ଶୀତଦିନ ଖାଇବାର ମଜା ସ୍ବତନ୍ତ୍ର। ବଜାରସାରା ଆକର୍ଷଣୀୟ, ପୁଷ୍ଟିକର, ସୁସ୍ବାଦୁ ତଥା ଶସ୍ତା ଶାଗ ଓ ପନିପରିବା ଏବଂ ଭଳିକି ଭଳି ଫଳ ଯାହାକୁ ଯେତେ। ଯଦିଓ ବିଳମ୍ବ ହୋଇଛି ତଥାପି ଥିରିଥିରି ହୋଇ ଶୀତ ଆସି ଦେହମନକୁ ରୋମାଞ୍ଚିତ କଲାଣି। ଉଷୁମ ଖାଦ୍ୟ ପ୍ରତି ଆକର୍ଷଣ ବଢ଼ିଥିବା ବେଳେ କୋଲ୍ଡ୍ରିଙ୍କସ୍ ପରି ମୃଦୁପାନୀୟ ଆଉ ତୁଣ୍ଡକୁ ସୁଆଦ ଲାଗୁନି। ତେଣୁ ଏହି ଋତୁଟା ସ୍ବାସ୍ଥ୍ୟ ଦୃଷ୍ଟିରୁ ସ୍ବତନ୍ତ୍ର। ଶୀତଦିନରେ କେଉଁ ଖାଦ୍ୟ ଖାଇଲେ ଶରୀରକୁ କ’ଣ ଫାଇଦା ମିଳୁଛି….ଚାଲନ୍ତୁ ଜାଣିବା….
ଏହି ଋତୁରେ ତଟକା ଗାଜର, ବିଟ୍ ଓ କନ୍ଦମୂଳ ପ୍ରଚୁର ପରିମାଣରେ ମିଳେ। ଗାଜରରୁ ମିଳେ ବିଟାକାରୋଟିନ୍ ଭିଟାମିନ୍ ‘ସି’, ସାଆନିଡିନ୍, ଲିଉଟିନ୍ ଜାତୀୟ ଆଣ୍ଟି ଅକ୍ସିଡାଣ୍ଟ। ବିଟ୍ରୁ ବେଶୀ ମିଳେ ଭିଟାମିନ୍ ‘ଏ’, ‘ବି’, ‘ସି’, ‘କେ’, ପୋଟାସିୟମ୍ ଓ ଫୋଲେଟ୍। ଜୁସ୍ ହିସାବରେ ଏହା ଖୁବ୍ ଉପଯୋଗୀ। କନ୍ଦମୂଳରେ ରହିଛି ବିଟା କାରୋଟିନ୍ ଓ ଭିଟାମିନ୍ ‘ସି’ ଭଳି ଆଣ୍ଟି ଅକ୍ସିଡାଣ୍ଟ ଓ ବେଶି ଖାଦ୍ୟତନ୍ତୁ। କନ୍ଦମୂଳ ଆଳୁଠାରୁ ମିଠା। କିନ୍ତୁ ଏଥିରେ ଗ୍ଲାଇସିମିକ୍ ଇଣ୍ଡେକ୍ସ କମ୍ ଥିବାରୁ ଏହାକୁ ଖାଇଲେ ରକ୍ତରେ ଗ୍ଲୁକୋଜ୍ର ମାତ୍ରା ବିଶେଷ ବଢ଼ି ନଥାଏ।
ମୂଳା ଓ କୋବି ହେଉଛି ବ୍ରାସିକା ପରିବାରର। ମୂଳା ଏକ ମୂଳଜାତୀୟ ପରିବା। ମୂଳାରେ ରହିଥାଏ ପ୍ରଚୁର ଭିଟାମିନ୍, ଖଣିଜ ଲବଣ ଓ କାଟେଚିନ୍, ପାଇରୋଗାଲ୍ଲୋଲ, ଭାନିଲିନ୍ ଏବଂ ଅନ୍ୟାନ୍ୟ ଫିନୋଲିକ୍ ଯୌଗିକ ଭଳି ଆଣ୍ଟି ଅକ୍ସିଡାଣ୍ଟ। ଏଗୁଡ଼ିକରେ କ୍ୟାଲୋରି, ଶ୍ୱେତସାର ଓ ସ୍ନେହସାର କମ୍ ରହୁଥିବାରୁ ହୃଦ୍ରୋଗୀ, ଡାଇବେଟିସ୍ ରୋଗୀ, ଉଚ୍ଚ ରକ୍ତଚାପ ରୋଗୀ ଓ ମେଦବହୁଳ ଆକ୍ରାନ୍ତ ରୋଗୀମାନେ ଏଗୁଡ଼ିକୁ ଯେତେଇଚ୍ଛା ସେତେ ଖାଇପାରିବେ।
