Wicket: ଛୋଟ ଭୁଲ ପାଇଁ ବି ଯିବ ୱିକେଟ୍‌ଶେଷ ଓଭର ୱିକେଟ୍‌ ପରେ ଅଟକିବନି ଖେଳ

ମୁମ୍ବାଇ: ପୁଣି ଥରେ କ୍ରିକେଟ୍‌ ନିୟମରେ କିଛି ପରିବର୍ତନ କରାଯିବ। ଚଳିତ ବର୍ଷ ଅକ୍ଟୋବର ପହିଲାରୁ ଖେଳ ପରିଚାଳନାରେ ସମ୍ପୃକ୍ତ ଏକାଧିକ ନିୟମ ବଦଳିଯିବ। ବିଶ୍ବବ୍ୟାପୀ କ୍ରିକେଟ୍‌ ନିୟମର ହେପାଜତରେ ଥିବା ଏମ୍‌ସିସି (ମେରିଲବୋନ୍‌ କ୍ରିକେଟ୍‌ କ୍ଲବ୍‌) କ୍ରିକେଟ୍‌ ଉତ୍ସାହକୁ ସଂରକ୍ଷିତ ରଖିବା ସହ ଆତ୍ମାକୁ ଅକ୍ଷତ ରଖି ଏହାକୁ ଅଧିକ ଶାଣିତ କରିବା ଏବଂ ସୃଷ୍ଟି ହେଉଥିବା ନୂଆ ଦୁର୍ବଳତାକୁ ଦୂର କରିବା ପାଇଁ ଏଭଳି ପ୍ରୟାସ କରିଛି। ନୂଆ ନିୟମ ଗୁଡ଼ିକ ଲାଗି ହେବା ପରେ ଛୋଟ ଛୋଟ ଭୁଲ ପାଇଁ ବି ବ୍ୟାଟର୍‌ଙ୍କୁ ୱିକେଟ୍‌ ହରାଇବାକୁ ପଡ଼ିବ। ମୁମ୍ବାଇରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମ ଅବସରରେ ଏମ୍‌ସିସିର କ୍ରିକେଟ୍‌ ମୁଖ୍ୟ ଫ୍ରେଜର୍‌ ଷ୍ଟିୱାର୍ଟ, ପୂର୍ବତନ ଇଂଲଣ୍ଡର କ୍ରିକେଟର୍‌ ଅଙ୍ଗୁସ ଫ୍ରେଜର୍‌ ଏବଂ ଗ୍ଲୋବାଲ୍‌ କ୍ରିକେଟ୍‌ ସ୍କୁଲ୍‌ର ପରିଚାଳନା ନିର୍ଦ୍ଦେଶକ ସଚିନ ବଜାଜଙ୍କୁ ନେଇ ଏକ ଆଲୋଚନା ସମୟରେ ବଦଳିବାକୁ ଯାଉଥିବା ନିୟମଗୁଡ଼ିକର ବ୍ୟାଖ୍ୟା କରାଯାଇଛି।(୧) ଟେଷ୍ଟ୍‌ କ୍ରିକେଟ୍‌ର ଦିନର ଶେଷ ଓଭରରେ ୱିକେଟ୍‌ ପତନ ବେଳେ ତତ୍‌କ୍ଷଣାତ ଖେଳ ବନ୍ଦ କରାଯାଉଥିଲା। ଏବେ ସେଭଳି ହେବ ନାହିଁ। ସମ୍ପୃକ୍ତ ଓଭରକୁ ଶେଷ କରାଯିବ। ନୂଆ ବ୍ୟାଟର୍‌ ଆସିବେ ଏବଂ ଅବଶିଷ୍ଟ ବଲ୍‌ଗୁଡ଼ିକ ଖେଳିବେ। ଫଳରେ କୌଣସି ଆକସ୍ମିତ ପରିସମାପ୍ତି ଘଟିବ ନାହିଁ।

(୨) ବାଉଣ୍ଡରି ନିକଟରେ ନିଆଯାଉଥିବା ବନି-ହପ୍‌ ସର୍କସ୍‌ କ୍ୟାଚ୍‌ର ଅନ୍ତ ଘଟିବ। ବାଉଣ୍ଡରି ନିକଟରେ ଏପଟ ସେପଟକୁ ଡେଇଁ ନିଆଯାଉଥିବା କ୍ୟାଚ ଉପରେ କଟକଣା ଲାଗିବ। ନୂଆ ନିୟମ ଅନୁସାରେ ଫିଲ୍ଡରଙ୍କୁ ଏବେ ଥ‌ରେ ମାତ୍ର ବାଉଣ୍ଡରି ବାହାରକୁ କୁଦା ମାରିବାକୁ ଅନୁମତି ମିଳିବ। କ୍ୟାଚ୍‌ର ବୈଧତା ପାଇଁ ଏହାକୁ ନେବା ସମୟରେ ପଡ଼ିଆ ଭିତରେ ରହିବା ଆବଶ୍ୟକ।

(୩) ନୂଆ ନିୟମ ଅନୁସାରେ ପୁନଃନିର୍ମିତ ବ୍ୟାଟ୍‌, ଏପରିକି ଲାମିନେଟ୍‌ ହୋଇଥିବା (ଟାଇପ୍‌-ଡି’ ବ୍ୟାଟ୍‌ ଏବେ ବ୍ୟବହାର ପାଇଁ ଅନୁମତି ମିଳିବ। ଯାହାକି ଛୋଟ ଛୋଟ କାଠ ଖଣ୍ଡରେ ନିର୍ମିତ ଲାମିନେଟେଡ୍‌ ବ୍ୟାଟ୍‌ ପୂର୍ବରୁ ଜୁନିୟର୍‌ କ୍ରିକେଟ୍‌ରେ ନିଷିଦ୍ଧ ଥିଲା। ଏହି ବ୍ୟାଟ୍‌ ଅଧିକ ଦୃଢ଼, ସ୍ଥାୟୀ, ପାୱାର ହିଟିଂ ସକ୍ଷମ ହେବ।

(୪) କୌଣସି ଷ୍ଟମ୍ପିଂ କି ରନ୍‌ ଆଉଟ୍‌ ସମୟରେ ୱିକେଟରକ୍ଷକଙ୍କୁ ଏଣିକି ବଲ୍‌କୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରଖିବାକୁ ହେବ। କେବଳ ବଲ୍‌କୁ ହାତ କି‌ ଗ୍ଲୋଭ୍‌ସରେ ଛୁଇଁଥିଲେ ଏହାକୁ ଯଥେଷ୍ଟ ବିବେଚନା କରାଯିବ ନାହିଁ। ବଲ୍‌ କେବଳ ଶରୀର ଅଂଶ କି ଗ୍ଲୋଭ୍‌ସକୁ ସ୍ପର୍ଶ କରିଥିଲେ ଆଉଟ୍‌କୁ ବୈଧ ବିବେଚନା କରାଯିବ ନାହିଁ।

 

 

 

ସୌଜନ୍ୟ ସମ୍ବାଦ