ରାଜ୍ୟ

ଏମ୍‌ଏମ୍‌ଡିଆର୍‌ ସଂଶୋଧିତ ଆଇନ ବିରୋଧରେ ତେଜୁଛି ଅସନ୍ତୋଷ: ରାସ୍ତାକୁ ଓହ୍ଲାଇଲେ ବିରୋଧୀ

ଏମ୍‌ଏମ୍‌ଡିଆର୍‌ ସଂଶୋଧିତ ଆଇନକୁ ନେଇ ଏବେ ରାଜ୍ୟ ଉଠୁଛି ପଡ଼ୁଛି। ଏହି ଆଇନ ଦ୍ବାରା ଓଡ଼ିଶା ଆର୍ଥିକ ଦୃଷ୍ଟିରୁ ଭୀଷଣ କ୍ଷତିଗ୍ରସ୍ତ ହେବ ବୋଲି ବିରୋଧୀ ରାଜନୈତିକ ଦଳ ସମେତ ବି‌ଶେଷଜ୍ଞମାନେ ଆକଳନ କରୁଛନ୍ତି।

ଭୁବନେଶ୍ବର: ଏମ୍‌ଏମ୍‌ଡିଆର୍‌ ସଂଶୋଧିତ ଆଇନକୁ ନେଇ ଏବେ ରାଜ୍ୟ ଉଠୁଛି ପଡ଼ୁଛି। ଏହି ଆଇନ ଦ୍ବାରା ଓଡ଼ିଶା ଆର୍ଥିକ ଦୃଷ୍ଟିରୁ ଭୀଷଣ କ୍ଷତିଗ୍ରସ୍ତ ହେବ ବୋଲି ବିରୋଧୀ ରାଜନୈତିକ ଦଳ ସମେତ ବି‌ଶେଷଜ୍ଞମାନେ ଆକଳନ କରୁଛନ୍ତି। ଏହି ପ୍ରସଙ୍ଗରେ କେନ୍ଦ୍ର ଓ ରାଜ୍ୟର ବିଜେପି ସରକାରଙ୍କୁ ଚାରିପଟୁ ଆକ୍ରମଣ କରିବାକୁ ବିରୋଧୀ ଦଳ ରାସ୍ତାକୁ ଓହ୍ଲାଇଛନ୍ତି। ପ୍ରତିଦିନ ବିଭିନ୍ନ ସ୍ଥାନରେ ନାଗରିକ ସଙ୍ଗଠନ ଏହା ଉପରେ ଆଲୋଚନାଚକ୍ର ଆୟୋଜନ କରି ପ୍ରତିବାଦ ଜଣାଉଛନ୍ତି। ଅନ୍ୟପଟେ ସଂଶୋଧିତ ଆଇନ ସପକ୍ଷରେ ବୁଦ୍ଧିଜୀବୀ ଓ ବିଶେଷଜ୍ଞମାନେ ବାହାରୁ ନାହାନ୍ତି। କେବଳ ସରକାରଙ୍କ ପକ୍ଷରୁ ବିଜେପି ନେତାମାନେ ସେମାନଙ୍କ ପକ୍ଷ ରଖୁଛନ୍ତି। କିନ୍ତୁ ତାହାର ପ୍ରଭାବ ସାଧାରଣରେ ପଡ଼ୁ ନାହିଁ। ଫଳରେ ସରକାର ଏହି ପ୍ରସଙ୍ଗରେ ବ୍ୟାକ୍‌ ଫୁଟ୍‌ରେ ରହୁଛନ୍ତି। ବିରୋଧୀଙ୍କ ଅଭିଯୋଗ ଅନୁଯାୟୀ ଏମ୍‌ଏମ୍‌ଡିଆର୍‌ ସଂଶୋଧିତ ଆଇନ ଓଡ଼ିଶାର ସ୍ବାର୍ଥ ବିରୋଧୀ। ଏହି ଆଇନ ଯୋଗୁଁ ଓଡ଼ିଶାର ପ୍ରାପ୍ୟ ବକେୟା ବାବଦକୁ ୧ ଲକ୍ଷ କୋଟି ଟଙ୍କା ଓ ବାର୍ଷିକ ରାଜସ୍ବ ବାବଦକୁ ପ୍ରାୟ ୧୨ ହଜାର କୋଟି ହରାଇବ। ଏକତରଫା ଭାବେ କେନ୍ଦ୍ର ସରକାରଙ୍କ ଦ୍ବାରା ନିଆଯାଇଥିବା ଏହି ନିଷ୍ପତ୍ତି ସଂଘୀୟ ବ୍ୟବସ୍ଥା ଉପରେ ଆକ୍ରମଣ। ଓଡ଼ିଶା ସର୍ବାଧିକ କ୍ଷତିଗ୍ରସ୍ତ ହେଉଥିଲେ ବି ଏଠାରେ ବିଜେପି ସରକାର ଥିବାରୁ କେନ୍ଦ୍ର ନିଷ୍ପତ୍ତିକୁ ମାନିଯାଉଛନ୍ତି ବୋଲି ଆରୋପ ଲଗାଯାଇଛି। ‘ଓଡ଼ିଆ ଅସ୍ମିତା’ ନାରା ଦେଇ ବିଜେପି ଶାସନକୁ ଆସିଥିବାରୁ ସେହି ନାରାରେ ବିଜେପିକୁ ସବୁ ଦଳ ଆକ୍ରମଣ ଜାରି ରଖିଛନ୍ତି। ଲଗାତାର ଭାବେ ବିରୋଧୀ ଦଳଗୁଡ଼ିକ ସାମ୍ବାଦିକ ସମ୍ମିଳନୀରେ ଏହାର ପ୍ରତିବାଦ କଲା ପରେ ଏବେ ଆନ୍ଦୋଳନ ଆରମ୍ଭ ‌କରିଛନ୍ତି। ଆଗକୁ ବିଧାନସଭା ଅଧିବେଶନ ଆସୁଥିବାରୁ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ସଙ୍କେତ ମିଳିଛି।

