ମହାନଗର

Dhum dance: ଧୁମ୍‌ ନାଚ, ଗୀତ ସହ ଛବିଶ ସ୍ବାଗତୋତ୍ସବ

ପଚିଶ ନିଜ ପଦଚିହ୍ନ ଛାଡ଼ି ଲେଉଟାଣି ପାଇଁ ପ୍ରସ୍ତୁତ ହେଲାଣି। ଛବିଶକୁ ପାଛୋଟିବାକୁ ଶେଷ ପ୍ରସ୍ତୁତି ଜୋର୍‌ ଧରିଲାଣି। ଧନଲକ୍ଷ୍ମୀଙ୍କ ଗୁରୁବାରରୁ ନୂଆବର୍ଷ ଆରମ୍ଭ ହେଉଥିବାରୁ ବର୍ଷ ଶେଷ...

ଭୁବନେଶ୍ୱର: ପଚିଶ ନିଜ ପଦଚିହ୍ନ ଛାଡ଼ି ଲେଉଟାଣି ପାଇଁ ପ୍ରସ୍ତୁତ ହେଲାଣି। ଛବିଶକୁ ପାଛୋଟିବାକୁ ଶେଷ ପ୍ରସ୍ତୁତି ଜୋର୍‌ ଧରିଲାଣି। ଧନଲକ୍ଷ୍ମୀଙ୍କ ଗୁରୁବାରରୁ ନୂଆବର୍ଷ ଆରମ୍ଭ ହେଉଥିବାରୁ ବର୍ଷ ଶେଷ ବୁଧବାରକୁ ନିଆରା ଢଙ୍ଗରେ ପାଳିବାକୁ ଯୋଜନା ହେଉଛି। କିଏ ଭୋଜାଭାତ, ବୁଲାବୁଲିକୁ ଗୁରୁତ୍ବ ଦେଉଛନ୍ତି ତ କିଏ ଫିଲ୍ମ ଦେଖା, ଲଙ୍ଗ୍‌ ଡ୍ରାଇଭ୍‌ ପାଇଁ ଯୋଜନା କଲେଣି। କିନ୍ତୁ ଯୁବପିଢ଼ି ଓ କଲେଜ ପଢ଼ୁଆ ପିଲାମାନେ ୩୧ ରାତି ଓ ୧ ତାରିଖ ଆରମ୍ଭର ସମୟ ଅର୍ଥାତ୍‌ ଜିରୋ ‘ଆୱାର୍‌’କୁ ଧୁମ୍‌ ନାଚି ପାଳିବାକୁ ଟାର୍ଗେଟ କରିଛନ୍ତି। ଯୁବପିଢ଼ି ଓ ସଉକିଆ ସହରିଆଙ୍କ ଏହି ଚାହିଦାକୁ ପୂରଣ ପାଇଁ ହୋଟେଲ୍‌, କ୍ଲବ୍‌ ଓ ପବ୍‌ ସବୁ ଜୋର୍‌ସୋର୍‌ ପ୍ରସ୍ତୁତି ଆରମ୍ଭ କରିଦେଲେଣି। କେଉଁଠି ଡିଜେ, ବେଲି ଡ୍ୟାନ୍ସର ଧମାକା ତ ଆଉ କେଉଁଠି ଓଲିଉଡ୍‍ ତଥା ବାହାର କଣ୍ଠଶିଳ୍ପୀଙ୍କ ଜଲଵା; ଲୋକଙ୍କ ମନଜାଣି ‘ଜିରୋ ନାଇଟ୍‌’ ସେଲିବ୍ରେସନ୍‌ଙ୍କୁ ଅଧିକ ରୋମାଞ୍ଚକର ଓ ସ୍ମରଣୀୟ କରିବା ପାଇଁ ରାଜଧାନୀର ହୋଟେଲ୍‌, ବାର୍ , ରେଷ୍ଟୁରାଣ୍ଟ, ପପ୍‌ ଆଦି ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି।

