US seizes Russian-controlled oil tanker: ରୁଷ୍‌ ନିୟନ୍ତ୍ରିତ ତୈଳ ଟ୍ୟାଙ୍କର୍‌ ଜବତ କଲା ଆମେରିକା: ସୁରକ୍ଷା ଦେବା ପାଇଁ ବୁଡ଼ାଜାହାଜ ମୁତୟନ କରିଥିଲା ରୁଷ୍‌

ଆମେରିକା ଆଜି ଏକ ନାଟକୀୟ ଘଟଣାକ୍ରମରେ ଉତ୍ତର ଆଟ୍‌ଲାଣ୍ଟିକ ସାଗରରେ ରୁଷ୍‌ ନିୟନ୍ତ୍ରଣରେ ଥିବା ଭେନେଜୁଏଲାର ଏକ ତୈଳ ଟ୍ୟାଙ୍କର୍ ‘ମାରିନେରା’କୁ ଜବତ କରିଛି। ମସ୍କୋ ଏହି ଟ୍ୟାଙ୍କରକୁ ସୁରକ୍ଷା ଦେବା ପାଇଁ ବୁଡ଼ାଜାହାଜ ଓ ନୌସେନା ନିୟୋଜିତ...

ମସ୍କୋ: ଆମେରିକା ଆଜି ଏକ ନାଟକୀୟ ଘଟଣାକ୍ରମରେ ଉତ୍ତର ଆଟ୍‌ଲାଣ୍ଟିକ ସାଗରରେ ରୁଷ୍‌ ନିୟନ୍ତ୍ରଣରେ ଥିବା ଭେନେଜୁଏଲାର ଏକ ତୈଳ ଟ୍ୟାଙ୍କର୍ ‘ମାରିନେରା’କୁ ଜବତ କରିଛି। ମସ୍କୋ ଏହି ଟ୍ୟାଙ୍କରକୁ ସୁରକ୍ଷା ଦେବା ପାଇଁ ବୁଡ଼ାଜାହାଜ ଓ ନୌସେନା ନିୟୋଜିତ କରିଥବାରୁ ଏହି ମାମଲା ଆଗକୁ ବଡ଼ ସଂଘର୍ଷର ରୂପ ନେଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି।  ଆମେରିକା  ଆଜି ଅଚାନକ ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରି ଏହି ତୈଳବାହୀ ଜାହାଜକୁ ନିୟନ୍ତ୍ରଣକୁ ନେବା  ଉତ୍ତେଜନା ସୃଷ୍ଟି କରିଛି। ଆମେରିକା ସେନାର ୟୁରୋପୀୟ କମାଣ୍ଡ୍‌ ଏକ୍ସରେ ଏକ ବିବୃତି ପୋଷ୍ଟ କରି ଏହି ଅପରେସନକୁ ନିଶ୍ଚିତ କରିଛି। ‘ନ୍ୟୁୟର୍କ ଟାଇମ୍ସ’ ରିପୋର୍ଟ କରିଛି ଯେ ଆମେରିକାର ତଟରକ୍ଷୀ ବାହିନୀ ଜାହାଜରେ ଚଢ଼ିବା ସମୟରେ ‘ମାରିନେରା’ ନିକଟରେ କୌଣସି ରୁଷୀୟ ଜାହାଜ ନଥିଲା। ଫଳରେ ଆମେରିକା ଏବଂ ରୁଷ୍‌ ସୈନ୍ୟବାହିନୀ ମଧ୍ୟରେ ସମ୍ଭାବ୍ୟ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇନାହିଁ।

ସୂଚନାଯୋଗ୍ୟ, ଉତ୍ତର ଆଟ୍‌ଲାଣ୍ଟିକ୍‌ରେ ଭେନେଜୁଏଲାର ଏକ ଖାଲି ତୈଳ ଟ୍ୟାଙ୍କରକୁ ଆମେରିକା ଆକ୍ରମଣରୁ ସୁରକ୍ଷା ଦେବା ପାଇଁ ରୁଷ୍‌ ଏକ ବୁଡ଼ାଜାହାଜ ଏବଂ ଅନ୍ୟ ନୌ ସୁରକ୍ଷା ବ୍ୟବସ୍ଥା ନିୟୋଜିତ କରିଥିବା ଆମେରିକୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିଲା।  ଭେନେଜୁଏଲା ତଟ ଛାଡିବାର କିଛି ସପ୍ତାହ ପରେ ‘ମାରିନେରା’ ନାମରେ ଯାତ୍ରା କରୁଥିବା ଏହି ଟ୍ୟାଙ୍କର ଆମେରିକା ତଟରକ୍ଷୀ ବାହିନୀର ରାଡାର୍‌ରେ ଲଗାତାର ରହିଥିଲା। ଆମେରିକା ଏହି ଟ୍ୟାଙ୍କରକୁ ବେଆଇନ ତୈଳ ପରିବହନ କରୁଥିବା ଏକ ବିଶ୍ୱସ୍ତରୀୟ ନେଟ୍‌ୱର୍କ ଭାବରେ ବର୍ଣ୍ଣନା କରିଥିବା ବେଳେ ରୁଷ୍‌ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲା। ସୂଚନାଯୋଗ୍ୟ, ପୂର୍ବରୁ ‘ବେଲା-୧’ ନାମରେ ଜଣାଶୁଣା ଏହି ଟ୍ୟାଙ୍କର୍ ଅଶୋଧିତ ତୈଳ ଲୋଡ୍ କରିବାରେ ବିଫଳ ହୋଇଥିଲା ଏବଂ ଏହା ବିନା ତୈଳରେ ତଟ ଛାଡ଼ିଥିଲା।  ଏହାପରେ ଯାଞ୍ଚ କିମ୍ବା ମାନକ ଔପଚାରିକତା ବିନା ଟ୍ୟାଙ୍କରରେ ରୁଷ୍‌ ନିଜ ପତାକା ଲଗାଇ ଏହାକୁ ରୁଷ୍‌ ନିୟନ୍ତ୍ରଣାଧୀନ ସଂପତ୍ତି ଭାବେ  ଗ୍ରହଣ କରିଥିବାରୁ ବିଶେଷଜ୍ଞମାନେ ଏହାକୁ ଅତ୍ୟନ୍ତ ଅସ୍ୱାଭାବିକ ବୋଲି ବର୍ଣ୍ଣନା କରିଥିଲେ  ଟ୍ୟାଙ୍କରଟି ଉତ୍ତର ସାଗରରେ ଯାତ୍ରା କରୁଥିବା ବେଳେ ଆମେରିକା ଏହାକୁ ନିଜ ଦଖଲକୁ ନେଇଛି।

ସୌଜନ୍ୟ ସମ୍ବାଦ

Exit mobile version