ଦେଶ ବିଦେଶ

କୃଷ୍ଣ ସାଗରରେ ବାଣିଜ୍ୟିକ ଜାହାଜକୁ କ୍ଷେପଣାସ୍ତ୍ର ମାଡ଼

ନୂଆଦିଲ୍ଲୀ : କୃଷ୍ଣ ସାଗର ଅନ୍ତର୍ଗତ ରୁଷ୍‌ ଜଳସୀମା ଦେଇ ଗତି କରୁଥିବା ବାଣିଜ୍ୟିକ ଜାହାଜ ‘ଏମ୍.ଭି. ଓମୋର୍ଫି’ ଉପରେ ହୋଇଥିବା କ୍ଷେପଣାସ୍ତ୍ର ମାଡ଼ରେ ଜଣେ ଭାରତୀୟ ନାବିକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାକୁ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦୃଢ଼ ନିନ୍ଦା କରିବା ସହ ବେସାମରିକ ଓ ବାଣିଜ୍ୟିକ ଜାହାଜଗୁଡ଼ିକ ଉପରେ ଏପରି ଆକ୍ରମଣ ଗ୍ରହଣ ଯୋଗ୍ୟ ନୁହେଁ ବୋଲି କହିଛି। ଜୁଲାଇ ୧୮ ତାରିଖରେ ରୁଷ୍‌ ଜଳସୀମା ଦେଇ ଅତିକ୍ରମ କରୁଥିବା ସମୟରେ ବାଣିଜ୍ୟିକ ଜାହାଜ ‘ଏମ୍.ଭି. ଓମୋର୍ଫି’ ଉପରେ ଏହି ଆକ୍ରମଣ ହୋଇଥିଲା। ଜାହାଜରେ ମୋଟ ୧୦ ଜଣ କର୍ମଚାରୀ ଥିଲେ। ସେଥିମଧ୍ୟରୁ ୩ ଜଣ ଭାରତୀୟ ନାଗରିକ। ଏହି ଆକ୍ରମଣରେ ଜଣେ ଭାରତୀୟ ନାବିକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଭାରତୀୟ ସୁରକ୍ଷିତ ରହିଛନ୍ତି। ଭାରତ କହିଛି ଯେ ବ୍ୟାବସାୟିକ ଜାହାଜଗୁଡ଼ିକୁ ଲକ୍ଷ୍ୟ କରି ନିରୀହ ବେସାମରିକ ନାବିକଙ୍କ ଜୀବନକୁ ବିପଦରେ ପକାଇବା ଅତ୍ୟନ୍ତ ଚିନ୍ତାଜନକ ବିଷୟ। ଜଳପଥରେ ସୁରକ୍ଷିତ ଯାତାୟାତ ଓ ଅନ୍ତର୍ଜାତୀୟ ବାଣିଜ୍ୟ ସୁରକ୍ଷିତ ରଖିବା ପାଇଁ ସମସ୍ତ ପକ୍ଷଙ୍କୁ ଅନ୍ତର୍ଜାତୀୟ ନିୟମ ଓ ନୀତି ପାଳନ କରିବାକୁ ଭାରତ ଆହ୍ୱାନ ଦେଇଛି। ରୁଷ୍‌ସ୍ଥିତ ଭାରତୀୟ ଦୂତାବାସ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରି ମୃତକଙ୍କ ପରିବାରକୁ ସମସ୍ତ ପ୍ରକାରର ଆବଶ୍ୟକ ସହାୟତା ଯୋଗାଇ ଦେବା ପାଇଁ ପଦକ୍ଷେପ ନେଉଛନ୍ତି। ଏହା ପୂର୍ବରୁ ଜୁଲାଇ ୧୯ ରେ ୟୁକ୍ରେନର ଓଡେସା ବନ୍ଦରରୁ ବାହାରୁଥିବା ଅନ୍ୟ ଏକ ପଣ୍ୟବାହୀ ଜାହାଜ ‘ଏମଭି ଗୋଲଡେନ ଲିଓ’ ଉପରେ ହୋଇଥିବା ଆକ୍ରମଣରେ ୪ ଜଣ ଭାରତୀୟ ନାବିକଙ୍କର ମୃତ୍ୟୁ ଘଟିଥିଲା। ରୁଷ୍‌ର କ୍ଷେପଣାସ୍ତ୍ର ମାଡରେ ଏହି ଜାହାଜଟି କ୍ଷତିଗ୍ରସ୍ତ ହୋଇଥିଲା। ତେଣୁ ସପ୍ତାହକ ମଧ୍ୟରେ କୃଷ୍ଣ ସାଗରରେ ୫ଜଣ ଭାରତୀୟ ନାବିକଙ୍କର ମୃତ୍ୟୁ ହେଲାଣି। କୃଷ୍ଣ ସାଗରରେ ଲଗାତାର ବ୍ୟାବସାୟିକ ଜାହାଜ ଉପରେ ହେଉଥିବା ଆକ୍ରମଣ ସାମୁଦ୍ରିକ ଯାତାୟାତ ଓ ବିଶ୍ୱ ବାଣିଜ୍ୟ ପାଇଁ ଗୁରୁତର ସଙ୍କଟ ସୃଷ୍ଟି କରିଛି।