 ସ୍ବସ୍ତିରେ ଲାଇଭ୍‌ କନ୍‌ସର୍ଟ ସହ ମକ୍‌ଟେଲ୍‌ ପାର୍ଟି

ହୋଟେଲ ସ୍ୱସ୍ତି ପ୍ରିମିୟମ୍‌ରେ ନୂଆବର୍ଷକୁ ଧୁମ୍‌ଧାମରେ ପାଳନ କରାଯିବା ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ଦ ପ୍ରିମିୟମ ବିଟ୍‌’ ଅନୁଷ୍ଠିତ ହେବ। ଲାଇଭ୍‌ କନ୍‌ସର୍ଟ ସହ ଧୁମ୍‌ ନାଚରେ ଏଠାରେ ନୂଆବର୍ଷକୁ ସ୍ବାଗତ କରିବେ ଯୁବପିଢ଼ି। କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ସାଜିବେ କୋଲକାତାର ସୁନାମଧନ୍ୟା କଣ୍ଠଶିଳ୍ପୀ ଦିଆ ରାୟଚୌଧୁରୀ। ଏହାବ୍ୟତୀତ ବେଲି ଡ୍ୟାନ୍ସର ମଧୁ, ଡିଜେ ଶ୍ରୀଙ୍କ ସମେତ ଡ୍ୟାନ୍ସ ଦଳ ଓ ମଞ୍ଚ ପରିଚାଳକ ସୁକନ୍ୟା ଦର୍ଶକଙ୍କ ମନୋରଞ୍ଜନ କରିବେ। କେବଳ ପ୍ରେମୀଯୁଗଳ ଓ ଦମ୍ପତିଙ୍କୁ ଅନୁମତି ଥିବା ଏହି କାର୍ଯ୍ୟକ୍ରମ ନିମନ୍ତେ ପ୍ରବେଶ ଦେୟ ରହିଛି ୧୦ ହଜାର ଟଙ୍କା। ଏହାଛଡ଼ା ନୂଆବର୍ଷ ପାଳନ ଅବସରରେ ହୋଟେଲ ପକ୍ଷରୁ ବିଭିନ୍ନ ପ୍ରକାର ସୁସ୍ୱାଦୁ ବ୍ୟଞ୍ଜନ ସହ ବିଭିନ୍ନ ପ୍ରକାର ମକ୍‌ଟେଲ୍‌ ଯୁବପିଢ଼ିଙ୍କୁ ମତୁଆଲା ହେବାରେ ସାହାଯ୍ୟ କରିବ।

ପ୍ରାଚୀ ରିସୋର୍ଟରେ ପୁଲ୍‌ ସାଇଟ୍‌ ଗାଲା ଡିନର୍‌ ସହ ମୁକ୍ତାକାଶ କନ୍‌ସର୍ଟ

ଶୀତୁଆ ରାତିରେ ସୁଇମିଂ ପୁଲ୍‌ ପାଖରେ ଗାଲା ଡିନର୍‌ ସହ ଲାଇଭ୍‌ କନ୍‌ସର୍ଟ…। ଏହିଭଳି ପୂରା ବ୍ରିଟିସ୍‌ ଶୈଳୀରେ ନୂଆବର୍ଷକୁ ସ୍ବାଗତ କରିବାର ସୁଯୋଗ ଦେବ ରାମମନ୍ଦିର ସମ୍ମୁଖ ପ୍ରାଚୀ ରିସୋର୍ଟ। ପୁଣି ଖାଦ୍ୟରେ ପରସାଯିବ ବିଭିନ୍ନ ସାମୁଦ୍ରିକ ବ୍ୟଞ୍ଜନ ସହ ଦେଶୀବିଦେଶୀ ସ୍ବାଦିଷ୍ଟ ବ୍ୟଞ୍ଜନ। କଣ୍ଠଶିଳ୍ପୀ ବସି ନିଜ କଣ୍ଠର ଯାଦୁ ଖେଳାଇବେ ଓ ନୃତ୍ୟରେ ମତୁଆଲା ହେବେ ରାଜଧାନୀବାସୀ। ଖାଲି ସେତିକି ନୁହେଁ, ଦମ୍ପତିମାନଙ୍କ ପାଇଁ ଗିଫ୍ଟ ଭାଉଚରର ମଧ୍ୟ ବ୍ୟବସ୍ଥା ରହିଛି। ଏହାବ୍ୟତୀତ ସହରର ବହୁ ମଲ୍‌, ହୋଟେଲ ଯେପରିକି ପାଲ ହାଇଟସ୍, ସିମ୍ଫୋନି ମଲ୍‌, ଗ୍ୟାଲେରିଆ, ଏସ୍‌ପ୍ଲାନେଡ୍‌ ସମେତ ସହରର ବହୁ ପପ୍‌, ବାର, ରେସ୍ତୋରାଁ ଆଦିରେ ଧୁମ୍‌ଧାମ୍‌ରେ ଜିରୋ ନାଇଟ୍‌ ପାଳନ କରିବା ପାଇଁ ବ୍ୟବସ୍ଥା କରାଯାଇଛି। ସେହିପରି ହୋଟେଲ ଏମ୍ପାୟର୍ସ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି। କାର୍ଯ୍ୟକ୍ରମରେ ଇଣ୍ଡିଆନ୍‌ ଆଇଡଲ୍‌ର କଣ୍ଠଶିଳ୍ପୀ ଜ୍ୟୋତିପ୍ରକାଶ ଓଝା ନିଜର ସ୍ୱରର ଯାଦୁଗରୀରେ ସମସ୍ତଙ୍କୁ ବାନ୍ଧି ରଖିବେ। ଏହାବ୍ୟତୀତ କଳାକାର ସୁଚିତ୍ରା ସାହୁ, ସତ୍ୟବ୍ରତ, ସୌମେନ ଚୌଧୁରୀ ମଧ୍ୟ ପରିବେଷଣ କରିବେ। କାର୍ଯ୍ୟକ୍ରମରେ ଗାଲା ରାଉଣ୍ଡ, ସ୍ୱତନ୍ତ୍ର ବୁଫେ ସହିତ ଦମ୍ପତିମାନଙ୍କ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମଧ୍ୟ ରହିଛି।

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button