ଶିମ୍ବରୁ ମିଳେ ‘ଡେଡ୍ଜେନ୍’ ଜାତୀୟ ବିଶେଷ ଧରଣର ଆଇସୋଫ୍ଲାଭୋନ୍, ଯାହା ସ୍ଥନ କର୍କଟ ବିରୋଧୀ। ଶିମ୍ବରେ ଥିବା ବିଟା ସାଇଟୋଷ୍ଟିରଲ୍ ନିବାରଣ କରେ ଉଚ୍ଚ ରକ୍ତଚାପ ଏବଂ ଏଲ୍-ଡୋପା ନାମକ ଉପାଦାନଟି ପାର୍କିନ୍ସନ୍ ରୋଗ ପ୍ରତିରୋଧ କରିବା ସହ ମିଜାଜକୁ ଭଲ ରଖେ। ବିନ୍ସରେ ଅଛି ଅଧିକ ପରିମାଣର ଭିଟାମିନ୍ ସି, ଲିଉଟିନ୍, ଜିଜାନ୍ଥିନ୍ ଜାତୀୟ ଅତି ଫଳପ୍ରଦ ଆଣ୍ଟି ଅକ୍ସିଡାଣ୍ଟ। ନିୟମିତ ଭାବରେ ବିନ୍ସ ଖାଇଲେ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧିପାଏ ଏବଂ ମଧୁମେହ, ହୃଦ୍ରୋଗ, କାଟାରିକ୍ଟ ଆଦି ରୋଗ ଜାତ ହେବାର ଆଶଙ୍କା ହ୍ରାସ ପାଏ।
ଶୀତଦିନେ ମିଳେ କମଳା, ଲେମ୍ବୁ, ଡାଳିମ୍ବ, ସେଓ, ଅଙ୍ଗୁର, ଅଁଳା ଆଦି ଫଳ। କମଳାରେ ରହିଛି ଭିଟାମିନ୍ ‘ସି’ ଓ ଫଲିକ୍ ଏସିଡ୍, ବିଟା କାରୋଟିନ୍, ଲିଉଟିନ୍ ଏବଂ ଜିଜାନଥିନ୍ ଜାତୀୟ ଫ୍ଲାଭୋଏନ୍ଡସ୍। ଏଥିରୁ ମିଳୁଥିବା ହେସ୍ପରିଡିନ୍ ନାମକ ଫ୍ଲାଭୋଏନ୍ଡସ୍ ଏଲ୍ଡିଏଲ୍ କୋଲେଷ୍ଟରଲ୍ ଭଳି କ୍ଷତିକାରୀ କୋଲେଷ୍ଟର୍ଲର ମାତ୍ରା ହ୍ରାସ କରିଥାଏ। ଲେମ୍ବୁରୁ ମିଳୁଥିବା ଭିଟାମିନ୍ ‘ସି’ ଓ ଲିମୋନିନ୍ କ୍ୟାନ୍ସର୍ ବିରୋଧୀ। ଏଗୁଡ଼ିକ ହୃଦ୍ରୋଗ, ଉଚ୍ଚ ରକ୍ତଚାପ, କ୍ୟାନ୍ସର୍, ଆଲଜିମର୍ସ ଓ ପାକିନ୍ସନ୍ ରୋଗ ପ୍ରତିରୋଧରେ ଖୁବ୍ ସହାୟକ ହୋଇଥାନ୍ତି।
ସୌଜନ୍ୟ ସମ୍ବାଦ
-
Food: ପାକସ୍ଥଳୀ ଅଣୁଜୀବଙ୍କୁ ପ୍ରଭାବିତ କରୁଛି ଅତି ପ୍ରକ୍ରିୟାକୃତ ଖାଦ୍ୟ -
Digital hearing: ଅଧିକ ସୁବିଧାଜନକ ଡିଜିଟାଲ୍ ଶ୍ରବଣ ଯନ୍ତ୍ର -
Fatty Liver Warning: ମୁହଁରେ ଦେଖାଯାଉଥିବା ଏହି ୩ ସଂକେତକୁ କରନ୍ତୁନି ଆଣଦେଖା , ନହେଲେ ବଢ଼ିପାରେ ଫ୍ୟାଟି ଲିଭର ବିପଦ -
ରମଜାନରେ କାହିଁକି ଖଜୁରୀ ଖାଇ ଖୋଲାଯାଏ ରୋଜା ? ଜାଣନ୍ତୁ ଏହାର ଧାର୍ମିକ ମହତ୍ତ୍ଵ -
Yoga Practice to Cure Back Pain: ଚେୟାରରେ ବସି ବସି ପିନ୍ଧୁଛି କି ଅଣ୍ଟା-ପିଠି… ୧୫ ମିନିଟର ଯୋଗ ଅଭ୍ୟାସ; ଯନ୍ତ୍ରଣା ଗାୟବ
