ଏଆଇ କମ୍ପାନୀ ବିରୁଦ୍ଧରେ ଉର୍ବଶୀ ରୌତେଲାଙ୍କ ଟିମର ଅଭିଯୋଗ; ୭,୦୦୦ କୋଟି ଟଙ୍କାର ଜରିମାନା ଦାବି

ମୁମ୍ବାଇ,୩୦/୦୯: ବଲିଉଡ୍ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କ ନାଁ, ଫଟୋ ଓ ଭିଡିଓକୁ ବିନା ଅନୁମତିରେ ବ୍ୟବହାର କରାଯାଇଥିବା ନେଇ ଏକ AI କମ୍ପାନୀ ବିରୋଧରେ ଆଇନଗତ ପଦକ୍ଷେପ ନିଆଯାଉଥିବା ତାଙ୍କ ଟିମ୍ ଦାବି କରିଛି। ଏହି ମାମଲାରେ ଜରିମାନା ବାବଦକୁ ପ୍ରାୟ ୭,୦୦୦ କୋଟି ଟଙ୍କା ଆନୁମାନ କରାଯାଇଥିବା ମଧ୍ୟ ଟିମ୍ ପକ୍ଷରୁ କୁହାଯାଇଛି। ଉର୍ବଶୀଙ୍କ ଟିମ୍ ପକ୍ଷରୁ ଆାଇଏଏନଏସ ସହ ଶେୟାର କରାଯାଇଥିବା ବୟାନ ଅନୁସାରେ, ଲସ୍ ଆଞ୍ଜେଲସ୍ର ଏକ AI କମ୍ପାନୀ ତାଙ୍କ ନାମ, ଫଟୋ ଏବଂ ଭିଡିଓକୁ ବିନା ଅନୁମତିରେ ବ୍ୟବହାର କରିଥିବା ଅଭିଯୋଗ ରହିଛି। ଏହି ବ୍ୟବହାର ମାଧ୍ୟମରେ କମ୍ପାନୀ ବ୍ୟବସାୟିକ ଲାଭ ହାସଲ କରିଥିବା ଟିମ୍ ଦାବି କରିଛି।
ଟିମ୍ ପକ୍ଷରୁ ଆହୁରି କୁହାଯାଇଛି ଯେ, ଉର୍ବଶୀଙ୍କ ନାମ, ଫଟୋ କିମ୍ବା ତାଙ୍କ ପରି ଦେଖାଯାଉଥିବା ଛବିକୁ କୌଣସି ବ୍ୟବସାୟିକ କାର୍ଯ୍ୟରେ ବ୍ୟବହାର କରିବା ପୂର୍ବରୁ ଉପଯୁକ୍ତ ଅନୁମତି ନେବା ଆବଶ୍ୟକ। ଅନୁମତି ବିନା ଏଭଳି ବ୍ୟବହାରକୁ ନେଇ ଆଇନଗତ ପଦକ୍ଷେପ ନିଆଯାଉଥିବା ଟିମ୍ କହିଛି। ଉର୍ବଶୀଙ୍କ ଟିମ୍ ଇନଷ୍ଟାଗ୍ରାମରେ ମଧ୍ୟ ଏକ ନୋଟ୍ ଶେୟାର କରିଥିଲା। ସେଥିରେ ଲସ୍ ଆଞ୍ଜେଲସର ଉକ୍ତ କମ୍ପାନୀ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଏବଂ ଜରିମାନା ଦାବି କରାଯାଉଥିବା ଉଲ୍ଲେଖ ରହିଥିଲା। ଜରିମାନାର ଆନୁମାନିକ ପରିମାଣ ୭,୦୦୦ କୋଟି ଟଙ୍କା ବୋଲି ଏଥିରେ ଦାବି କରାଯାଇଛି।
ଏପଟେ AIର ଭୁଲ ବ୍ୟବହାରକୁ ନେଇ ଅଭିନେତା ସଲମାନ ଖାନ ମଧ୍ୟ ଚିନ୍ତା ପ୍ରକାଶ କରିଛନ୍ତି। ‘ବିଗ୍ ବସ୍ ୨୦’ର ଏକ ଏପିସୋଡରେ ସେ AI ଦ୍ୱାରା ତିଆରି ଭିଡିଓ ଏବଂ AI ଭଏସ୍ ଡବିଂକୁ ନେଇ ମତ ରଖିଥିଲେ। ସଲମାନଙ୍କ କହିବା ଅନୁସାରେ, AI ଏତେ ଆଗକୁ ବଢ଼ିଯାଇଛି ଯେ ଏହାର ଭୁଲ ବ୍ୟବହାର ଚିନ୍ତାଜନକ ହୋଇପାରେ। କାହାର କଥାକୁ AI ମାଧ୍ୟମରେ ଏଡିଟ୍ କରି ଅନ୍ୟ ଅର୍ଥରେ ପ୍ରଦର୍ଶନ କରାଯାଇପାରୁଥିବା ଏବଂ ଅନେକ ଲୋକଙ୍କ ଚେହେରାକୁ ନେଇ AI ଭିଡିଓ ତିଆରି ହେଉଥିବା ନେଇ ସେ ଉଦାହରଣ ଦେଇଥିଲେ। ଉର୍ବଶୀ ରୌତେଲାଙ୍କ ଟିମର ଏହି ଦାବି ପରେ ସେଲିବ୍ରିଟିଙ୍କ ନାମ, ଚେହେରା, କଣ୍ଠସ୍ୱର ଓ ଅନ୍ୟାନ୍ୟ ପରିଚୟକୁ AI ମାଧ୍ୟମରେ ବ୍ୟବହାର କରିବା ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ୭,୦୦୦ କୋଟି ଟଙ୍କାର ଜରିମାନା ସମ୍ପର୍କିତ ଦାବି ଉର୍ବଶୀଙ୍କ ଟିମର ବୟାନ ଉପରେ ଆଧାରିତ ଏବଂ ଏହାର ଆଇନଗତ ନିଷ୍ପତ୍ତି ହେବା ବାକି ରହିଛି।
ସୌଜନ୍ୟ ପ୍ରମେୟ




