ଖେଳଜାତୀୟ

ଅଷ୍ଟ୍ରେଲିଆନ୍‌ ଓପନ୍‌ରେ ଆଗେଇଲେ ଭାରତୀୟ ତାରକା ସିନ୍ଧୁ, ତନ୍ବୀ

ସମ୍ମାନଜନକ ଅଷ୍ଟ୍ରେଲିଆନ୍‌ ଓପନ୍‌ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାରେ ଭାରତୀୟ ତାରକା ତଥା ଦୁଇ ଥର ଅଲିମ୍ପିକ୍ସ ପଦକ ବିଜୟିନୀ ପିଭି ସିନ୍ଧୁ ପ୍ରିକ୍ବାର୍ଟରରେ ପ୍ରବେଶ କରିଛନ୍ତି। ତାଙ୍କ ସହ ଭାରତୀୟ କିଶୋରୀ ତନ୍ବୀ ଶର୍ମା ମଧ୍ୟ ଆଗକୁ ବଢ଼ିଛନ୍ତି।

ସିଡ୍‌ନି: ସମ୍ମାନଜନକ ଅଷ୍ଟ୍ରେଲିଆନ୍‌ ଓପନ୍‌ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାରେ ଭାରତୀୟ ତାରକା ତଥା ଦୁଇ ଥର ଅଲିମ୍ପିକ୍ସ ପଦକ ବିଜୟିନୀ ପିଭି ସିନ୍ଧୁ ପ୍ରିକ୍ବାର୍ଟରରେ ପ୍ରବେଶ କରିଛନ୍ତି। ତାଙ୍କ ସହ ଭାରତୀୟ କିଶୋରୀ ତନ୍ବୀ ଶର୍ମା ମଧ୍ୟ ଆଗକୁ ବଢ଼ିଛନ୍ତି। ତୃତୀୟ ସିଡ୍‌ ସିନ୍ଧୁ ୨୧-୧୩, ୨୧-୧୧ରେ ପେରୁର ଇନେସ ଲୁସିଆ କାଷ୍ଟିଲୋ ସଲାଜରଙ୍କୁ ପରାସ୍ତ କରିଛନ୍ତି।

ଏହି ମ୍ୟାଚ୍‌ ଜିତିବାକୁ ପୂର୍ବତନ ବିଶ୍ବବିଜୟିନୀ ସିନ୍ଧୁ ମାତ୍ର ୩୨ ମିନିଟ୍‌ ସମୟ ନେଇଥିଲେ। ପ୍ରିକ୍ବାର୍ଟରରେ ସେ ଅନ୍ୟତମ ଭାରତୀୟ ତାରକା ଈଶାରାଣୀ ବରୁଆଙ୍କୁ ଭେଟିବେ। ଈଶାରାଣୀ ୨୨-୨୦, ୧୦-୨୧, ୨୧-୧୪ରେ ଚୀନର ହାନ୍‌ କ୍ବିନଙ୍କୁ ପରାସ୍ତ କରି ପ୍ରିକ୍ବାର୍ଟର ଟିକେଟ ହାସଲ କରିଛନ୍ତି। ଏହି ମ୍ୟାଚ୍‌ ଜିତିବାକୁ ତାଙ୍କୁ ଦୀର୍ଘ ଏକ ଘଣ୍ଟା ୩ ମିନିଟ୍‌ କାଳ ଯୁଝିବାକୁ ପଡ଼ିଥିଲା।

ଅନ୍ୟପକ୍ଷରେ ୧୭ ବର୍ଷୀୟା ତନ୍ବୀ ପଞ୍ଚମ ସିଡ୍‌ ଚାଇନିଜ୍‌ ତାଇପେର ଚିୟୁ ପିନ ଚିଆନଙ୍କୁ ୨୧-୧୨, ୨୨-୨୦ରେ ହରାଇବା ଦିନର ସବୁଠୁ ବଡ଼ ବିପର୍ଯ୍ୟୟ ଥିଲା। ବିଶ୍ବମାନ୍ୟତାର ୩୬ତମ ସ୍ଥାନରେ ଥିବା ତନ୍ବୀ ପରବର୍ତ୍ତୀ ରାଉଣ୍ଡ୍‌ରେ ନିଜ ଦେଶର ମାଳବିକା ବଂସୋଦଙ୍କୁ ଭେଟିବେ। ମାଳବିକା ନିଜ ରାଉଣ୍ଡ୍‌ ଅଫ୍‌ ୩୨ ମ୍ୟାଚ୍‌ରେ ଥାଇଲାଣ୍ଡର ତନରୁଗ ସେହେଙ୍ଗଙ୍କୁ ୧୫-୨୧, ୨୧-୧୭, ୨୧-୧୩ରେ ହରାଇ ଦେଇଛନ୍ତି।

ଅନ୍ୟତମ ଭାରତୀୟ ଉଦୀୟମାନ ତାରକା ତାନ୍ୟା ହେମନାଥ ପ୍ରିକ୍ବାର୍ଟରରେ ପ୍ରବେଶ କରିବା ଭାରତୀୟ ପ୍ରଶଂସକଙ୍କୁ ଉଲ୍ଲସିତ କରିଛି। ପୁରୁଷ ଏକକରୁ କିନ୍ତୁ କିରଣ ଜର୍ଜ, ତରୁଣ ମାନେପାଲି ଓ ସନିତ ଦୟାନନ୍ଦ ବିଦାୟ ନେଇଛନ୍ତି। ମିଶ୍ରିତ ଯୁଗଳରେ ଧ୍ରୁବ ରାୱତ ଓ ମନୀଷା କେ ଦ୍ବିତୀୟ ରାଉଣ୍ଡକୁ ପ୍ରବେଶ କରିଥିଲା ବେଳେ ମୋହିତ ଜଗଲାନ ଓ ଲକ୍ଷିତା ଜଗଲାନ ନିଜ ପ୍ରଥମ ରାଉଣ୍ଡ୍‌ ମୁକାବିଲା ହାରି ଯାଇଛନ୍ତି।

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button