Women’s Protection Bill: ମହିଳା ସଂରକ୍ଷଣ ବିଲ୍ କାଟ୍ ଖାଇବା ପ୍ରସଙ୍ଗ: ବିଜେପିର ମହିଳା ଆକ୍ରୋଶ ମଶାଲ ଶୋଭାଯାତ୍ରା

ଭୁବନେଶ୍ୱର: ବିରୋଧୀଦଳଙ୍କ ମହିଳା ବିରୋଧୀ ଆଭିମୁଖ୍ୟ ବିରୋଧରେ ଆଜି ବିଜେପି ପକ୍ଷରୁ ରାଜଧାନୀରେ ମହିଳା ଆକ୍ରୋଶ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ରାଜମହଲଛକରୁ ଆରମ୍ଭ ହୋଇ ଏହି ମଶାଲ ଶୋଭାଯାତ୍ରା ମାଷ୍ଟରକ୍ୟାଣ୍ଟିନ ଛକ ପର୍ଯ୍ୟନ୍ତ ଯାଇଥିଲା। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଯେ, ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ ନାରୀଶକ୍ତି ବନ୍ଦନ ଅଧିନିୟମ ଆଣିଥିଲେ। ଏହି ଅଧିନିୟମ ରାଜନୀତି କ୍ଷେତ୍ରରେ ମହିଳାମାନଙ୍କ ଭାଗିଦାରିତାକୁ ଦୃଢୀଭୂତ କରୁଥିଲା।

ସମସ୍ତ ବିରୋଧୀ ଏହି ଅଧିନିୟମକୁ ବିରୋଧ କରି ସେମାନଙ୍କ ମହିଳା ବିରୋଧୀ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ବିରୋଧୀ ଦଳଗୁଡିକ ପରିବାର କୈନ୍ଦ୍ରିକ ଦଳ। ସେମାନେ କେବଳ ନିଜର ପରିବାରର ମହିଳାମାନଙ୍କୁ ରାଜନୀତି କ୍ଷେତ୍ରରେ ଆଗକୁ ଆଣିବାକୁ ଚାହାନ୍ତି ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି।  ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ‌ଯେ ମା’ ଓ ଭଉଣୀଙ୍କୁ ୩୩ ପ୍ରତିଶତ ସଂରକ୍ଷଣର ସାମ୍ବିଧାନିକ ଅଧିକାର ନିଶ୍ଚିତ ମିଳିବ। ମହିଳାମାନଙ୍କୁ ସାମ୍ବିଧାନିକ ଅଧିକାର ଦେବା ପାଇଁ ବିଜେପି ଲଢେଇ ଜାରି ରଖିବ। ଏହି ଶୋଭାଯାତ୍ରାରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଐଶ୍ୱର୍ଯ୍ୟା ବିଶ୍ୱାଳ, ଅଲିମ୍ପିଆନ୍‌ ଅନୁରାଧା ବିଶ୍ୱାଳ, ଅଭିନେତ୍ରୀ ଅନୁ ଚୌଧୁରୀ ପ୍ରମୁଖଙ୍କ ସମେତ ଦଳୀୟ ନେତୃବୃନ୍ଦ ଓ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ।

ସୌଜନ୍ୟ ସମ୍ବାଦ