Vigilance Raid: ଲାଞ୍ଚ ଟଙ୍କା ନେଇ ସ୍କୁଟିରେ ଯାଉଥିଲେ ଡାକ୍ତର; ମାଡ଼ିବସିଲା ଭିଜିଲାନ୍ସ

ଭୁବନେଶ୍ବର/କଟକ: ଲକ୍ଷାଧିକ ଟଙ୍କା ଦରମା ନେଉଛନ୍ତି। ତଥାପି ଅଣ୍ଟୁନି କି? ସେବା ବଦଳରେ ଗରିବ ଏବଂ ନିରୀହ ଲୋକଙ୍କ ଠାରୁ ଲୁଟିବାରେ ବ୍ୟସ୍ତ ରହୁଛନ୍ତି। ମେଡିକାଲ ସାମଗ୍ରି କିଣାକିଣି ପାଇଁ ଅସାଧୁ ଉପାୟରେ ଟଙ୍କା ନେଉଛନ୍ତି। ଏଠାରେ ଆମେ କଟକ ବଡ଼ମେଡିକାଲର ଜଣେ ଡାକ୍ତରଙ୍କ କଥା କହୁଛୁ। ଅଢ଼େଇ ଲକ୍ଷରୁ ଅଧିକ ଟଙ୍କା ଲାଞ୍ଚ ନେଇ ସ୍କୁଟିରେ ଘରକୁ ଯାଉଥିବା ଡାକ୍ତର ସନାତନ ବେହେରା ଧରାପଡ଼ିଛନ୍ତି। ଟଙ୍କା ଲାଞ୍ଚ ନେଉଥିଲା ବେଳେ ଶ୍ରୀ ବେହେରାଙ୍କୁ ଭିଜିଲାନ୍ସ ବିଭାଗ ଧରିଛି।

ଭିଜିଲାନ୍ସ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଲାଞ୍ଚୁଆ ଡାକ୍ତର ସନାତନ ବେହେରା ହେପାଟୋଲୋଜି ବିଭାଗର ସହକାରୀ ପ୍ର‌ଫେସର ଭାବେ କଟକ ବଡ଼ମେଡିକାଲରେ କାର୍ଯ୍ୟରତ। ହେପାଟୋଲୋଜି ବିଭାଗକୁ ମେଡିକାଲ ସାମଗ୍ରି ଯୋଗାଣ ପାଇଁ ନିୟୋଜିତ ସଂସ୍ଥା ଠାରୁ ଟଙ୍କା ଲାଞ୍ଚ ନେଉଥିବା ନେଇ ଭିଜିଲାନ୍ସ ବିଭାଗକୁ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା। ଯୋଜନା ଅନୁସାରେ ଭିଜିଲାନ୍ସ ବିଭାଗ ଅତର୍କିତ ଚଢ଼ଉ କରି ଡାକ୍ତରଙ୍କ ପାଖରୁ ୨,୬୩,୦୦୦ ଜବତ କରିଛି।

କଟକ ମେଡିକାଲ ରୋଡସ୍ଥିତ କାଠଗୋଳାସାହିସ୍ଥିତ ବାସଭବନ ଆଡ଼କୁ ନିଜ ସ୍କୁଟି (ଓଡି ୦୫ ବିଏସ୍‌ ୭୩୦୯)ରେ ଆଗକୁ ବଢୁଥିବା ବେଳେ ଭିଜିଲାନ୍ସ ବିଭାଗ ଅତର୍କିତ ଚଢ଼ଉ କରିଥିଲା। ଏତେ ଟଙ୍କା କେଉଁଠୁ ଆସିଲା ବୋଲି ପଚରାଯିବାରୁ ସେ ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ। ଏହି ଘଟଣା ପରେ ଭିଜିଲାନ୍ସ ବିଭାଗ ଶ୍ରୀ ବେହେରାଙ୍କ ୩ଟି ଠିକଣାରେ ଚଢ଼ଉ କରିଛି। ଭିଜିଲାନ୍ସ ବିଭାଗ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି।

ସୌଜନ୍ୟ ସମ୍ବାଦ