ଦେଶ ବିଦେଶ

Vote theft: ଭୋଟ ଚୋରି ପ୍ରସଙ୍ଗରେ ଏକଜୁଟ୍‌ ଇଣ୍ଡିମେଣ୍ଟ: ଅକ୍ଟୋବର ୬ରେ ବିରୋଧୀ ସାଂସଦଙ୍କ ପଦଯାତ୍ରା

ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଓ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ପ୍ରସଙ୍ଗରେ ବିରୋଧୀ ଇଣ୍ଡିମେଣ୍ଟର ସହଯୋଗୀ ଦଳଗୁଡ଼ିକ ବୁଧବାର ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି।

ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଓ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ପ୍ରସଙ୍ଗରେ ବିରୋଧୀ ଇଣ୍ଡିମେଣ୍ଟର ସହଯୋଗୀ ଦଳଗୁଡ଼ିକ ବୁଧବାର ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ୮ ତାରିଖ ପର୍ଯ୍ୟନ୍ତ ସପ୍ତାହବ୍ୟାପୀ ‘ଗଣତନ୍ତ୍ର ବଞ୍ଚାଅ’ ଅଭିଯାନ ଚଳାଇବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ସମସ୍ତ ମେଣ୍ଟଭୁକ୍ତ ଦଳ ଜିଲ୍ଲାସ୍ତରରେ ଜିଲ୍ଲା ମାଜିଷ୍ଟ୍ରେଟଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପଦଯାତ୍ରା କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିବେ। ଏଥିରେ ଯୁବବର୍ଗ ଓ ଏନ୍‌ଜିଓଗୁଡ଼ିକୁ ସାମିଲ କରାଯିବ।

ଅକ୍ଟୋବର ୬ରେ ସମସ୍ତ ବିରୋଧୀ ସାଂସଦ ନିର୍ବାଚନ କମିସନଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପଦଯାତ୍ରା କରିବେ। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି ଯେ, ଭୋଟ ଚୋରି ପ୍ରସଙ୍ଗରେ ଦେଶବାସୀଙ୍କୁ ଅବଗତ କରାଇବା ପାଇଁ ଅକ୍ଟୋବର ଓ ନଭେମ୍ବରରେ ଦେଶବ୍ୟାପୀ ପାଞ୍ଚଟି ପ୍ରମୁଖ ରାଲି କରାଯିବ। ଏହି ରାଲିଗୁଡ଼ିକର ସ୍ଥାନ ଓ ସମୟ ଖୁବ୍‌ଶୀଘ୍ର ସ୍ଥିର କରାଯିବ। ଇଭିଏମ୍‌ ବଦଳରେ ବାଲଟ୍‌ ପେପର ମାଧ୍ୟମରେ ନିର୍ବାଚନ କରାଯିବାକୁ ସବୁ ଦଳ ଦାବି କରିବେ ବୋଲି ଖଡ଼ଗେ କହିଛନ୍ତି। ବୁଧବାର ଦିଲ୍ଲୀର କନଷ୍ଟିଚ୍ୟୁସନ କ୍ଲବ୍‌ଠାରେ ଇଣ୍ଡିମେଣ୍ଟର ସାଢ଼େ ୩ ଘଣ୍ଟାରୁ ଅଧିକ ସମୟ ଧରି ବୈଠକ ହୋଇଥିଲା। ଏଥିରେ ଖଡ଼ଗେଙ୍କ ସମେତ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ଟିଏମ୍‌ସି ମୁଖ୍ୟ ମମତା ବାନାର୍ଜୀ, ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା, ଆର୍‌ଜେଡିର ତେଜସ୍ୱୀ ଯାଦବ ଓ ଏନ୍‌ସିପି (ଏସ୍‌ପି) ସାଂସଦ ସୁପ୍ରିୟା ସୁଲେ ପ୍ରମୁଖ ସାମିଲ ହୋଇଥିଲେ। ବୈଠକ ପରେ ଇଣ୍ଡିମେଣ୍ଟ ନେତାମାନେ ମିଳିତ ଭାବେ ସାମ୍ବାଦିକ ସମ୍ମିଳନୀ କରି ମିଳିତ କାର୍ଯ୍ୟ ଯୋଜନା ବିଷୟରେ ସୂଚନା ଦେଇଥିଲେ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button