ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧ ଲୋକମାନଙ୍କ ଗାଧୁଆ ଘର ଉପରେ ପ୍ରଭାବ ପକାଇବା ଆରମ୍ଭ କରିଛି। କଞ୍ଚାମାଲ ଦର ବଢ଼ିଯିବାରୁ ଦେଶର ଅଗ୍ରଣୀ ଏଫ୍ଏମ୍ସିଜି କମ୍ପାନି ହିନ୍ଦୁସ୍ତାନ ୟୁନିଲିଭର ଏହାର ସାବୁନଗୁଡ଼ିକର ଦାମ୍ ବୃଦ୍ଧି କରିଛି। କମ୍ପାନିର ଲୋକପ୍ରିୟ ସାବୁନ ଯଥା ଡୋଭ୍,ପିୟର୍ସ, ସର୍ଫ ଓ ରେଡ୍ ଲାବେଲ୍ ମହଙ୍ଗା ହୋଇଛି। ଏହି ଉତ୍ପାଦଗୁଡ଼ିକ ଦାମ୍ରେ ୧ ଟଙ୍କାରୁ ୨୦ ଟଙ୍କା ପର୍ଯ୍ୟନ୍ତର ବୃଦ୍ଧି ଘଟିଛି। ଏଚ୍ୟୁଏଲ୍ର ପ୍ରବକ୍ତା କହିଛନ୍ତି ଯେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ, ପାମ୍ ଅଏଲ୍ ଓ ପ୍ଲାଷ୍ଟିକ୍ ମୂଲ୍ୟରେ ଅସ୍ଥିରତା ଦେଖାଦେଇଥିବାରୁ ଆମେ ଆମର କିଛି ଉତ୍ପାଦର ଦାମ୍ ବଢ଼ାଇଛୁ। ତେବେ ଗ୍ରାହକମାନଙ୍କ ପାଇଁ ଏହି ସାମଗ୍ରୀଗୁଡ଼ିକ ଯେଭଳି ସୁଲଭ ରହିପାରିବ ସେଥିପାଇଁ ଆମେ ବିଶେଷ ଧ୍ୟାନ ଦେଇଛୁ ବୋଲି ସେ କହିଛନ୍ତି। ଗତ ଫେବ୍ରୁଆରି ୨୮ରୁ ଇରାନ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ ପିଛା ୧୦୦ ଡଲାରରୁ ଅଧିକ ରହିଛି। ତାହାର ପ୍ରଭାବରେ ବିଭିନ୍ନ କଞ୍ଚାମାଲ ଓ ପରିବହନ ଖର୍ଚ୍ଚ ବଢ଼ିଛି
ଏଫ୍ଏମ୍ସିଜି କମ୍ପାନିଗୁଡ଼ିକ ନିଜ ଉତ୍ପାଦ ତିଆରି କରିବା ଲାଗି ଅଶୋଧିତ ତୈଳର ଉପ ସାମଗ୍ରୀ ଯଥା ପଲିପ୍ରୋପଲିନ ଓ ଆଲକାଇଲ ବେଞ୍ଜେନି ଆଦିକୁ ବ୍ୟବହାର କରୁଛନ୍ତି। ଚଳିତ ବର୍ଷ ସ୍ବାଭାବିକଠାରୁ କମ୍ ମୌସୁମୀ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଥିବାରୁ ଗ୍ରାମାଞ୍ଚଳରେ ଏଫ୍ଏମ୍ସିଜି ଜିନିଷର ଚାହିଦା ହ୍ରାସ ପାଇବ। କମ୍ପାନିଗୁଡ଼ିକର ମୋଟ୍ ଆୟରେ ଗ୍ରାମୀଣ ବଜାରର ଭାଗ ଅଧିକ ରହିଥାଏ। ଉଚ୍ଚା ମୁଦ୍ରାସ୍ଫୀତି ହାର ପାଇଁ ସହରାଞ୍ଚଳବାସୀ ଖର୍ଚ୍ଚ କମ କରିଥିବାରୁ କମ୍ପାନିଗୁଡ଼ିକର ଆୟ ପ୍ରଭାବିତ ହୋଇଛି। ସେଭଳି ସମୟରେ ଗ୍ରାମୀଣ ବଜାର ହିଁ ସେମାନଙ୍କ ପାଇଁ ଏକମାତ୍ର ଭରସା ଥିଲା।
ସୌଜନ୍ୟ ସମ୍ବାଦ

