କମ୍‌ ବୟସରେ ସଫଳ ଉଦ୍ୟୋଗୀ

ସଫଳତା ବୟସ ଦେଖେନାହିଁ। କମ୍‌ ବୟସରେ ମଧ୍ୟ ଜଣେ ସଫଳତାର ଶିଖର ଛୁଇଁପାରିବ; ଖାଲି ନିଜ ଭିତରେ ଦୃଢ଼ ମନୋବଳ ଓ ଇଚ୍ଛାଶକ୍ତି ଥିବା ଦରକାର। ସେମିତି ଏକ ଉଦାହରଣର ଅଧିକାରିଣୀ...

ସଫଳତା ବୟସ ଦେଖେନାହିଁ। କମ୍‌ ବୟସରେ ମଧ୍ୟ ଜଣେ ସଫଳତାର ଶିଖର ଛୁଇଁପାରିବ; ଖାଲି ନିଜ ଭିତରେ ଦୃଢ଼ ମନୋବଳ ଓ ଇଚ୍ଛାଶକ୍ତି ଥିବା ଦରକାର। ସେମିତି ଏକ ଉଦାହରଣର ଅଧିକାରିଣୀ ହେଉଛନ୍ତି ୟାମିନୀ ରଙ୍ଗନ୍‌। ସଂପ୍ରତି ‘ହବ୍‌ସ୍ପଟ୍‌’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ କାମ କରୁଛନ୍ତି ସେ। ତାଙ୍କର ଯାତ୍ରା ବାସ୍ତବରେ ପ୍ରେରଣାପ୍ରଦ। ୟାମିନୀ ତାମିଲନାଡ଼ୁ କୋୟମ୍ବଟୁରର ଭରଥିଆର ବିଶ୍ୱବିଦ୍ୟାଳୟରୁ କମ୍ପ୍ୟୁଟର୍‌ ଇଞ୍ଜିନିୟରିଂରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ପରେ ସେ କ୍ୟାଲିଫୋର୍ନିଆ ବିଶ୍ୱବିଦ୍ୟାଳୟ, ବର୍କଲେର ହାସ୍ ସ୍କୁଲ୍ ଅଫ୍ ବିଜନେସ୍‌ରୁ ଏମ୍‌ବିଏ କରିଥିଲେ। ଏହା ତାଙ୍କ ପ୍ରଯୁକ୍ତି ଓ ବ୍ୟବସାୟ ନେତୃତ୍ୱ ଦିଗରେ ବିଶେଷ ସହାୟକ ହୋଇଥିଲା।

ଟେକ୍ ଇଣ୍ଡଷ୍ଟ୍ରିର ଜଣେ ଅନୁଭବୀ ବ୍ୟକ୍ତି ଭାବେ ପ୍ରଡକ୍ଟ ମାର୍କେଟିଂ, ସେଲିଂ ଓ ରଣନୀତି ‌କ୍ଷେତ୍ରରେ ତାଙ୍କର ୨୫ ବର୍ଷରୁ ଅଧିକ ଅଭିଜ୍ଞତା ରହିଛି। ହବ୍‌ସ୍ପଟ୍‌ର ପ୍ରୋଫାଇଲ୍୍‌ ଅନୁଯାୟୀ, ସେ ପୂର୍ବରୁ ଡ୍ରପ୍‌ବକ୍ସରେ ଚିଫ୍‌ କଷ୍ଟମର ଅଫିସର୍‌ ଭାବେ ଓ ୱର୍କଡେରେ ସେଲ୍‌ସ ଷ୍ଟ୍ରାଟେଜି ଓ ଅପରେସନ୍‌ସ୍‌ର ଭାଇସ୍‌ ପ୍ରେସିଡେଣ୍ଟ ଭାବେ କାମ କରିଥିଲେ। ୟାମିନୀଙ୍କୁ ୨୧ ବର୍ଷ ବୟସ ହୋଇଥିବା ବେ‌େଳ ଭଲ କ୍ୟାରିୟର୍‌ ପାଇଁ ସେ ଆମେରିକାକୁ ଯାଇଥିଲେ। ପ୍ରଥମେ ତାଙ୍କୁ ସେଠାରେ ଅନେକ ଅସୁବିଧା ଓ ଆହ୍ବାନର ସାମ୍ନା କରିବାକୁ ପଡ଼ିଥିଲା। କର୍ପୋରେଟ୍ ଜଗତରେ ପ୍ରବେଶ ପୂର୍ବରୁ, ସେ ଏକ ଫୁଟବଲ୍‌ ଷ୍ଟାଡିୟମ୍‌ରେ ଫୁଡ୍ ସର୍ଭର୍ ଭାବେ କାମ କରିଥିଲେ। ସେ ସମୟରେ ଭଡ଼ା ଦେବା ପାଇଁ ମଧ୍ୟ ସଂଘର୍ଷ କରିଥିଲେ। ତାଙ୍କ ଆୟର ଅଧିକାଂଶ ଭାଗ ଭଡ଼ା ଓ ଦୈନନ୍ଦିନ ଖର୍ଚ୍ଚରେ ଖର୍ଚ୍ଚ ହୋଇଯାଉଥିଲା। ଏକ ରିପୋର୍ଟ ଅନୁଯାୟୀ, ଗୋଟେ ସମୟରେ ତାଙ୍କ ବ୍ୟାଙ୍କ ଖାତାରେ କେବଳ ୧୫୦ ଡଲାର୍‌ ରହିଥିଲା, ଏଥିପାଇଁ ତାଙ୍କୁ ଦେଖିଚାହିଁ ଖର୍ଚ୍ଚ କରିବାକୁ ପଡ଼ୁଥିଲା।

