ପୁରୀ: ସବୁ ସୀମା ଟପିଗଲେ। ନିଜ ଜିଦ୍ ପାଇଁ ମହାପ୍ରଭୁଙ୍କ ଚାପ ବି ଅଟକାଇ ଦେଲେ। ଦୁଇ ଗୋଷ୍ଠୀ ସେବକଙ୍କ ମଧ୍ୟରେ ଡଙ୍ଗାରେ ଯିବା ନେଇ କନ୍ଦଳ ଉପୁଜିବାରୁ ବିଳମ୍ବିତ ରାତି ଯାଏଁ ଚାପ ହୋଇପାରିଲା ନାହିଁ। ଦିନରେ ପବନ ଜୋର୍ ବହିବାରୁ ଦିନ ଚାପ ହେଲାନି। ଏଣେ ବିବାଦ ଯୋଗୁଁ ବିଳମ୍ବିତ ରାତି ପର୍ଯ୍ୟନ୍ତ ମଧ୍ୟ ଚାପ କଲେ ନାହିଁ। ମଙ୍ଗଳବାର ରାତି ୯ଟା ପରଠୁ ମହାପ୍ରଭୁ ଡଙ୍ଗାରେ ବିଜେ କରି ସାରିଥିଲେ ହେଁ ଚାପ ହୋଇ ନଥିଲା। ମିଳିଥିବା ସୂଚନା ମୁତାବକ ବିଜେ କାହାଳୀ ବାଜି ସାରିଥିଲା। ପ୍ରଥମ ଡଙ୍ଗା କିଛି ବାଟ ଆହୁଲା ମଧ୍ୟ ହୋଇଥିଲା। ମାତ୍ର ଚାପ ଖେଳ ହୋଇ ପାରିଲା ନାହିଁ। ଶେଷରେ ରାତି ୧୨ଟା ୧୫ ପରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଆସି ବହୁ ବୁଝାସୁଝା କରିଥିଲେ ମଧ୍ୟ କିଛି ସୁଫଳ ମିଳି ନଥିଲା।
ଠାକୁରଙ୍କ ଚାପ ଖେଳ ହୋଇ ନ ପାରିବାରୁ ବିଳମ୍ବିତ ରାତି ଯାଏଁ ଅପେକ୍ଷା କରିଥିବା ଭକ୍ତମାନେ ନିରାଶ ହୋଇଥିଲେ। ଠାକୁର ମଧ୍ୟ ରାତି ୧୨ଟା ୩୫ ପରେ ମନ୍ଦିରକୁ ବାହୁଡ଼ା ବିଜେ କରିଥିଲେ। ରେକର୍ଡ ଅଫ ରାଇଟ୍ରେ କେଉଁ ଡଙ୍ଗାରେ କେତେ ସେବକ ରହିବେ ସେ ସମ୍ପର୍କରେ ଉଲ୍ଲେଖ ଥିଲେ ହେଁ କେହି ଏହାକୁ ମାନୁନାହାନ୍ତି। ତେବେ ନିଜ ଜିଦ୍ ଯୋଗୁଁ ମହାପ୍ରଭୁଙ୍କ ନୀତି ଅଟକାଇ ଦେଇଥିବାରୁ ଜିଲ୍ଲାପାଳ ଉଭୟ ଗୋଷ୍ଠୀଙ୍କୁ ନେଇ ଆସନ୍ତାକାଲି ବୈଠକ କରିବେ ବୋଲି କହିଛନ୍ତି। ଅନ୍ୟପକ୍ଷରେ ଗତକାଲି ନୀତି ବିଳମ୍ବ ଯୋଗୁଁ ବଡ଼ସିଂହାର ବେଶ ହେବା ବେଳକୁ ଭୋର୍ ୪ଟା ୩୦ ହୋଇ ସାରିଥିଲା। ତେଣୁ ପହୁଡ଼ ହୋଇ ପାରିନଥିଲା। ଆଜି ପୁଣି ଠାକୁର ଚାପ ନ ଖେଳି ଲେଉଟିଛନ୍ତି।
ସୌଜନ୍ୟ ସମ୍ବାଦ

