War Crisis: ଚିନ୍ତା ପ୍ରକଟ କଲା ଅର୍ଥ ମନ୍ତ୍ରାଳୟ, ଯୋଗାଣ ଚେନ୍ ବିଗିଡିଛି ଓ ଉତ୍ପାଦନ ଖର୍ଚ୍ଚ ବଢିଛି

ବିଶ୍ୱର ତୈଳ ଏବଂ ଗ୍ୟାସ ଯୋଗାଣ ପାଇଁ ଜୀବନରେଖା ଭାବରେ ବିବେଚିତ ହର୍ମୁଜ୍ ପ୍ରଣାଳୀ ପରେ, ଆଉ ଏକ ପ୍ରଣାଳୀ, ବାବ୍ ଅଲ୍-ମାଣ୍ଡେବ, ଏବେ ବନ୍ଦ ହେବାର ଆଶଙ୍କାର ସମ୍ମୁଖୀନ ହେଉଛି। ଯଦି ଏହି ପ୍ରଣାଳୀ ମଧ୍ୟ ବନ୍ଦ ହୁଏ, ତେବେ ଏହା ବିଶ୍ୱର ତୈଳ ଯୋଗାଣର ୩୦% ପ୍ରଭାବିତ କରିପାରେ। ଏହା ଭାରତକୁ ପ୍ରଭାବିତ କରିବା ନିଶ୍ଚିତ, କାରଣ ଭାରତର ୯୫% ବାଣିଜ୍ୟ ସମୁଦ୍ର ପଥରେ ପରିଚାଳିତ ହୁଏ।

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ସାରା ବିଶ୍ୱ ସଙ୍କଟରେ । ଷ୍ଟ୍ରେଟ ଅଫ୍ ହୋର୍ମୁଜ ଉପରେ ଇରାନର କଟକଣା ଯୋଗୁ ଏବେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ଆକାଶଛୁଆଁ । ଏଭଳି ବାହ୍ୟ ସମସ୍ୟା ଘରୋଇ ବଜାରର ଅର୍ଥନୀତିକୁ ପ୍ରଭାବିତ କରିଛି । ଏଥିଯୋଗୁ ଦେଶର ଅର୍ଥବ୍ୟବସ୍ଥା ଗତି ଧିମା ହୋଇପାରେ । ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ମାସିକ ଅର୍ଥନୈତିକ ରିଭ୍ୟୁ ରିପୋର୍ଟରେ ଏଭଳି ଆଶଙ୍କା କରାଯାଇଛି ।

କାହିଁକି ବଢିଲା ଉତ୍ପାଦନ ଖର୍ଚ୍ଚ?

ରିପୋର୍ଟ ମୁତାବକ, ବାହ୍ୟ ଝଟ୍‌କା ଯୋଗୁ ଦେଶ ମଧ୍ୟରେ ଇନ୍‌ପୁଟ୍ ଖର୍ଚ୍ଚ ବା ଉତ୍ପାଦନ ଖର୍ଚ୍ଚ ବଢ଼ିଛି । ଏଥିଯୋଗୁ ଆର୍ଥକ କାର୍ଯ୍ୟକଳାପ ଉପରେ ଚାପ ପଡୁଛି । ୨୦୨୬ ଫେବ୍ରୁଆରି ଯାଏ ଦେଶର ଅର୍ଥନୀତି ମଜବୁତ ଥିଲା । ଘରୋଇ ଚାହିଦା, ଭିତ୍ତିଭୂମି ସମ୍ପ୍ରସାରଣ, ଉନ୍ନତ ନୀତିଗତ ପଦକ୍ଷେପ ଯୋଗୁ ଉଭୟ ଯୋଗାଣ ଏବଂ ଚାହିଦା ଉନ୍ନତ ରହିଥିଲା । ବିନିର୍ମାଣ ଏବଂ ସେବା କ୍ଷେତ୍ରରେ ଅଭିବୃଦ୍ଧି ଜାରି ରହିଥିଲା । ଅନ୍ୟପଟେ ଗାଡ଼ି ବିକ୍ରି ଏବଂ ଡିଜିଟାଲ ପେମେଣ୍ଟ୍ସ ଅଭିବୃଦ୍ଧି ମଧ୍ୟ ରହିଥିଲା ।

 

ମାର୍ଚ୍ଚରେ ବଦଳିଗଲା ସ୍ଥିତି:

