ଜାତୀୟବାଣିଜ୍ୟ

ଗାଡ଼ି ପାଇଁ E20 ପେଟ୍ରୋଲ କେତେ ସୁରକ୍ଷିତ ? ବଢ଼ିଲା ଗାଡି ଚାଳକଙ୍କ ଚିନ୍ତା

ଆପଣ ପେଟ୍ରୋଲ ପମ୍ପକୁ ଗଲେ E20 ପେଟ୍ରୋଲ ନାମ ନିଶ୍ଚୟ ଦେଖିଥିବେ। କିନ୍ତୁ ଏହା କ'ଣ? ସରକାର କାହିଁକି E20 ପେଟ୍ରୋଲକୁ ଏତେ ପ୍ରୋତ୍ସାହନ ଦେଉଛନ୍ତି? ଏହା କି ସମସ୍ତ ଗାଡ଼ି ପାଇଁ ସୁରକ୍ଷିତ, ନା ଏଥିରୁ ଆପଣଙ୍କ ଗାଡ଼ି, ଇଞ୍ଜିନ ଉପରେ କିପରି ପ୍ରଭାବ ପଡ଼ିପାରେ? ଏହାକୁ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ ରହିଛି।

ଦିଲ୍ଲୀ : ଆପଣ ପେଟ୍ରୋଲ ପମ୍ପକୁ ଗଲେ E20 ପେଟ୍ରୋଲ ନାମ ନିଶ୍ଚୟ ଦେଖିଥିବେ। କିନ୍ତୁ ଏହା କ’ଣ? ସରକାର କାହିଁକି E20 ପେଟ୍ରୋଲକୁ ଏତେ ପ୍ରୋତ୍ସାହନ ଦେଉଛନ୍ତି? ଏହା କି ସମସ୍ତ ଗାଡ଼ି ପାଇଁ ସୁରକ୍ଷିତ, ନା ଏଥିରୁ ଆପଣଙ୍କ ଗାଡ଼ି, ଇଞ୍ଜିନ ଉପରେ କିପରି ପ୍ରଭାବ ପଡ଼ିପାରେ? ଏହାକୁ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ ରହିଛି।

ପ୍ରଥମେ ଜାଣିବା, E20 ପେଟ୍ରୋଲ କ’ଣ ? E20 ଅର୍ଥ ହେଉଛି ୨୦ ପ୍ରତିଶତ ଇଥାନଲ ଓ ୮୦ ପ୍ରତିଶତ ପେଟ୍ରୋଲର ମିଶ୍ରଣ। ଇଥାନଲ ଏକ ଜୈବ ଇନ୍ଧନ, ଯାହା ମୁଖ୍ୟତଃ ଆଖୁ, ମକା ଓ ଅନ୍ୟାନ୍ୟ କୃଷି ପଦାର୍ଥରୁ ପ୍ରସ୍ତୁତ ହୁଏ। ସରକାରଙ୍କ କହିବା ଅନୁଯାୟୀ, E20 ବ୍ୟବହାରର ଉଦ୍ଦେଶ୍ୟ ହେଉଛି ବିଦେଶରୁ ଅଶୋଧିତ ତୈଳ ଆମଦାନି ଉପରେ ନିର୍ଭରଶୀଳତା କମାଇବା, ପ୍ରଦୂଷଣ ହ୍ରାସ କରିବା ଏବଂ ଇଥାନଲର ଚାହିଦା ବଢ଼ାଇ ଦେଶର ଚାଷୀମାନଙ୍କ ପାଇଁ ଅତିରିକ୍ତ ଆୟର ସୁଯୋଗ ସୃଷ୍ଟି କରିବା।

