ଜାତୀୟ

ଯମୁନାରେ ବିଷାକ୍ତ ଫେଣ, ପ୍ରଦୂଷିତ ପାଣିରେ ସରିଲା ଛଟ୍ ପୂଜା

ନୂଆଦିଲ୍ଲୀ ୧୬/୧୧: ଗୋଟିଏ ପଟେ ନଦୀ ଉପରେ ଧଳା ଧଳା ଫେଣର ଆସ୍ତରଣ, ଅନ୍ୟପଟେ ସେହି ପାଣିରେ ଠିଆ ହୋଇ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଇଛନ୍ତି ଶ୍ରଦ୍ଧାଳୁ। ଆସ୍ଥା ଓ ବିଶ୍ୱାସର ମହାନ ପର୍ବ ଛଟ୍ ପୂଜା ମଧ୍ୟରେ ଦିଲ୍ଲୀର ଯମୁନା ନଦୀରୁ ଆସିଥିବା ଏଭଳି ଚିତ୍ର ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇଛି। ଯେଉଁ ନଦୀର ପାଣିରେ ଲୋକେ ସ୍ନାନ କରିବାକୁ ଭୟ କରିବା କଥା, ସେହି ପାଣିରେ ଠିଆ ହୋଇ ଶ୍ରଦ୍ଧାଳୁମାନେ ପାଳନ କରିଛନ୍ତି ଛଟ୍ ପୂଜାର ପରମ୍ପରା। ଏହି ଦୃଶ୍ୟ ପୁଣିଥରେ ଯମୁନାର ପ୍ରଦୂଷଣକୁ ନେଇ ବଡ଼ ପ୍ରଶ୍ନ ଠିଆ କରିଛି।ନଭେମ୍ବର ୧୩ରୁ ୧୬ ତାରିଖ ଯାଏଁ ଚାଲିଥିଲା ଛଟ୍ ପୂଜା। ଦିଲ୍ଲୀର ବିଭିନ୍ନ ଘାଟରେ ହଜାର ହଜାର ଶ୍ରଦ୍ଧାଳୁ ଏକାଠି ହୋଇଥିଲେ। ସନ୍ଧ୍ୟା ଅର୍ଘ୍ୟ ଓ ଉଷା ଅର୍ଘ୍ୟ ସମୟରେ ଅନେକ ଶ୍ରଦ୍ଧାଳୁ ଯମୁନା ନଦୀର ପାଣିରେ ଓହ୍ଲାଇ ସୂର୍ଯ୍ୟଦେବଙ୍କୁ ପୂଜା କରିଥିଲେ। କିନ୍ତୁ ନଦୀର ପାଣି ଉପରେ ଭାସୁଥିବା ଘନ ଧଳା ଫେଣ ଏହି ପୂଜାର ଦୃଶ୍ୟକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି କରିଛି।

କାଳିନ୍ଦୀ କୁଞ୍ଜ ଓ ନୋଏଡାର କିଛି ଅଞ୍ଚଳରୁ ଆସିଥିବା ଭିଡିଓ ଓ ଫଟୋରେ ମଧ୍ୟ ଏହି ଫେଣ ସ୍ପଷ୍ଟ ଦେଖିବାକୁ ମିଳିଛି।ତେବେ ଆମର ଜାଣି ରଖିବା ଦରକାର ଯେ ଏହି ଫେଣର ମୁଖ୍ୟ କାରଣ ହେଉଛି ,ନଦୀରେ ମିଶୁଥିବା ଦୂଷିତ ପାଣି। ଘରୁ ବାହାରୁଥିବା ସାବୁନ, ସାମ୍ପୁ ଓ ଡିଟରଜେଣ୍ଟ ମିଶା ପାଣିରେ ସର୍ଫାକ୍ଟାଣ୍ଟ ନାମକ ପଦାର୍ଥ ରହିଥାଏ। ଏହା ସହିତ ନର୍ଦ୍ଦମା ପାଣିରେ ଥିବା ଫସଫେଟ୍, ଆମୋନିଆ ଓ ଅନ୍ୟ ଜୈବିକ ପଦାର୍ଥ ମଧ୍ୟ ଫେଣ ସୃଷ୍ଟିରେ ସହାୟକ ହୁଏ। କଳକାରଖାନାରୁ ବାହାରୁଥିବା ବର୍ଜ୍ୟଜଳ ମଧ୍ୟ ଏହି ପ୍ରଦୂଷଣକୁ ବଢ଼ାଇଥାଏ। ଅନ୍ୟପଟେ ଶୀତଦିନେ ଯମୁନାରେ ପାଣିର ପ୍ରବାହ କମିଯାଏ। ଫଳରେ ଦୂଷିତ ପଦାର୍ଥ ଅଧିକ ଘନୀଭୂତ ହୁଏ। ଓଖଲା ବ୍ୟାରେଜ୍ ନିକଟରେ ପାଣିର ଘୂର୍ଣ୍ଣନ ଓ ଉପରୁ ତଳକୁ ପାଣି ପଡ଼ିବା ଯୋଗୁଁ ଏହି ଫେଣ ଆହୁରି ଅଧିକ ଦେଖାଯାଏ। ଏହି ଫେଣ କେବଳ ନଦୀର ସୌନ୍ଦର୍ଯ୍ୟ ନଷ୍ଟ କରୁନାହିଁ, ବରଂ ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବିପଦ ସୃଷ୍ଟି କରୁଛି । ପ୍ରଦୂଷିତ ପାଣି ସଂସ୍ପର୍ଶରେ ଆସିଲେ ଚର୍ମ ଓ ଆଖି ଜଳା ପୋଡା କରିବା , ସଂକ୍ରମଣ ଭଳି ସମସ୍ୟା ହୋଇପାରେ। ଏହା ସହିତ ପାଣିରେ ଅମ୍ଳଜାନର ମାତ୍ରା କମିଲେ ଜଳଜୀବ ମଧ୍ୟ ପ୍ରଭାବିତ ହୁଅନ୍ତି। ଛଟ୍ ପୂଜା ପୂର୍ବରୁ ଯମୁନାରେ ଫେଣ ହଟାଇବା ପାଇଁ ଡିଫୋମିଂ ଏଜେଣ୍ଟ ସ୍ପ୍ରେ କରାଯାଇଥିଲା। କିନ୍ତୁ ଏହା କେବଳ ଫେଣକୁ ସାମୟିକ ଭାବେ କମାଇପାରେ। ନଦୀରେ ମିଶୁଥିବା ଦୂଷିତ ନର୍ଦ୍ଦମା ପାଣି ଓ ଶିଳ୍ପ ବର୍ଜ୍ୟଜଳର ସମସ୍ୟାର ସ୍ଥାୟୀ ସମାଧାନ ନହେଲେ ଏହି ସମସ୍ୟା ଦୂର ହେବା କଷ୍ଟକର। ଗୋଟିଏ ପଟେ ନଦୀକୁ ପବିତ୍ର ମାନି ପୂଜା କରିବାର ପରମ୍ପରା, ଅନ୍ୟପଟେ ସେହି ନଦୀର ପ୍ରଦୂଷିତ ଜଳ। ଏହି ଦୁଇଟି ଚିତ୍ର ଆମ ସାମ୍ନାରେ ଏକ ବଡ଼ ପ୍ରଶ୍ନ ରଖିଛି। ଆମେ ନଦୀକୁ ପୂଜା କରୁଛେ, ହେଲେ ତାକୁ ସୁରକ୍ଷିତ ରଖିବାରେ ବିଫଳ ହେଉଛେ |

 

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button