ଭୁବନେଶ୍ୱର ୨୩।୦୨ : ଆଉ ଶୁଭିବନି ତାଙ୍କ ଗିଟାରର ଧୂନ୍। ତାଙ୍କ ମୃତ୍ୟୁ ସହ ଗିଟାରଟି ସବୁ ଦିନ ପାଇଁ ନିରବି ଯାଇଛି। ଚେନ୍ନାଇରେ ଅବସ୍ଥାପିତ ଓଡ଼ିଆ ପୁଅ ତଥା ଜଣାଶୁଣା ଗିଟାର ବାଦକ ଦେବାଂଶୁ ରଥ(କାବୁଲି) ଙ୍କ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ହୋଇଥିଲା।
ଗଙ୍ଗାଧର ରଥ ଓ ପ୍ରଭାବତୀ ରଥଙ୍କ ସୁପୁତ୍ର ତଥା ପୁରୀର ମୂଳବାସିନ୍ଦା ଶ୍ରୀ ରଥ ଭୁବନେଶ୍ୱରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ମାଆ ପ୍ରଭାବତୀ ରଥ ମଧ୍ୟ ଶାସ୍ତ୍ରୀୟ କଣ୍ଠଶିଳ୍ପୀ ଥିଲେ। କାବୁଲି ବିଶିଷ୍ଟ ପଖାଉଜ ବାଦକ ସ୍ୱର୍ଗତ କ୍ଷେତ୍ରମୋହନ କରଙ୍କ ନାତି ଏବଂ କିମ୍ବଦନ୍ତୀ ସଙ୍ଗୀତ ନିର୍ଦ୍ଦେଶକ ପ୍ରଫୁଲ୍ଲ କରଙ୍କ ଭଣଜା। ତାଙ୍କ ସାନ ଭାଇ ଗୁଡ୍ଲି ରଥ ମଧ୍ୟ ଜଣେ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ। ସେ ଦୀର୍ଘ ୪୦ ବର୍ଷ ଧରି ଗିଟାରର ଯାଦୁରେ ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରି ଆସୁଥିଲେ। ଓଡ଼ିଆ ସିନେମାରେ ଜଣେ ପ୍ରଚ୍ଛଦପଟ୍ଟ ସଂଗୀତ ନିର୍ଦ୍ଦେର୍ଶକ ଭାବେ ସେ ୮୦ରୁ ଅଧିକ ସିନେମାରେ କାମ କରିଛନ୍ତି । ସେ ହିନ୍ଦୀ, ତେଲୁଗୁ ଓ ତାମିଲ ସଙ୍ଗୀତ ଜଗତରେ ମଧ୍ୟ ନିଜ ଛାପ ଛାଡ଼ିଯାଇଛନ୍ତି। ସେ ଚେନ୍ନାଇରେ ରହୁଥିଲେ । ସେଠାରେ ବିଶିଷ୍ଟ ତାମିଲ ସଂଗୀତ ନିର୍ଦ୍ଦେଶକ ଇଲିଆ ରାଜା, ଏଆର ରହମାନଙ୍କ ଚଳଚ୍ଚିତ୍ରରେ ମୁଖ୍ୟ ଗିଟାର ବାଦକ ଭାବେ କାମ କରିଥିଲେ। ପ୍ରସିଦ୍ଧ ଚଳଚ୍ଚିତ୍ର ‘ରୋଜା’ ଓ ‘ରକ୍ଷ୍ଟାର୍’ରେ ତାଙ୍କ ଗିଟାରର ଧୂନ୍ ସିନେପ୍ରେମୀଙ୍କୁ ମତୁଆଲା କରିଥିଲା। ଏହାବାଦ୍ ଚେନ୍ନାଇର ଏକମାତ୍ର ହାରମୋନିକା ବାଦ୍ୟକାର ଭାବେ ମଧ୍ୟ ସେ ସୁଖ୍ୟାତି ଲାଭ କରିଥିଲେ।
ସେହିପରି ଅଭିନେତା ବିଜୟ ସେତୁପତିଙ୍କୁ ହାରମୋନିକା ଶିକ୍ଷା ମଧ୍ୟ ଦେଉଥିଲେ। ‘ହେ ରାମ୍’ ଚଳଚ୍ଚିତ୍ରରେ ସେ ଏସ୍ପି ବାଲସୁବ୍ରମଣ୍ୟମଙ୍କ ସହ କାମ କରିଛନ୍ତି। ଗତ ଶନିବାର ସେ ଘରେ ଅନ୍ଲାଇନ୍ରେ ଛାତ୍ରମାନଙ୍କୁ ଗିଟାର ଶିଖାଉଥିଲେ। ହଠାତ୍ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା। ଡାକ୍ତରଖାନାରେ ହିଁ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଶେଷଶଯ୍ୟା ନିକଟରେ ପତ୍ନୀ ସୁଜାତା ମିଶ୍ର, ଝିଅ ତଥା କଣ୍ଠଶିଳ୍ପୀ ସାଲୋନୀ ଏବଂ ପୁଅ ଜଗନ୍ନାଥ ଉପସ୍ଥିତ ଥିଲେ। ସିନେ ସମୀକ୍ଷକ ଶ୍ୟାମା ପ୍ରସାଦ ମିଶ୍ର ଶୋକ ପ୍ରକାଶ କରିଛନ୍ତି । ଚେନ୍ନାଇରେ ତାଙ୍କର ଶେଷକୃତ୍ୟ ହେବ ବୋଲି ପରିବାର ସୂତ୍ରରୁ ପ୍ରକାଶ ।
ସୌଜନ୍ୟ Prameya News7
