Vehicle Sales: ଗାଡ଼ି ବିକ୍ରି ଅଭିବୃଦ୍ଧି ଜାତୀୟ ହାରଠୁ ଦୁଇଗୁଣା ଅଧିକ ରାଜ୍ୟରେ ୨୧.୨୭%, ଦେଶରେ ୯.୫୫% ବୃଦ୍ଧି
ଏଫ୍ଏଡିଏର ଓଡ଼ିଶା ଅଧ୍ୟକ୍ଷ ଅଖିଳ ପୋଦ୍ଦାର କହିଛନ୍ତି ଯେ ରାଜ୍ୟରେ ଅର୍ଥନୈତିକ ଗତିବିଧିରେ ଉନ୍ନତି, କୃଷି ଓ ଗ୍ରାମୀଣ ଅର୍ଥନୀତିର ସୁଧାର ଏବଂ ସରକାରୀ ଯୋଜନାଗୁଡ଼ିକର ପ୍ରଭାବ ଯୋଗୁଁ ଯାନ ବିକ୍ରିରେ ଏଭଳି ସକାରାତ୍ମକ ଫଳ ଦେଖାଯାଇଛି।

ଭୁବନେଶ୍ବର: ଚଳିତ ବର୍ଷ ମେ ମାସରେ ଓଡ଼ିଶାରେମୋଟ୍ ୮୨,୯୮୮ ଗାଡ଼ି ବିକ୍ରି ହୋଇଛି। ଗତ ବର୍ଷ ମେ’ରେ ୬୮,୪୩୨ଟି ଗାଡ଼ି ବିକ୍ରି ହୋଇଥିଲା। ସେହି ତୁଳନାରେ ଚଳିତ ବର୍ଷ ୨୧.୨୭% ଗାଡ଼ି ବିକ୍ରି ହୋଇଛି। ଏହା ଜାତୀୟ ଅଭିବୃଦ୍ଧି ହାର ୯.୫୫%ଠାରୁ ବହୁତ ଅଧିକ ବୋଲି ଫେଡେରେସନ୍ ଅଫ୍ ଅଟୋମୋବାଇଲ୍ ଡିଲାର୍ସ ଆସୋସିଏସନ୍ (ଏଫ୍ଏଡିଏ) ଦ୍ୱାରା ପ୍ରକାଶିତ ତଥ୍ୟରୁ ଜଣାପଡ଼ିଛି।
ଏଫ୍ଏଡିଏର ଓଡ଼ିଶା ଅଧ୍ୟକ୍ଷ ଅଖିଳ ପୋଦ୍ଦାର କହିଛନ୍ତି ଯେ ରାଜ୍ୟରେ ଅର୍ଥନୈତିକ ଗତିବିଧିରେ ଉନ୍ନତି, କୃଷି ଓ ଗ୍ରାମୀଣ ଅର୍ଥନୀତିର ସୁଧାର ଏବଂ ସରକାରୀ ଯୋଜନାଗୁଡ଼ିକର ପ୍ରଭାବ ଯୋଗୁଁ ଯାନ ବିକ୍ରିରେ ଏଭଳି ସକାରାତ୍ମକ ଫଳ ଦେଖାଯାଇଛି। ବିଶେଷ କରି ଟ୍ରାକ୍ଟର୍ ଓ ତିନି ଚକିଆ ଯାନ ବିକ୍ରିରେ ବଡ଼ ଉନ୍ନତି ରାଜ୍ୟର ଗ୍ରାମୀଣ କ୍ଷେତ୍ରରେ ବିକାଶର ସଙ୍କେତ ଦେଉଛି ବୋଲି ସେ କହିଥିଲେ।ରାଜ୍ୟର ସବୁଠାରୁ ବଡ଼ ବର୍ଗ ଦୁଇ ଚକିଆ ଯାନ୍ ବିକ୍ରିରେ ମଧ୍ୟ ଭଲ ଉନ୍ନତି ହୋଇଛି। ମେ’ ମାସରେ ୬୫,୮୮୩ଟି ଦୁଇ ଚକିଆ ଯାନ୍ ବିକ୍ରି ହୋଇଥିବାବେଳେ ଗତ ବର୍ଷ ଏହା ଥିଲା ୫୫,୨୬୦ଟି। ଏହା ଦ୍ୱାରା ୧୯.୨୨ ପ୍ରତିଶତ ବୃଦ୍ଧି ହୋଇଛି। ଏହି ମାସରେ୨,୮୨୪ଟି ତିନିଚକିଆ ଗାଡ଼ି ବିକ୍ରି ହୋଇଥିବାବେଳେ ଗତ ବର୍ଷ ଥିଲା ୧,୯୮୫ଟି। ଏହା ଦ୍ୱାରା ୪୨.୨୭ ପ୍ରତିଶତ ବୃଦ୍ଧି ହୋଇଛି। ବାଣିଜ୍ୟିକ୍ ଯାନ ବିକ୍ରି ମଧ୍ୟ ସ୍ଥିର ଗତିରେ ବଢ଼ିଛି। ମେ’ରେ ୨,୭୯୬ଟି ବାଣିଜ୍ୟିକ ଯାନ ବିକ୍ରି ହୋଇଥିବାବେଳେ ଗତ ବର୍ଷ ଏହା ଥିଲା ୨,୫୧୨ଟି ଏବଂ ଏଥିରେ ୧୧.୩୧ ପ୍ରତିଶତ ବୃଦ୍ଧି ହୋଇଛି। ଯାତ୍ରୀବାହୀ ଯାନ ବିକ୍ରିରେ ମଧ୍ୟ ଉଲ୍ଲେଖନୀୟ ଉନ୍ନତି ହୋଇଛି। ମେ’ ମାସରେ ୮,୧୦୨ଟି କାର୍ ବିକ୍ରି ହୋଇଥିବାବେଳେ ଗତ ବର୍ଷ ଥିଲା ୬,୨୦୫ଟି। ଏହା ଦ୍ୱାରା ୩୦.୫୭ ପ୍ରତିଶତ ବୃଦ୍ଧି ହୋଇଛି। ଟ୍ରାକ୍ଟର୍ ବିକ୍ରିରେ ସବୁଠାରୁ ବେଶୀ ବୃଦ୍ଧି ଦେଖାଯାଇଛି। ମେ’ ମାସରେ ୨,୯୯୫ଟି ଟ୍ରାକ୍ଟର୍ ବିକ୍ରି ହୋଇଥିବାବେଳେ ଗତ ବର୍ଷ ଏହା ଥିଲା ୨,୦୬୩ଟି। ଏହା ଦ୍ୱାରା ୪୫.୧୮ ପ୍ରତିଶତ ବୃଦ୍ଧି ହୋଇଛି।
ଜାତୀୟ ସ୍ତରରେ ମେ’ ମାସରେ ମୋଟ୍ ୨୫,୩୧,୦୬୭ ଯାନ ବିକ୍ରି ହୋଇଛି ଯାହା ଗତବର୍ଷ ମେ ମାସର ୨୩,୧୦,୪୫୧ଟି ଗାଡ଼ି ତୁଳନାରେ ୯.୫୫% ଅଧିକ। ଓଡ଼ିଶାର ୨୧.୨୭% ଅଭିବୃଦ୍ଧି ଜାତୀୟ ହାରଠାରୁ ପ୍ରାୟ ଦୁଇ ଗୁଣ ଅଧିକ।
ସୌଜନ୍ୟ ସମ୍ବାଦ




