ଆମେ ବାହା ହୋଇଥିଲୁ ୨୫ ନଭେମ୍ବର, ୧୯୮୭ ମସିହାରେ। ନିଜ ପସନ୍ଦର ଏହି ବାହାଘରର ସୂତ୍ରପାତ ହେଇଥିଲା ବନ୍ଧୁତା ମଧ୍ୟ ଦେଇ ଯାହା ୪୦ ବର୍ଷରେ ପଦାର୍ପଣ କରିଛି। ଅନେକ ଝଡ଼ଝଞ୍ଜା ମଧ୍ୟ ଦେଇ ଆମେ ଏହି ଦୀର୍ଘ ପଥ ଅତିକ୍ରମ କରିଛୁ। ସାମାଜିକ ଚଳଣିକୁ ଦେଖିଲେ ଆମ ଦୁଇଜଣଙ୍କ ମଧ୍ୟରେ ଅସମାନତା ଥିଲା। ମୁଁ ଶାସନୀ ବ୍ରାହ୍ମଣ ପରିବାର ଝିଅ ଓ ସିଏ ଖଣ୍ଡାୟତ ପରିବାରର।
ମୋ ବାପା ଜୀବିକା ନିର୍ବାହ ପାଇଁ ଭୁବନେଶ୍ୱର ନିକଟସ୍ଥ ବାଳକାଟିରୁ ସୁଦୂର କଲିକତା ଚାଲି ଆସିଥିଲେ। ଜୀବନସାଥୀ ଭାବେ ବାଛିଥିଲେ ଏକ ବ୍ରାହ୍ମଣ ବଙ୍ଗାଳୀ କନ୍ୟାକୁ। ଫଳରେ ମୋ ଜନ୍ମ, ପାଠପଢ଼ା ସବୁ କଲିକତାରେ। ଅତଏବ ଏକ ଭିନ୍ନ ସଂସ୍କୃତି, ରୀତିନୀତି, ପରମ୍ପରା ମଧ୍ୟରେ ବଡ଼ ହୋଇଥିବା ଏକ ୨୨ବର୍ଷର ତରୁଣୀ ସମାଜର ପରିବର୍ତ୍ତନର ସ୍ୱପ୍ନକୁ କାର୍ଯ୍ୟକାରୀ କରିବା ପାଇଁ କଟକ ଚାଲି ଆସିଥିଲା।
କଟକ ଥିଲା ମୋ ପାଇଁ ଅଚିହ୍ନା। ସେତେବେଳେ
ବନ୍ଧୁତାର ହାତ ବଢ଼ାଇଥିଲେ ଶିଶିର। ଆମେ ଉଭୟ ଛାତ୍ର ରାଜନୀତି ସହିତ ସମ୍ପୃକ୍ତ ଥିଲୁ। ବାମପନ୍ଥୀ ଆଦର୍ଶ ଓ ବିଚାରଧାରା ପ୍ରତି ଆସ୍ଥା ଓ ବିଶ୍ୱାସ ରଖି ମୋର ସମାଜ ପ୍ରତି ପ୍ରତିବଦ୍ଧତାର ସଂକଳ୍ପକୁ ଆଗେଇ ନେବାରେ ପୁରୁଷ ବନ୍ଧୁମାନଙ୍କ ଅବଦାନ ମୋ ଜୀବନରେ ସବୁଠାରୁ ଅଧିକ। ମୋ ବାପା ଯିଏ ମୋତେ ଅନୁଭବ କରାଇଥିଲେ ଯେ ଝିଅ ଜନ୍ମ କେବଳ ରୋଷେଇ ଘର ଓ ସନ୍ତାନ ଲାଳନପାଳନ ମଧ୍ୟରେ ସୀମାବଦ୍ଧ ନୁହେଁ, ପ୍ରତି ପାଦେ ନିଜ ଓ ଅନ୍ୟମାନଙ୍କର ଅଧିକାର ପାଇଁ ସଂଗ୍ରାମରେ ନିଜକୁ
ସାମିଲ କରିବା ଲକ୍ଷ୍ୟ ହିଁ ଜୀବନର ଉଦ୍ଦେଶ୍ୟ, ଯାହା ଆଜି ଯାଏ ଅତୁଟ ରହିଛି। ସବୁବେଳେ ମୋତେ ଉତ୍ସାହିତ କରିଛନ୍ତି ଏହା କହି ଯେ, “ମାନବ ସେବା ହିଁ ମାଧବ ସେବା”। ସବୁବେଳେ ସେହିସବୁ ମଣିଷ କଥା ଚିନ୍ତା କରେ ଯେଉଁମାନେ ମୋଠାରୁ ମଧ୍ୟ ଅଧିକ କଷ୍ଟରେ ଜୀବନ ଅତିବାହିତ କରୁଛନ୍ତି।
ଶିଶିର ମୋର ଏହି ସଂକଳ୍ପକୁ ଆଗେଇ ନେବା ପାଇଁ ସଦା ଜାଗ୍ରତ। ଓଡ଼ିଆ ବର୍ଣ୍ଣମାଳା ଶିଖେଇବାଠୁ ଆରମ୍ଭ କରି ପଢ଼ିବା, କହିବା, ଲେଖିବା, ଓଡ଼ିଶା ସଂସ୍କୃତି, ପରମ୍ପରା, ସାହିତ୍ୟ, ଚଳଣି ସବୁକିଛି ପାଇଁ ସିଏ ମୋ ଗୁରୁ। ପୁରୁଷପ୍ରଧାନ ସମାଜ ବ୍ୟବସ୍ଥାରେ ଜଣେ ନାରୀ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ଚାହିଲେ ତାକୁ କେତେ ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡ଼େ, କେତେ ଅପବାଦ ସହିବାକୁ ପଡ଼େ ତାହା ଜଣେ ଅନୁଭବୀକୁ ଜଣା। ମୋତେ ମଧ୍ୟ ସେହିସବୁର ସାମ୍ନା କରିବାକୁ ପଡ଼ିଛି। ସବୁ କ୍ଷେତ୍ରରେ ଶିଶିର ମୋର ‘ରକ୍ଷା କବଚ’। ସିଏ ମୋର ବନ୍ଧୁ, ସାଥୀ, ସହଯୋଗୀ। ଆଉ ମୋର ଏହି ଦୀର୍ଘ ଯାତ୍ରାପଥକୁ ସହଜ, ନିରନ୍ତର କରିବା ପାଇଁ ସବୁଠାରୁ ବଡ଼ ଅବଦାନ ହେଉଛି ମୋର ଏକମାତ୍ର ପୁଅର। ସନ୍ତାନ ହିସାବରେ ତା’ର ଅଧିକାରକୁ ବଳି ଦେଇ ନିଃସ୍ୱାର୍ଥପର ଭାବରେ ମୋ ଚଲାପଥକୁ ସୁଗମ ନକରିଥିଲେ ମୁଁ ଆଜି ତାପସୀ ପ୍ରହରାଜ ହୋଇପାରି ନଥା’ନ୍ତି। ଆମ ସମାଜରେ ପୁରୁଷ ଓ ନାରୀ ‘କଲମ ଓ କାଳି’ ପରି ଉଭୟ ଉଭୟଙ୍କର ପରିପୂରକ। ଜଣେ ବିନା ଆଉ ଜଣେ ଅସ୍ତିତ୍ୱହୀନ।
ସୌଜନ୍ୟ ସମ୍ବାଦ