ସତର୍କତା ଜାରି କଲା ଭାରତ
ରୁଷ-ୟୁକ୍ରେନ ଯୁଦ୍ଧ କାରଣରୁ କୃଷ୍ଣ ସାଗର ଅଞ୍ଚଳରେ ବ୍ୟବସାୟିକ ଜାହାଜଗୁଡ଼ିକ ଉପରେ ବୃଦ୍ଧି ପାଉଥିବା ଆକ୍ରମଣ ଓ ଭାରତୀୟ ନାବିକଙ୍କ ମୃତ୍ୟୁକୁ ଦୃଷ୍ଟିରେ ରଖି ଭାରତ ସରକାର ସତର୍କସୂଚନା ଜାରି କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଯୁଦ୍ଧ କାରଣରୁ କୃଷ୍ଣ ସାଗର ଓ ଏହାର ଆଖପାଖ ଜଳାଞ୍ଚଳରେ ସୁରକ୍ଷା ସ୍ଥିତି ଅତ୍ୟନ୍ତ ଅସ୍ଥିର ରହିଛି। ଏଠାରେ ଚଳାଚଳ କରୁଥିବା ବ୍ୟବସାୟିକ ଜାହାଜଗୁଡ଼ିକ ଉପରେ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣର ଆଶଙ୍କା ବୃଦ୍ଧି ପାଇଛି। ଯୁଦ୍ଧ ପ୍ରଭାବିତ କ୍ଷେତ୍ରରେ ଥିବା ବ୍ୟବସାୟିକ ଜାହାଜଗୁଡ଼ିକରେ କାର୍ଯ୍ୟ କରିବାକୁ ଥିବା ଭାରତୀୟ ନାଗରିକ ବା ନାବିକମାନଙ୍କୁ ନିଯୁକ୍ତି ଗ୍ରହଣ କରିବା ପୂର୍ବରୁ ସମସ୍ତ ସୁରକ୍ଷା ସୂଚନାକୁ ଭଲ ଭାବେ ଆକଳନ କରିବାକୁ ପରାମର୍ଶ ଦିଆଯାଇଛି। ନିଯୁକ୍ତି ପୂର୍ବରୁ ନାବିକମାନେ ନିଜ ନିଯୁକ୍ତିଦାତା ବା ଏଜେନ୍ସିଠାରୁ ଜାହାଜର ରୁଟ୍, ବୀମା କଭରେଜ୍ ଜରୁରୀକାଳୀନ ପ୍ରତିକ୍ରିୟା ବ୍ୟବସ୍ଥା ଏବଂ ସୁରକ୍ଷା ବନ୍ଦୋବସ୍ତ ସମ୍ପର୍କରେ ସ୍ପଷ୍ଟ ସୂଚନା ନେବାକୁ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

 

 

 

 

 

ସୌଜନ୍ୟ ସମାଜ

Show More

Leave a Reply

Your email address will not be published. Required fields are marked *

Back to top button