ଏସୀୟ କ୍ରୀଡ଼ାରେ ଚମକିଲେ ଏଲାଭେନିଲ ; ସୁଟିଂରେ ଭାରତକୁ ୨ ରୌପ୍ୟ

ନାଗୋୟା: ରବିବାର ୨୦ତମ ଏସୀୟ କ୍ରୀଡ଼ାର ମେଡାଲ ଇଭେଣ୍ଟ ଆରମ୍ଭ ହୋଇଛି। ଏହାର ପ୍ରଥମ ଦିନରେ ଭାରତକୁ ୨ଟି ରୌପ୍ୟପଦକ ମିଳିଥିବା ବେେଳ ଆଉ ୨ଟି ପଦକ ନିଶ୍ଚିତ କରିଛି। ମହିଳା ୧୦ ମିଟର ଏୟାର ରାଇଫଲ ଦଳଗତ ବର୍ଗରେ ଭାରତକୁ ରୌପ୍ୟପଦକ ମିଳିଛି। ଚଳିତ କ୍ରୀଡ଼ାେର ଏହା ଭାରତର ପ୍ରଥମ ପଦକ। ଏଲାଭେନିଲ ଭାଲାରିଭାନ୍, ସୋନମ ମସ୍କର ଓ ବିଦାର୍ଶା ବିନୋଦଙ୍କୁ ନେଇ ଗଠିତ ଭାରତୀୟ ମହିଳା ୧୦ ମିଟର ଏୟାର ରାଇଫଲ ଦଳ ୧,୮୯୮.୦ ପଏଣ୍ଟ ପାଇ ୨ୟ ସ୍ଥାନରେ ରହି ରୌପ୍ୟ ପଦକ ଜିତିଛନ୍ତି। ଚୀନ ଦଳ ୧୯୦୪.୨ ପଏଣ୍ଟ ସ୍କୋର୍କରି ପ୍ରଥମ ସ୍ଥାନରେ ରହି ସ୍ବର୍ଣ୍ଣପଦକ ଜିତି ପାରିଛନ୍ତି। ୧୯୦୪.୨ ପଏଣ୍ଟ ମହିଳା ୧୦ ମିଟର ଏୟାର ରାଇଫଲ ଦଳଗତ ବର୍ଗରେ ବିଶ୍ବ କୀର୍ତ୍ତିମାନ। ଜାପାନର ୩ ମହିଳାଙ୍କ ଦଳ ୧୮୯୭.୧ ପଏଣ୍ଟ ପାଇ ୩ୟ ସ୍ଥାନରେ ରହି କାଂସ୍ୟପଦକ ଜିତିଛନ୍ତି। ବିଦାର୍ଶା ବିନୋଦ ଏସୀୟ କ୍ରୀଡ଼ାରେ ପଦାର୍ପଣ କରିଥିଲେ ହେଁ ଦେଶକୁ ରୌପ୍ୟ ଜିତାଇବାରେ ପ୍ରମୁଖ ଭୂମିକା
ନେଇଥିଲେ।
ଏହି ପ୍ରତିଯୋଗିତାର କେଇ ଘଣ୍ଟା ପରେ ସୁଟିଂରୁ ଭାରତକୁ ୨ୟ ପଦକ ମିଳିଥିଲା। ମହିଳା ୧୦ ମିଟର ଏୟାର ରାଇଫଲ ବ୍ୟକ୍ତିଗତ ବର୍ଗରେ ଏଲାଭେନିଲ ଭାଲାରିଭାନ୍ ରୌପ୍ୟପଦକ ଜିତିଥିଲେ। ଏହି ଇଭେଣ୍ଟରେ ଏଲାଭେନିଲ ଦୁଇ ଶକ୍ତିଶାଳୀ ଚୀନ ସୁଟରଙ୍କ ସହ ସଂଘର୍ଷକରି ୨ୟ ସ୍ଥାନରେ ରହିଥିଲେ। ତାମିଲନାଡ଼ୁର ସୁଟର ଏଲାଭେନିଲ ଭାଲାରିଭାନ୍ ୨୫୨.୪ ପଏଣ୍ଟ ସ୍କୋର୍କରି ୨ୟ ସ୍ଥାନରେ ରହି ରୌପ୍ୟପଦକ ଜିତିଛନ୍ତି। ଏଲାଭେନିଲଙ୍କ ନାମରେ ଏସୀୟ ରେକର୍ଡ ୨୫୩.୬ ପଏଣ୍ଟ ଥିଲେ ହେଁ ଏହା ସେ ହାସଲ କରି ପାରିନଥିଲେ। ଜାପାନର ହିନାଟା ତାଇଚି ୧୫୩.୦ ପଏଣ୍ଟ ହାସଲକରି ନୂତନ ଏସୀୟ କ୍ରୀଡ଼ା କୀର୍ତ୍ତିମାନ ହାସଲ କରିବା ସହ ସ୍ବର୍ଣ୍ଣପଦକ ଜିତିଛନ୍ତି। କୋରିଆର ହ୍ୟୋଜିନ୍ ବାନ୍ ୨୩୦.୪ ପଏଣ୍ଟ ହାସଲକରି କାଂସ୍ୟପଦକ ଜିତିଛନ୍ତି।
ସୌଜନ୍ୟ ସମାଜ