ଏସବୁ କଷ୍ଟ ସତ୍ତ୍ୱେ, ସେ ତାଙ୍କ ପିତାମାତାଙ୍କ ଉପରେ ଆର୍ଥିକ ସାହାଯ୍ୟ ପାଇଁ ବୋଝ ଲଦିନଥିଲେ; ବରଂ ସ୍ୱାଧୀନଭାବେ ଜୀବନ ଗଢ଼ିବାକୁ ସଂକଳ୍ପ କରିଥିଲେ। ଆରମ୍ଭର ଦିନଗୁଡ଼ିକ ତାଙ୍କ ପାଇଁ ଅତ୍ୟନ୍ତ ଚ୍ୟାଲେଞ୍ଜିଙ୍ଗ ଥିଲା। ପାଖରେ ଟଙ୍କା କମ୍ ଥିଲା, କାମ ନଥିଲା ଓ ନୂତନ ପରିବେଶରେ ଖାପ ଖୁଆଇବାକୁ ବି ପଡ଼ୁଥିଲା ୟାମିନୀଙ୍କୁ। ବର୍ତ୍ତମାନ ୟାମିନୀ ଆମେରିକାରେ ସର୍ବାଧିକ ଦରମା ପାଉଥିବା ଭାରତୀୟମୂଳ ସିଇଓମାନଙ୍କ ମଧ୍ୟରୁ ଜଣେ। ବର୍ତ୍ତମାନ ସେ ହବ୍‌ସ୍ପଟ୍‌ର ନେତୃତ୍ୱ ନେଉଛନ୍ତି, ଯାହା ପ୍ରାୟ ୨୫.୬୬ ବିଲିୟନ୍‌ ଡଲାର (ପ୍ରାୟ ୨.୧୪ ଲକ୍ଷ କୋଟି ଟଙ୍କା) ମୂଲ୍ୟର ଏକ ପ୍ରମୁଖ ପ୍ରଯୁକ୍ତି କମ୍ପାନି।
ଗତ କିଛିବର୍ଷ ଧରି, ସେ ଲୁସେଣ୍ଟ ଟେକ୍ନୋଲୋଜିସ୍‌, ଏସ୍ଏପି, ୱର୍କଡେ ଓ ଡ୍ରପ୍‌ବକ୍ସ ପରି ଅନେକ ପ୍ରମୁଖ ପ୍ରଯୁକ୍ତି କମ୍ପାନି ସହ କାମ କରିଛନ୍ତି। ଏହି କମ୍ପାନିଗୁଡ଼ିକରେ ସେ କଷ୍ଟମର ସକ୍ସେସ୍‌, ଡିଜିଟାଲ୍‌ ପରିବର୍ତ୍ତନ ଓ ପ୍ରୋଡକ୍ଟ ଷ୍ଟ୍ରାଟେଜି ଉପରେରେ ଗୁରୁତ୍ୱ ଦେଇଥିଲେ। ୨୦୨୦ ମସିହାରେ ସେ ହବ୍‌ସ୍ପଟ୍‌ରେ ଚିଫ୍‌ କଷ୍ଟମର୍‌ ଅଫିସର୍‌ ଭାବେ ଯୋଗଦେଇଥିଲେ। ଏକ ବର୍ଷ ମଧ୍ୟରେ ସେ ସିଇଓ ପଦକୁ ପଦୋନ୍ନତି ପାଇଥିଲେ ଏବଂ କୋଭିଡ୍‌ ମହାମାରୀ ସମୟରେ ଦ୍ରୁତ ପରିବର୍ତ୍ତନଶୀଳ ଡିଜିଟାଲ୍‌ ପରିବେଶରେ କମ୍ପାନିକୁ ନେତୃତ୍ୱ ମଧ୍ୟ ଦେଇଥିଲେ। ଆକଳନ ଅନୁଯାୟୀ, ଯାମିନୀ ରଙ୍ଗନ୍‌ଙ୍କ ମୋଟ ସମ୍ପତ୍ତି ପ୍ରାୟ ୪୮୪ କୋଟି ଟଙ୍କା। ଆଜି ସେ ଆମେରିକାରେ ସର୍ବାଧିକ ପ୍ରଭାବଶାଳୀ ଭାରତୀୟ ମୂଳର ମହିଳା ସିଇଓମାନଙ୍କ ମଧ୍ୟରେ ଗଣା ହେଉଛନ୍ତି। ସେ କାଶ୍‌ ରଙ୍ଗନଙ୍କୁ ବିବାହ କରିଛନ୍ତି।

ସୌଜନ୍ୟ ସମ୍ବାଦ

Exit mobile version