Winter Session :ଡିସେମ୍ବର ପ୍ରଥମ ସପ୍ତାହରେ ସଂସଦ ଶୀତକାଳୀନ ଅଧିବେଶନ, ଆସିପାରେ ସୀମା ପୁଃନ ନିର୍ଦ୍ଧାରଣ ବିଲ୍

ନୂଆଦିଲ୍ଲୀ,୧୬/୧୧: ସଂସଦର ଶୀତକାଳୀନ ଅଧିବେଶନ ଡିସେମ୍ବର ପ୍ରଥମ ସପ୍ତାହରେ ଆରମ୍ଭ ହେବା ସମ୍ଭାବନା ରହିଛି । ଏଥିରେ କେନ୍ଦ୍ର ସରକାର ମହିଳା ସଂରକ୍ଷଣ ସହ ଜଡ଼ିତ ସମ୍ବିଧାନ ସଂଶୋଧନ ବିଲ୍ ପାରିତ କରାଇବାକୁ ଉଦ୍ୟମ କରିପାରନ୍ତି । ଏହି କ୍ରମରେ ସୀମା ପୁନଃ ନିର୍ଦ୍ଧାରଣ ବିଲ୍ ଆଗତ ହେବା ଯଥେଷ୍ଟ ସମ୍ଭାବନା ରହିଛି ।
ଏହାଛଡ଼ା ବର୍ତ୍ତମାନ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍)କୁ ନେଇ ରାଜନୈତିକ ବାତାବରଣ ସରଗରମ ରହିଛି । ଶାସକ ଓ ବିରୋଧୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଲାଗିରହିଛି । ଏଭଳି ସ୍ଥିତିରେ ଶୀତ ଅଧିବେଶନ ଆରମ୍ଭ ହେବାକୁ ଯାଉଥିବାରୁ ବିରୋଧୀ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେବେ । ଏସ୍ଆଇଆର୍ ପ୍ରସଙ୍ଗରେ ସରକାରଙ୍କୁ ବିରୋଧୀ ଦଳଗୁଡ଼ିକ ଘେରିବା ସମ୍ଭାବନା ଅଧିକ ରହିଛି ।
ସରକାର ସମ୍ବିଧାନ ସଂଶୋଧନ ବିଧେୟକ ଏବଂ ମହିଳା ସଂରକ୍ଷଣ ସଂଶୋଧନ ବିଲ୍ ପାରିତ କରାଇବାକୁ ବେଶ୍ ଉତ୍ସୁକ ଅଛନ୍ତି । ଏହି ବିଧେୟକଗୁଡ଼ିକର ଉଦ୍ଦେଶ୍ୟ ସୀମା ପୁନଃ ନିର୍ଦ୍ଧାରଣ ଜରିଆରେ ଲୋକସଭା ଆସନ ସଂଖ୍ୟା ୫୪୩ରୁ ବଢ଼ାଇ ସର୍ବାଧିକ ୮୫୦ କରିବା । ଏହାଦ୍ୱାରା ୨୦୨୯ ସାଧାରଣ ନିର୍ବାଚନ ପୂର୍ବରୁ ସଂସଦ ଓ ରାଜ୍ୟ ବିଧାନସଭାଗୁଡ଼ିକରେ ମହିଳାଙ୍କ ନିମନ୍ତେ ୩୩% ସଂରକ୍ଷଣ ଲାଗୁ କରିବା ରାସ୍ତା ପରିଷ୍କାର ହୋଇଯିବ ।
ଏହିସବୁ ମହତ୍ତ୍ୱପୂର୍ଣ୍ଣ ବିଲ୍ଗୁଡ଼ିକୁ ଗୃହୀତ କରାଇବା ପାଇଁ ଆବଶ୍ୟକ ସଂଖ୍ୟା ଜୁଟାଇବାଚ୍ୟାଲେଞ୍ଜପୂର୍ଣ୍ଣ ହୋଇପାରେ । ଏହି ବିଧେୟକ ଲାଗି ଲୋକସଭାରେ ଦୁଇତୃତୀୟାଂଶ ବହୁମତ ଜରୁରି । ଅର୍ଥାତ୍ ୫୪୩ ସଦସ୍ୟ ବିଶିଷ୍ଟ ଗୃହରେ ୩୬୧ ଭୋଟ ଆବଶ୍ୟକ ପଡ଼ିବ । ୩ଟି ଆସନ ଖାଲି ରହିଥିବା କାରଣରୁ ଏବେ ଗୃହରେ ୫୪୦ ସଦସ୍ୟ ଅଛନ୍ତି ।
