Site icon Swayam News

ଏସାର ଗ୍ରୁପ୍ ଅଧ୍ୟକ୍ଷଙ୍କ ପରଲୋକ

ମୁମ୍ବାଇ: ଏସାର ଗ୍ରୁପ୍‌ ଅଧ୍ୟକ୍ଷ ତଥା ସହ-ପ୍ରତିଷ୍ଠାତା ଶଶିକାନ୍ତ ରୁଇଆ(୮୧)ଙ୍କର ପରଲୋକ ହୋଇଛି। ଦୀର୍ଘଦିନ ହେଲା ଅସୁସ୍ଥ ଥିବା ଶଶିକାନ୍ତଙ୍କର ମୃତ୍ୟୁ ନଭେମ୍ବର ୨୫ ତାରିଖ ରାତି ୧୧ଟା ୫୫ରେ ମୁମ୍ବାଇଠାରେ ହୋଇଛି । ଆମେରିକାରେ ଚିକିତ୍ସିତ ହେଉଥିବା ଶଶିକାନ୍ତଙ୍କୁ ପ୍ରାୟ ମାସକ ପୂର୍ବେ ଭାରତକୁ ଅଣାଯାଇଥିଲା। ତାଙ୍କର ପତ୍ନୀ ମଞ୍ଜୁ ଏବଂ ଦୁଇ ପୁଅ ପ୍ରଶାନ୍ତ ଓ ଅଂଶୁମାନ ଅଛନ୍ତି। ବାପା ନନ୍ଦ କିଶୋର ରୁଇଆଙ୍କ ମାର୍ଗଦର୍ଶନରେ ଶଶିକାନ୍ତ ୧୯୬୫ ମସିହାରେ ବ୍ୟବସାୟ ଆରମ୍ଭ କରିଥିଲେ। ସେ ଓ ତାଙ୍କ ସାନ ଭାଇ ରବି ରୁଇଆ ମିଶି ୧୯୬୯ ମସିହାରେ ଏସାରର ଭିତ୍ତି ପକାଇଥିଲେ। ଚେନ୍ନାଇ ବନ୍ଦରରେ ତରଙ୍ଗରୋଧକ ପ୍ରାଚୀର ନିର୍ମାଣ କାର୍ଯ୍ୟରୁ ତାଙ୍କର ଏହି ଯାତ୍ରା ଆରମ୍ଭ ହୋଇଥିଲା।

ପରବର୍ତ୍ତୀ ପର୍ଯ୍ୟାୟରେ ଏସାର ଗ୍ରୁପ୍ ଇସ୍ପାତ, ତୈଳ ବିଶୋଧନ, ଉତ୍ତୋଳନ, ଟେଲିକମ, ଶକ୍ତି ଏବଂ ନିର୍ମାଣ ଆଦି କ୍ଷେତ୍ରକୁ ପରିବ୍ୟାପ୍ତ ହୋଇଥିଲା। ଶଶିକାନ୍ତଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକବ୍ୟକ୍ତ କରିଛନ୍ତି। ଏକ ବାର୍ତ୍ତାରେ ମୋଦୀ କହିଛନ୍ତି ଯେ ଶଶିକାନ୍ତ ବିଶ୍ବ ଶିଳ୍ପ ଜଗତରେ ଜଣେ ବିରାଟ ବ୍ୟକ୍ତି ଥିଲେ। ତାଙ୍କ ନିକଟରେ ବ୍ୟାପକ ଜ୍ଞାନ ରହିଥିଲା। ଆମ ଦେଶକୁ କିଭଳି ଉନ୍ନତ କରାଯାଇ ପାରିବ ସେ ସଂପର୍କରେ ସର୍ବଦା ଆଲୋଚନା କରୁଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ସୌଜନ୍ୟ-ସମ୍ୱାଦ

Exit mobile version