରଶାସନ ତା’ର ଏହି ନୂତନ ଟାରିଫ୍ ପ୍ରସ୍ତାବରେ ମଧ୍ୟ ପୂର୍ବଭଳି ଭାରତ ପ୍ରତି ପାତରଅନ୍ତର ଆଭିମୁଖ୍ୟ ପ୍ରଦର୍ଶନ କରିଛି। ଉଦାହରଣ ସ୍ବରୂପ କାନାଡା, ଇକୁଏଡର, ‘ଇୟୁ’, ଇଣ୍ଡୋନେସିଆ, ମେକ୍‌ସିକୋ ଓ ପାକିସ୍ତାନ ଆଦି ଦେଶମାନଙ୍କ ପ୍ରତି ୧୦ ପ୍ରତିଶତ ହାରରେ ଟାରିଫ୍ ଲାଗୁ ହେବ ବୋଲି ଘୋଷଣା କରାଯାଇଥିବା ବେଳେ ଭାରତ ପ୍ରତି ୧୨.୫ ଶତାଂଶ ହାର ଲାଗୁ ହେବ ବୋଲି କୁହାଯାଇଛି।

ଷ୍ଟିଫେନ୍ ମାର୍ଶାଲ୍‌ଙ୍କ ଲାତ ହନି ବ୍ୟାଜର୍‌କୁ ଉତ୍‌କ୍ଷିପ୍ତ କରିଥିବା ଭଳି ଟ୍ରମ୍ପଙ୍କୁ ଯାହା ଟାରିଫ୍ ଆକ୍ରମଣ ଚଳାଇବାକୁ ଉତ୍‌କ୍ଷିପ୍ତ କରିଛି ତାହା ହେଲା ସେ ବିଶ୍ବାସ କରନ୍ତି ଯେ ଅନ୍ୟ ‌େଦଶମାନଙ୍କ ଦ୍ବାରା ଅନୁସୃତ ଅନ୍ୟାୟ ବାଣିଜ୍ୟ ନୀତି ଯୋଗୁଁ ଆମେରିକା ସର୍ବଦା କ୍ଷତିଗ୍ରସ୍ତ ହୋଇ ଆସିଛି- ତେଣୁ ତାଙ୍କର ‘ରେସିପ୍ରୋକାଲ୍’ ବା ପାଲଟା ଟାରିଫ୍। ‘ୟୁଏସ୍‌ଟିଆର୍’ ଟ୍ରମ୍ପଙ୍କର ଏହି ପ୍ରତିଶୋଧ ପରାୟଣ ନୀତିକୁ ଆଗେଇ ନେବା ପାଇଁ ଧାରା-୩୦୧ ଅନୁସାରେ ଦୁଇଟି ମୁଖ୍ୟ ପ୍ରସଙ୍ଗକୁ ଆଧାର କରି ଅନୁସନ୍ଧାନ ଚଳାଇଥିଲା: ଗୋତି ଶ୍ରମ ଓ ଭାରତ ସମେତ ୧୬ ଦେଶରେ ମାନୁଫାକ୍‌ଚରିଙ୍ଗ କ୍ଷେତ୍ରରେ ଅତିରିକ୍ତ ଉତ୍ପାଦନ କ୍ଷମତାର ଉପସ୍ଥିତି। ସୋଲାର୍ ମଡ୍ୟୁଲ୍, ଟେକ୍‌ସଟାଇଲ୍, ଇସ୍ପାତ, ମଟରଗାଡ଼ିରୁ ପେଟ୍ରୋକେମିକାଲ୍ ଶିଳ୍ପ ପର୍ଯ୍ୟନ୍ତ ଏଇ ଅନୁସନ୍ଧାନର ପରିସରଭୁକ୍ତ ହୋଇଥିଲେ।
ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ଯେଉଁ ସମୟରେ ଆମେରିକା ଏଇ ନୂତନ ଟାରିଫ୍ ପ୍ରସ୍ତାବ ସମ୍ବନ୍ଧରେ ଘୋଷଣା କରିଛି, ସେଇ ସମୟରେ ଭାରତ-ଆମେରିକା ମଧ୍ୟରେ ଏକ ଦ୍ବିପାକ୍ଷିକ ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ ହେବାକୁ ମାତ୍ର ଦିନ କେତେଟା ଲାଗିବ ବୋଲି ଭାରତସ୍ଥିତ ଆମେରିକାର ରାଷ୍ଟ୍ରଦୂତ ସର୍ଜିଓ ଗୋର୍ ପ୍ରକାଶ କରିଛନ୍ତି। ବାସ୍ତବରେ ଏହାର ଅଂଶସ୍ବରୂପ ଏକ ଆମେରିକୀୟ ବାଣିଜ୍ୟ ପ୍ରତିନିଧି ଦଳ ବର୍ତ୍ତମାନ ଭାରତରେ ଉପସ୍ଥିତ ଅଛି। ଏହା କାହାକୁ ଅଛପା ନୁହେଁ ଯେ ଆମେରିକୀୟ ସୁପ୍ରିମ୍ କୋର୍ଟ ଟ୍ରମ୍ପଙ୍କର ‘ରେସିପ୍ରୋକାଲ୍ ଟାରିଫ୍’କୁ ଅବୈଧ ଘୋଷଣା କରିବା ପରେ ଆମେରିକାକୁ ସୁହାଇବା ଭଳି ତା’ ସହିତ ଏକ ଦ୍ବିପାକ୍ଷିକ ବାଣିଜ୍ୟ ରାଜିନାମା ସଂପାଦନ କରିବା ପାଇଁ ଭାରତ ଉପରେ ଚାପ ହ୍ରାସ ପାଇଛି। ଜୁଲାଇ ୨୪ ସୁଦ୍ଧା ଏହି ରାଜିନାମା ସ୍ବାକ୍ଷରିତ ହେଲେ ଭାରତ ଉପରେ ଧାରା-୩୦୧ ଟାରିଫ୍ ଲାଗୁ ହେବ ନାହିଁ ବୋଲି ଦିଆଯାଉଥିବା ଇସାରା ଯେ ତା’ ଉପରେ ନୂତନ ଚାପ ସୃଷ୍ଟି ନିମିତ୍ତ ଉଦ୍ଦିଷ୍ଟ, ଏଥିରେ ସନ୍ଦେହ ନାହିଁ। ଭାରତ କିନ୍ତୁ ଏଇ ଚାପ ନିକଟରେ ମୁଣ୍ଡ ନ ନୁଅଁାଇ ଦ୍ବିପାକ୍ଷିକ ବାଣିଜ୍ୟ ଚୁକ୍ତି କଥାବାର୍ତ୍ତା ଓ ଧାରା-୩୦୧ ଟାରିଫ୍ ସହିତ ପୃଥକ ମୁକାବିଲା କରିବା ଉଚିତ। ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି ଯେ ଏଇ ନୂତନ ଟାରିଫ୍ ମଧ୍ୟ ଅଦାଲତରେ କାଟ୍ ଖାଇଯିବାର ଦୃଢ଼ ସମ୍ଭାବନା ରହିଛି।
ହନି ବ୍ୟାଜର୍ ଶେଷରେ ହାଲିଆ ହୋଇ ଷ୍ଟିଫେନ୍ ମାର୍ଶାଲ୍‌ଙ୍କୁ ଛାଡ଼ି ଦେଇଥିଲା। ଅଦାଲତୀ ଛାଟ ଖାଇଖାଇ ଟ୍ରମ୍ପ ବି ଶେଷରେ ହାଲିଆ ହୋଇଯାଇ ପାରନ୍ତି। ଭାରତ ତେଣୁ ତରବର ହୋଇ ଆତ୍ମସମର୍ପଣ ନ କରି ବୁଝିବିଚାରି ଜାତୀୟ ସ୍ବାର୍ଥ ରକ୍ଷା କରି ବାଣିଜ୍ୟ ଚୁକ୍ତି ସଂପାଦନ କରିବା ଉଚିତ।

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button