ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ; ଅଖିଳେଶଙ୍କୁ ଓୱେସୀଙ୍କ ମେଣ୍ଟ ପ୍ରସ୍ତାବ

ଲକ୍ଷ୍ନୌ : ଉତ୍ତର ପ୍ରଦେଶର ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତିକୁ ନେଇ ଏକ ବଡ଼ ଚର୍ଚ୍ଚା ଆରମ୍ଭ ହୋଇଛି। ଅଲ୍ ଇଣ୍ଡିଆ ମଜଲିସ୍-ଏ-ଇତ୍ତେହାଦୁଲ୍ ମୁସଲିମିନ୍ (ଏଆଇଏମ୍ଆଇଏମ୍) ମୁଖ୍ୟ ଅସାଦୁଦ୍ଦିନ ଓୱେସୀ ବିଜେପିକୁ ପରାସ୍ତ କରିବା ପାଇଁ ସମାଜବାଦୀ ପାର୍ଟି (ଏସ୍ପି) ଅଧ୍ୟକ୍ଷ ଅଖିଲେଶ ଯାଦବଙ୍କୁ ମେଣ୍ଟ କରିବାକୁ ଖୋଲା ପ୍ରସ୍ତାବ ଦେଇଛନ୍ତି। ମୋରାଦାବାଦଠାରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧିତ କରିବା ଅବସରରେ ହାଇଦରାବାଦର ସାଂସଦ ଓୱେସୀ କହିଛନ୍ତି ଯେ, ଏଆଇଏମ୍ଆଇଏମ୍ ଚାହୁଁନାହିଁ ଯେ ଉତ୍ତର ପ୍ରଦେଶରେ ବିଜେପି ଲଗାତାର ତୃତୀୟ ଥର ପାଇଁ କ୍ଷମତାକୁ ଆସୁ। ଅଖିଲେଶ ଯାଦବଙ୍କୁ ଆହ୍ୱାନ ଦେଇ ଓୱେସୀ କହିଛନ୍ତି, ଆଜି ଆଲୋଚନା କରିବାର ସମୟ। ନିର୍ବାଚନ ଶେଷ ହେବା ପରେ କାନ୍ଦିବ ନାହିଁ। ଯଦି ଆପଣ ଭାବୁଛନ୍ତି ଓୱେସୀ ନିର୍ବାଚନ ଲଢ଼ିଲେ ଆପଣଙ୍କର କ୍ଷତି ହେବ, ତେବେ ମୁଁ ଆପଣଙ୍କ ସହ ମିଶି ଲଢ଼ିବାକୁ ପ୍ରସ୍ତୁତ ଅଛି।
ଏଆଇଏମ୍ଆଇଏମ୍କୁ ବିଜେପିର ‘ବି-ଟିମ୍’ ବୋଲି କହି ବିରୋଧୀମାନେ ଲଗାଉଥିବା ଅଭିଯୋଗକୁ ଓୱେସୀ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛନ୍ତି। ଓୱେସୀ କହିଛନ୍ତି ଯେ ବିଜେପି-ବିରୋଧୀ ଭୋଟ୍ ଯେପରି ବିଭାଜିତ ନ ହୁଏ, ସେଥିପାଇଁ ସେ ହାତ ମିଳାଇବାକୁ ପ୍ରସ୍ତୁତ ଅଛନ୍ତି। ଓୱେସୀ କହିଛନ୍ତି ଯେ ଆମର ଲଢ଼େଇ କୌଣସି ଧର୍ମ ବିରୋଧରେ ନୁହେଁ, ଏହା ଆମର ସମ୍ମାନ ଓ ସମାନ ଅଧିକାର ପାଇଁ। ଏହି ମେଣ୍ଟ ପ୍ରସ୍ତାବକୁ ନେଇ ବିଜେପି ମୁଖପାତ୍ର ଶେହଜାଦ ପୁନାୱାଲା କଟାକ୍ଷ କରି କହିଛନ୍ତି ଯେ ଅଖିଲେଶ ଓ ଓୱେସୀଙ୍କ ମଧ୍ୟରେ ‘ବଡ଼ା ଭାଇଜାନ୍’ ହେବାର ପ୍ରତିଯୋଗିତା ଚାଲିଥିଲା, ଆଉ ଏବେ ଦୁହେଁ ‘ଭାଇଜାନ୍ କୋଲାବୋରେସନ୍’ କରିବାକୁ ଯାଉଛନ୍ତି। ଆସନ୍ତାବର୍ଷ ଫେବୃଆରୀ କିମ୍ବା ମାର୍ଚ୍ଚରେ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ବାଧୀନ ବିଜେପି ସରକାର କ୍ରମାଗତ ତୃତୀୟ ଥର ପାଇଁ ରାଜ୍ୟରେ କ୍ଷମତା ଦଖଲ କରିବାକୁ ଯୋଜନା ଚଳାଇଛି।
ସୌଜନ୍ୟ ସମାଜ




