କୋଲକାତା: ପଶ୍ଚିମବଙ୍ଗରେ ଦ୍ବିତୀୟ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ଚାଲିଛି। ୧୪୨ଟି ବିଧାନସଭା ଆସନରେ ବୁଧବାର ମତଦାନ ହେଉଥିବାବେଳେ ଦିନ ୧୧ଟା ପର୍ଯ୍ୟନ୍ତ ୪୦% ମତଦାନ ହୋଇଥିବା ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମେତ ନିର୍ବାଚନୀ ମୈଦାନରେ ୧,୪୪୮ ପ୍ରାର୍ଥୀ ଅଛନ୍ତି। ଏମାନଙ୍କ ମଧ୍ୟରେ ୧୨୨୮ ଜଣ ପୁରୁଷ ଓ ୨୨୦ ଜଣ ମହିଳା ପ୍ରାର୍ଥୀ ଅଛନ୍ତି।
ସକାଳ ୭ଟାରେ ମତଦାନ ଆରମ୍ଭ ହୋଇଥିବାବେଳେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ପଶ୍ଚିମବଙ୍ଗରେ ୪୧,୦୦୧ ପୋଲିଂ ଷ୍ଟେସନରେ ମତଦାନ ଚାଲିଥିବାବେଳେ କେତେକ ସ୍ଥାନରେ ଇଭିଏମ୍ରେ ତ୍ରୁଟି ଯୋଗୁ ମତଦାନ ବିଳମ୍ବିତ ହୋଇଥିବା ଖବର ଆସିଛି। ନିର୍ବାଚନ ଆୟୋଗଙ୍କ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ୨,୩୨୧ କମ୍ପାନି କେନ୍ଦ୍ରୀୟ ସୁରକ୍ଷା ବାହିନୀ ମୁତୟନ ହୋଇଛନ୍ତି। ୧୪୨ ଜଣ ସାଧାରଣ ପର୍ଯ୍ୟବେକ୍ଷକ, ୯୫ ଜଣ ପୁଲିସ ପର୍ଯ୍ୟବେକ୍ଷକ ଓ ୧୦୦ ଖର୍ଚ୍ଚ ପର୍ଯ୍ୟବେକ୍ଷକ ମୁତୟନ ହୋଇଛନ୍ତି। ଡ୍ରୋନ୍ କ୍ୟାମେରାରେ ମଧ୍ୟ ସ୍ଥିତି ଉପରେ ନଜର ରଖାଯାଇଛି।
ଗତ ୨୩ ତାରିଖରେ ପ୍ରଥମ ପର୍ଯ୍ୟାୟରେ ୧୫୨ ଆସନରେ ମତଦାନ ଅନୁଷ୍ଠିତ ହୋଇଥିଲା। ରାଜ୍ୟରେ ରେକର୍ଡ଼ ୯୨.୭୨ ପ୍ରତିଶତ ମତଦାନ ହୋଇଥିଲା। ବିଭିନ୍ନ ସ୍ଥାନରେ ନିର୍ବାଚନୀ ହିଂସା, ଇଭିଏମ୍ ଗଡ଼ବଡ଼ି ସମ୍ପର୍କରେ ଖବର ଆସିଥିଲା। କସବା, ଭାଙ୍ଗର, ବାରୁଇପୁର ଏବଂ ବିଷ୍ଣୁପୁର ସମେତ ସାତଟି ବିଧାନସଭା ଆସନରେ ଏନ୍ଆଇଏ ଅଧିକାରୀମାନଙ୍କୁ ନିୟୋଜିତ କରାଯାଇଛି। ବୋମା ମିଳିବାପରେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।
ସୌଜନ୍ୟ ସମ୍ବାଦ