କ୍ଷମତାସୀନ ଏନ୍ଡିଏ ପାଖରେ ୩୩୦ ସଦସ୍ୟ ରହିଛନ୍ତି । ଆବଶ୍ୟକ ସଂଖ୍ୟା ପାର୍ କରିବା ଲାଗି ଏହାକୁ ବିରୋଧୀ ଦଳଗୁଡ଼ିକର ସମର୍ଥନ ଆବଶ୍ୟକ । ତେବେ ରାଜନୈତିକ ଆହ୍ୱାନ କେବଳ ସଂଖ୍ୟା ପର୍ଯ୍ୟନ୍ତ ସୀମିତ ନାହିଁ । ବିରୋଧୀ ଦଳଗୁଡ଼ିକ ଏସ୍ଆଇଆର୍ ବିରୋଧରେ ନିଜ ଅଭିଯାନ ତ୍ୱରାନ୍ୱିତ କରିଦେଇଛନ୍ତି । ସେମାନେ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରୁଛନ୍ତି । ତେଣୁ ସଂସଦରେ ସେମାନେ ଏହି ପ୍ରସଙ୍ଗରେ ପୁନର୍ବାର ବିରୋଧ ପ୍ରଦର୍ଶନ କରିପାରନ୍ତି । ଉଭୟ ଗୃହରେ ହଟ୍ଟଗୋଳ ପରିସ୍ଥିତି ଉପୁଜିବା ପ୍ରାୟତଃ ନିଶ୍ଚିତ ବୋଲି କୁହାଯାଉଛି ।
କ୍ଷମତାସୀନ ମେଣ୍ଟର ଜଣେ ସାଂସଦଙ୍କ ଅନୁସାରେ, ଯେ ପର୍ଯ୍ୟନ୍ତ ଗୃହ ସୁଚାରୁ ରୂପେ ନ ଚାଲିଛି, ସେ ପର୍ଯ୍ୟନ୍ତ ସମ୍ବିଧାନ ସଂଶୋଧନ ବିଲ୍ ଉପରେ ଆଲୋଚନା କିମ୍ବା ଭୋଟ ଗ୍ରହଣ ସମ୍ଭବ ହେବନାହିଁ । ତେବେ ସରକାର ସଂଖ୍ୟାବଳ ବାଧା ଅତିକ୍ରମ କରିବାକୁ ନେଇ ଆଶାବାଦୀ ଅଛନ୍ତି । ଏହି ବିଲ୍ ୧୫ରୁ ୧୮ ଭୋଟ ବ୍ୟବଧାନରେ ପାରିତ ହୋଇଯିବା ସମ୍ଭାବନା ଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।
ସେପଟେ ସରକାରଙ୍କ ଦ୍ୱାରା ମୌସୁମୀ ଅଧିବେଶନକୁ ଆନୁଷ୍ଠାନିକ ଭାବେ ସାମୟିକ ସ୍ଥଗିତ (ପ୍ରୋରୋଗ୍) କରାଯାଇ ନ ଥିବାରୁ ସ୍ୱତନ୍ତ୍ର ଅଧିବେଶନକୁ ନେଇ ମଧ୍ୟ ଆଶା ବଢ଼ିଛି । ମୌସୁମୀ ଅଧିବେଶନକୁ ଅଗଷ୍ଟ ୧୩ରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଥିଲା । ସେବେଠାରୁ ଏହାକୁ ସାମୟିକ ସ୍ଥଗିତ କରାଯାଇ ନାହିଁ । ଏହି ଅବଧି ବର୍ତ୍ତମାନ ୯୪ ଦିନରେ ପହଞ୍ଚିଛି, ଯାହାକି ୨୦୦୮ ମସିହାର ୮୬ ଦିନ ପୂର୍ବ ରେକର୍ଡକୁ ଅତିକ୍ରମ କରିଯାଇଛି । ସୂଚନାଯୋଗ୍ୟ, ସମ୍ବିଧାନରେ କୌଣସି ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ କରାଯିବା ପରେ ଏହାକୁ ସାମୟିକ ସ୍ଥଗିତ ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟସୀମା ସ୍ଥିର କରାଯାଇ ନାହିଁ ।
ସୌଜନ୍ୟ ପ୍ରମେୟ