ତେବେ ୨୦୨୬ ମାର୍ଚ୍ଚରେ ବିଶ୍ୱ ବଜାରର ସ୍ଥିତି ହଠାତ ବଦଳିଗଲା । ମଧ୍ୟପ୍ରାଚ୍ୟରେ ଇରାନ ଉପରେ ଆମେରିକା ଓ ଇସ୍ରାଏଲର ଆକ୍ରମଣ ଯୋଗୁ ଅଶୋଧିତ ତୈଳ ଦର ଏବଂ ମାଲ୍ ପରିବହନ ଖର୍ଚ୍ଚ ବଢ଼ିଛି । ଏହାର ସିଧାସଳଖ ପ୍ରଭାବ ଦେଶର ଉତ୍ପାଦନ ଉପରେ ପଡିଛି । ଏମିତିକି ଇ-ୱେ ବିଲ୍ ଜେନେରେସନରେ ମଧ୍ୟ ହ୍ରାସ ପରିଲକ୍ଷିତ ହୋଇଛି । ପର୍ଚେଜ୍ ମ୍ୟାନେଜର୍ସ ଇଣ୍ଡେକ୍ସ (ପିଏମ୍ଆଇ) ମାସିକ ଭିତ୍ତିରେ ଦୁର୍ବଳ ହେବା ଅର୍ଥନୀତିର ଧିମା ଅବସ୍ଥାକୁ ଦର୍ଶାଉଛି ।

କେତେ ପ୍ରଭାବିତ ଘରୋଇ ବଜାର?

ଅନ୍ୟପଟେ ଘରୋଇ ବଜାରରେ ଚାହିଦା ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇନାହିଁ । ଯାନ ପଞ୍ଜୀକରଣ ଏବଂ ଡିଜିଟାଲ ନେଣଦେଣକୁ ଦେଖିଲେ ଲୋକେ ଏବେ ମଧ୍ୟ ସାମଗ୍ରୀ କ୍ରୟ କରୁଥିବା ଜଣାଯାଏ । ତେବେ ସ୍ଥିତି ଗମ୍ଭୀର ଥିବା ରିପୋର୍ଟରେ ପ୍ରକାଶ କରାଯାଇଛି । ଗ୍ରାମାଞ୍ଚଳରେ ଖାଉଟିଙ୍କ ମନୋଭାବ ଉପରେ ପ୍ରଭାବ ପଡ଼ିଛି । ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ଏବଂ ଯୋଗାଣ ଶୃଙ୍ଖଳରେ ସମସ୍ୟା ଚାହିଦାକୁ ପ୍ରଭାବିତ କରୁଛି । ଅନ୍ୟପଟେ ଖୁଚୁରା ମୁଦ୍ରାସ୍ଫୀତି ବୃଦ୍ଧି ସଙ୍କେତ ମିଳିଛି । ଅଦ୍ୟାବଧି ଖାଦ୍ୟ ସାମଗ୍ରୀ ଦର ବୃଦ୍ଧି ଯୋଗୁ ମୁଦ୍ରାସ୍ଫୀତି ତେଜୁଥିଲା ।

ଘରୋଇ ବଜାର ଉପରେ ଇଫେକ୍ଟ

ମାତ୍ର ବର୍ତ୍ତମାନ ଅଶୋଧିତ ତେଲ ଦର ବୃଦ୍ଧିର ପ୍ରଭାବ ସମ୍ପୂର୍ଣ୍ଣ ଭାବେ ଘରୋଇ ବଜାର ଉପରେ ପଡିଛି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ନ ଖସିଲେ ଆଗାମୀ ଦିନରେ ମୁଦ୍ରାସ୍ଫୀତି ତେଜିବ । ଏହା ଅର୍ଥବ୍ୟବସ୍ଥା ଲାଗି ବଡ଼ ରିସ୍କ । ଫେବ୍ରୁଆରି ମାସରେ ଖୁଚୁରା ମୁଦ୍ରାସ୍ଫୀତି ୩.୨୧% ସ୍ତର ଛୁଇଁଥିଲା । ଭିତ୍ତିଭୂମି ଏବଂ ପୁଞ୍ଜି ଖର୍ଚ୍ଚକୁ ସରକାର ଏବେ ବି ଅଭିବୃଦ୍ଧିର ପ୍ରମୁଖ ଟୁଲ୍ ବୋଲି ବିଚାର କରୁଛନ୍ତି ।

ଇସ୍ପାତ ଏବଂ ସିମେଣ୍ଟ ଉତ୍ପାଦନ ବୃଦ୍ଧି ଏହାର ପ୍ରମାଣ ଦେଉଛି ଯେ, ନିର୍ମାଣ ଏବଂ ସରକାରୀ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ ହେଉଛି । ଅର୍ଥମନ୍ତ୍ରଣାଳୟ ଏହାର ରିପୋର୍ଟରେ କହିଛି ଯେ, ଅର୍ଥନୀତିର ମୂଳ ଭିତ୍ତି ମଜଭୁତ ରହିଛି । ମାତ୍ର ବିଶ୍ୱ ବଜାର ଜନିତ ରିସ୍କ ରହିଛି । ଏଥିଲାଗି ଉଭୟ ଘରୋଇ ଏବଂ ବିଶ୍ୱ ବଜାର ସ୍ଥିତି ଉପରେ ନଜର ରଖିବାର ଆବଶ୍ୟକତା ରହିଛି ।

 

 

 

ସୌଜନ୍ୟ Prameya News7

Exit mobile version