ଦେଶ ବିଦେଶ

Weather: ଭାରତ ମହାସାଗରରେ ବଳ ଗୋଟାଉଛି ମୌସୁମୀ

ନୂଆଦିଲ୍ଲୀ: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଏବେ ଭାରତ ମହାସାଗର ଅଞ୍ଚଳରେ ପୁଣି ଥରେ ଶକ୍ତିଶାଳୀ ହେବାରେ ଲାଗିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ଜାରି ହୋଇଥିବା ବୁଲେଟିନ୍ ଅନୁଯାୟୀ, ବାୟୁମଣ୍ଡଳୀୟ ଏବଂ ମହାସାଗରୀୟ ସ୍ଥିତି ଏବେ ମୌସୁମୀର ଅଗ୍ରଗତି ପାଇଁ ସମ୍ପୂର୍ଣ୍ଣ ଅନୁକୂଳ ରହିଛି। ଆସନ୍ତା ୨ରୁ ୩ ଦିନ ମଧ୍ୟରେ ଏହି ବର୍ଷା ବଳୟ ଆରବ ସାଗର ଏବଂ ବଙ୍ଗୋପସାଗରର ଆହୁରି ଅନେକ ଅଞ୍ଚଳକୁ ନିଜ ନିୟନ୍ତ୍ରଣକୁ ନେବ।

ପ‌ାଣିପାଗ ବିଜ୍ଞାନୀଙ୍କ ସୂଚନା ଅନୁଯାୟୀ, ବର୍ତ୍ତମାନର ମୌସୁମୀ ପ୍ରକ୍ରିୟା ଅତି ବ୍ୟାପକ ରୂପ ଧାରଣ କରିଛି। ଏହା ଦକ୍ଷିଣ-ପଶ୍ଚିମ ଆରବ ସାଗରଠାରୁ ଆରମ୍ଭ କରି ସମଗ୍ର ବଙ୍ଗୋପସାଗର ଦେଇ ମ୍ୟାମାର ପର୍ଯ୍ୟନ୍ତ ଲମ୍ବିଛି। ଏହାର ସିଧାସଳଖ ଅର୍ଥ ହେଉଛି, ଗତ କିଛି ଦିନ ଧରି ଦେଖାଦେଇଥିବା ମାନ୍ଦା ସ୍ଥିତି ଦୂର ହୋଇଛି ଏବଂ ସମଗ୍ର ଭାରତୀୟ ମହାସାଗର ଅଞ୍ଚଳରେ ପାଣିପାଗ ପ୍ରକ୍ରିୟା ସୁସଂଗଠିତ ହେବାରେ ସଫଳ ହୋଇଛି। ଆସନ୍ତା ୪୮ରୁ ୭୨ ଘଣ୍ଟା ମଧ୍ୟରେ ଏହା ମାଳଦ୍ବୀପ, ଲାକ୍ଷାଦ୍ବୀପ ଏବଂ ବଙ୍ଗୋପସାଗରର କେନ୍ଦ୍ରୀୟ ଅଞ୍ଚଳକୁ ଛୁଇଁବାର ସମ୍ପୂର୍ଣ୍ଣ ସମ୍ଭାବନା ରହିଛି।

ସୂଚନାଯୋଗ୍ୟ, ପୂର୍ବରୁ ମୌସୁମୀ ମେ’ ୨୬ ସୁଦ୍ଧା କେରଳ ଛୁଇଁବାର ପୂର୍ବାନୁମାନ କରାଯାଇଥିଲା। ଏହି ଧାର୍ଯ୍ୟ ସମୟ ସୀମା ଭୁଲ୍‌ ପ୍ରମାଣିତ ହୋଇଥିଲେ ସୁଦ୍ଧା ଏବେ ସମୁଦ୍ର ମଧ୍ୟରେ ଏହାର ଦ୍ରୁତ ଅଗ୍ରଗତି କୃଷି ବିଜ୍ଞାନୀ ଓ ଚାଷୀକୂଳକୁ ଉତ୍ସାହିତ କରିଛି। ସାଧାରଣତଃ ସମୁଦ୍ର ମଧ୍ୟରେ ପ୍ରକ୍ରିୟା ଶକ୍ତିଶାଳୀ ହେବା ପରେ ଏହା ଅତି ଦ୍ରୁତ ଗତିରେ ସ୍ଥଳଭାଗ ଆଡ଼କୁ ଗତି କରିଥାଏ। ଚଳିତ ବର୍ଷ ମୌସୁମୀ ଠିକ୍ ସମୟରେ ସକ୍ରିୟ ହେଉଥିଲେ ମଧ୍ୟ ସାମଗ୍ରିକ ବର୍ଷାର ପରିମାଣକୁ ନେଇ ଆଇଏମଡି ସାମାନ୍ୟ ଚିନ୍ତା ପ୍ରକଟ କରିଛି। ଆସନ୍ତା ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ଦେଶରେ ଦୀର୍ଘକାଳୀନ ହାରାହାରିର ପ୍ରାୟ ୯୨ ପ୍ରତିଶତ ବର୍ଷା ହୋଇପାରେ, ଯାହାକୁ ସ୍ବାଭାବିକଠାରୁ କମ୍ ବୋଲି ଧରାଯିବ। ଜୁଲାଇ ମାସ ପରଠାରୁ ପ୍ରଶାନ୍ତ ମହାସାଗରରେ ‘ଏଲ୍ ନିନୋ’ର ପ୍ରଭାବ ବୃଦ୍ଧି ପାଇବାକୁ ଥିବାରୁ ଏଭଳି ସ୍ଥିତି ଉପୁଜିପାରେ।

 

 

 

 

ସୌଜନ୍ୟ ସମ୍ବାଦ

Show More
Back to top button