ଭୁବନେଶ୍ୱର: ଭାରତୀୟ ସଂସ୍କୃତି ଓ ଦର୍ଶନ ଆଦିକାଳରୁ ମାତୃତ୍ୱର ଉପାସନା ଓ ସମ୍ମାନ କରିଆସିଛି। ବୈଦିକ ଯୁଗରୁ ଆରମ୍ଭ ହୋଇଛି ମାତୃଭୂମିର ସଂସ୍କାର। ରାମାୟଣରେ ରାମଚନ୍ଦ୍ର ଜନନୀ ଓ ମାତୃଭୂମି ସ୍ୱର୍ଗଠାରୁ ମହାନ ବୋଲି ସ୍ୱୀକାର କରି ମାତୃଭୂମିକୁ ଉଚ୍ଚସ୍ଥାନରେ ବସାଇଛନ୍ତି। ବଙ୍କିମଚନ୍ଦ୍ରଙ୍କ ବନ୍ଦେ ମାତରମ୍ ହେଉଛି ପ୍ରକୃତି ମାତାର ବନ୍ଦନା। ଆଜି ବିଶ୍ୱ ଧ୍ବଂସ ଅଭିମୁଖେ ଅଗ୍ରସର ହେବାକୁ ଯାଉଥିବାରୁ ବନ୍ଦେ ମାତରମ୍କୁ ସ୍ମରଣ କରି ମନେରଖିବାକୁ ହେବ ଯେ ପୃଥିବୀମାତାର ସ୍ଥିତି ଥିଲେ ସୃଷ୍ଟି ବଞ୍ଚିବ। ମୁକ୍ତ ଚିନ୍ତନ ମଞ୍ଚ ପକ୍ଷରୁ ଭାରତୀୟ ବିଦ୍ୟାଭବନରେ ‘ବନ୍ଦେ ମାତରମ୍: କିଛି ଜଣା କିଛି ଅଜଣା’ ଶୀର୍ଷକ ଆଲୋଚନାଚକ୍ରରେ ସଭାପତି ଡାକ୍ତର ଅଶୋକ କୁମାର ମହାପାତ୍ର ଏଭଳି କହିଛନ୍ତି।