ରାଜ୍ୟବ୍ୟାପୀ ଆନ୍ଦୋଳନ କରିବାକୁ ରଣହୁଙ୍କାର
ନାଗରିକ ସମାଜର ସ୍ବର ବି ଶାଣିତ ହେଉଛି

‘ଇଣ୍ଡି’ ମେଣ୍ଟ ପକ୍ଷରୁ ରାଜ୍ୟସ୍ତରୀୟ ମିଳିତ ଗଣସମାବେଶ ଆଜି ଭୁବନେଶ୍ବରରେ ଅନୁଷ୍ଠିତ ହୋଇଛି। ଆସନ୍ତା ୨୯ ତାରିଖରେ ଇଣ୍ଡି ମେଣ୍ଟ ବିଧାନସଭା ଘେରାଉ କରିବ। ଏହା ପରେ ଓଡ଼ିଶା ବନ୍ଦ ଡାକରା ଦେବାର ଯୋଜନା ରହିଛି। ମେଣ୍ଟ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ପାଇଁ ସଜବାଜ ଚାଲିଛି। ସେହିପରି ଓଡ଼ିଶା ଜନତା କଂଗ୍ରେସ ପକ୍ଷରୁ ଆଜି ଚଣ୍ଡିଖୋଲରେ ଆର୍ଥିକ ଅବରୋଧ କରାଯାଇଛି।
ବିଜେଡି ଆସନ୍ତାକାଲି ଲୋକଭବନ ସମ୍ମୁଖରେ ଧାରଣା ଦେବ। ଏହି ଆଇନକୁ ପ୍ରତ୍ୟାହାର ଦାବିରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦିଆଯିବ। ଏହା ପରେ ଦଳ ପକ୍ଷରୁ ରାଜ୍ୟବ୍ୟାପୀ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ହାତକୁ ନିଆଯିବ। ଏହି ପ୍ରସଙ୍ଗରେ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଡାକିବାକୁ ବିଜେଡି ଏବେ ବି ଅଟଳ ରହିଛି।
‘ଆଇନ ରଦ୍ଦ ନ ହେବା ପର୍ଯ୍ୟନ୍ତ ଜାରି ରହିବ ଆନ୍ଦୋଳନ’
ଭୁବନେଶ୍ବର: ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ ରଦ୍ଦ କରିବା ଦାବିରେ ଆଜି ‘ଇଣ୍ଡି’ ମେଣ୍ଟ ପକ୍ଷରୁ ରାଜ୍ୟସ୍ତରୀୟ ମିଳିତ ଗଣସମାବେଶ ଅନୁଷ୍ଠିତ ହୋଇଛି। ସଂଶୋଧିତ ଆଇନକୁ ‘ଓଡ଼ିଶା ଲୁଣ୍ଠନ ପାଇଁ ମୋଦୀଙ୍କ ନକ୍ସା’ ବୋଲି ଉପସ୍ଥିତ ନେତୃମଣ୍ଡଳୀ ମତ ଦେଇଥିଲେ। ଏହାସହ ଆସନ୍ତା ୨୯ ତାରିଖରେ ବିଧାନସଭା ଘେରାଉ ପାଇଁ ନିଷ୍ପତ୍ତି ହୋଇଛି। ପରେ ଓଡ଼ିଶା ବନ୍ଦ ଓ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି ଘୋଷଣା ହୋଇଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button