ଭୁବନେଶ୍ୱର: କମ୍ୟୁନିଟି ରେଡିଓ ହେଉଛି ଏକ ଅଞ୍ଚଳର ସ୍ୱର ଓ ସାହସ। ତେଣୁ ସେମାନେ ନିଜ ଶକ୍ତିକୁ ଜାଣିବା ଆବଶ୍ୟକ। ଏଥିସହିତ କମ୍ୟୁନିଟି ରେଡିଓଗୁଡ଼ିକ ଲୋକଙ୍କ ଚାହିଦା ମୁତାବକ ତଥା ହିତ ସାଧନ କରୁଥିବା ପ୍ରସଙ୍ଗ ପରିବେଷଣ କରିବା ଆବଶ୍ୟକ। ଏହା ଦ୍ୱାରା ସେମାନଙ୍କର ଲୋକପ୍ରିୟତା ବୃଦ୍ଧି ହେବା ସହିତ ଜନସାଧାରଣ ମୂଲ୍ୟ ଦେବାକୁ କୁଣ୍ଠାବୋଧ କରିବେ ନାହିଁ। ‘ଓଡ଼ିଶା କମ୍ୟୁନିଟି ରେଡିଓ ଆସୋସିଏସନ’ ପକ୍ଷରୁ ବୁଦ୍ଧମନ୍ଦିର ପରିସରରେ ଆୟୋଜିତ ‘ବିଶ୍ୱ ରେଡିଓ ଦିବସ’ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏଭଳି କହିଛନ୍ତି ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ। ଡିଜିଟାଲ ଯୁଗରେ ରେଡିଓ ଘରେ ଘରେ ନଥିଲେ ମଧ୍ୟ ସମସ୍ତଙ୍କର ପକେଟ୍ରେ ଅଛି ବୋଲି ସେ କହିଥିଲେ।
ଆସୋସିଏସନର ସଭାପତି ଶିଶିର କୁମାର ଦାସଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଦୂରଦର୍ଶନର ପୂର୍ବତନ ନିର୍ଦ୍ଦେଶକ ଶାନ୍ତନୁ ରଥ ଯୋଗଦେଇ କମ୍ୟୁନିଟି ରେଡିଓ ଚେତନାର ଜାଗ୍ରତ କେନ୍ଦ୍ର। ତେଣୁ ସେଠାରେ ହେଉଥିବା ଖବର ପରିବେଷଣରେ ଶୁଦ୍ଧତା, ସ୍ପଷ୍ଟବାଦିତା ଓ ଜନକଲ୍ୟାଣକାରୀ ତଥ୍ୟ ରହିବା ଆବଶ୍ୟକ ବୋଲି ସେ କହିଥିଲେ। ସମ୍ମାନିତ ଅତିଥି ଭାବେ ସୂଚନା ଓ ଲୋକସମ୍ପର୍କ ବିଭାଗର ଉପନିର୍ଦ୍ଦେଶକ ସୁଚେତା ପ୍ରିୟଦର୍ଶିନୀ ଯୋଗଦେଇ କମ୍ୟୁନିଟି ରେଡିଓର ବିକାଶ ପାଇଁ ବିଭାଗ ପକ୍ଷରୁ ଅଧିକ ଆର୍ଥିକ ଅନୁଦାନ ପାଇଁ ଆଲୋଚନା ହୋଇଛି ବୋଲି କହିଥିଲେ। ରେଡିଓ ମାଧ୍ୟମରେ କିଭଳି ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ଓ ସଚେତନତା ଲୋକଙ୍କ ପାଖରେ ପହଞ୍ଚି ପାରିବ ସେଥିପାଇଁ ଚେଷ୍ଟା କରାଯିବ ବୋଲି ସେ କହିଥିଲେ। ସଂଘର ସମ୍ପାଦକ ବିକାଶ ମହାପାତ୍ର କମ୍ୟୁନିଟି ରେଡିଓ ଆନ୍ଦୋଳନ ଉପରେ ଆଲୋଚନା କରିଥିଲେ। ଏହି ଅବସରରେ ସଙ୍ଗୀତା ଗୋସାଇଁ ଓ ବସନ୍ତ ମହାନ୍ତିଙ୍କୁ ରେଡିଓ କ୍ଷେତ୍ରରେ ସେମାନଙ୍କ ଅବଦାନ ପାଇଁ ସମ୍ୱର୍ଦ୍ଧିତ କରାଯାଇଥିଲା। ଏଥିସହିତ ରାଜ୍ୟର ବିଭିନ୍ନ ଅଞ୍ଚଳର କମ୍ୟୁନିଟି ରେଡିଓକୁ ଆସୋସିଏସନର ସଦସ୍ୟତା ସାର୍ଟିଫିକେଟ୍ ପ୍ରଦାନ କରାଯାଇଥିଲା। ଏହି ଅବସରରେ ଅନୁଷ୍ଠାନର ସଫଳତାର କାହାଣୀ ସମ୍ୱଳିତ ଏକ ସଂକଳନ ଉନ୍ମୋଚିତ ହୋଇଥିଲା।
କାର୍ଯ୍ୟକ୍ରମରେ କୁତ୍ରିମ ବୁଦ୍ଧିମତା ଏବଂ ରେଡିଓ ଉପରେ ଏକ କର୍ମଶାଳା ଆୟୋଜିତ ହୋଇଥିଲା। ଏଥିରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର କମ୍ପ୍ୟୁଟର ସାଇନ୍ସ ବିଭାଗର ମୁଖ୍ୟ ପ୍ରଫେସର ଦେବବାଳା ସ୍ୱାଇଁଁ ଓ ଗଣମାଧ୍ୟମ ଗବେଷକ ଅଶୋକ କୁମାର ପାଣିଗ୍ରାହୀ ଆଲୋଚନା କରିଥିଲେ। ଅଧିବେଶନକୁ ଅମିୟ ଭୂଷଣ ବିଶ୍ୱାଳ ଓ ହନି ପଟ୍ଟନାୟକ ପରିଚାଳନା କରିଥିଲେ। ଯୁଗ୍ମ ସମ୍ପାଦିକା ମିନତି ବିନ୍ଧାଣୀ ଧନ୍ୟବାଦ ଦେଇଥିଲେ।
ସୌଜନ୍ୟ ସମ୍ବାଦ