କିନ୍ତୁ ଏହା ବାଧ୍ୟତାମୂଳକ କି ? ନା… ସରକାର E20-ସୁସଙ୍ଗତ ଯାନବାହନକୁ ପ୍ରୋତ୍ସାହନ ଦେଉଛନ୍ତି, କିନ୍ତୁ ସମସ୍ତ ପୁରୁଣା ଗାଡ଼ି E20 ପାଇଁ ଉପଯୁକ୍ତ ନୁହେଁ। ସେଥିପାଇଁ ନିଜ ଗାଡ଼ିର ମାନୁଆଲ କିମ୍ବା ନିର୍ମାତା କମ୍ପାନୀର ପରାମର୍ଶ ଦେଖିବା ଜରୁରୀ। କିଛି ପୁରୁଣା ମଡେଲରେ E20 ବ୍ୟବହାର କଲେ ଇନ୍ଧନ କ୍ଷମତା କିଛିଟା କମିପାରେ କିମ୍ବା କିଛି ରବର ଓ ପ୍ଲାଷ୍ଟିକ ଅଂଶ ଉପରେ ଦୀର୍ଘ ସମୟରେ ପ୍ରଭାବ ପଡ଼ିପାରେ। ତେବେ ନୂଆ E20-ଅନୁକୂଳ ଗାଡ଼ିଗୁଡ଼ିକ ଏହାକୁ ଧ୍ୟାନରେ ରଖି ଡିଜାଇନ୍ କରାଯାଇଛି।

କିନ୍ତୁ E20 ପେଟ୍ରୋଲ ବ୍ୟବହାରକୁ ନେଇ ଅନେକ ଲୋକଙ୍କ ମନରେ ପ୍ରଶ୍ନ ଯେ —ଯଦି ପେଟ୍ରୋଲ ପମ୍ପରେ ପ୍ରିମିୟମ ପେଟ୍ରୋଲର ବିକଳ୍ପ ମିଳୁଛି, ତେବେ ସାଧାରଣ ପେଟ୍ରୋଲ, E10 ଓ E20 ମଧ୍ୟରୁ ଗ୍ରାହକଙ୍କୁ ବିକଳ୍ପ କାହିଁକି ଦିଆଯାଉନାହିଁ? କେନ୍ଦ୍ର ସରକାରଙ୍କ କହିବା ଅନୁଯାୟୀ, ଭାରତର ବର୍ତ୍ତମାନର ଇନ୍ଧନ ବଣ୍ଟନ ବ୍ୟବସ୍ଥା ଏକାସାଙ୍ଗରେ ଅନେକ ପ୍ରକାରର ଜାତୀୟ ସ୍ତରର ପେଟ୍ରୋଲ ପରିଚାଳନା ପାଇଁ ପ୍ରସ୍ତୁତ ନୁହେଁ। ସରକାରଙ୍କ ମତରେ, ଅଲଗା ଅଲଗା ମିଶ୍ରଣର ପେଟ୍ରୋଲ ରଖିବା ପାଇଁ ଅତିରିକ୍ତ ଷ୍ଟୋରେଜ୍, ପରିବହନ ଓ ବଣ୍ଟନ ବ୍ୟବସ୍ଥା ଆବଶ୍ୟକ ହେବ। ସେଥିପାଇଁ E20 କୁ ଦେଶବ୍ୟାପୀ ଇନ୍ଧନ ନୀତିର ଏକ ଅଂଶ ଭାବେ ଆଗକୁ ବଢ଼ାଯାଉଛି।

E20 ପେଟ୍ରୋଲକୁ ନେଇ ବଢ଼ୁଥିବା ବିବାଦ ମଧ୍ୟରେ ପେଟ୍ରୋଲିୟମ ମନ୍ତ୍ରଣାଳୟ କହିଛି ଯେ, ଏହି ପରିବର୍ତ୍ତନ ଅଟୋମୋବାଇଲ୍ ନିର୍ମାତା, ପରୀକ୍ଷଣ ସଂସ୍ଥା ଓ ଅନ୍ୟ ହିତାଧିକାରୀଙ୍କ ସହ ପରାମର୍ଶ ପରେ କରାଯାଇଛି। ମନ୍ତ୍ରଣାଳୟ ଅନୁଯାୟୀ, ଗାଡ଼ିର ଅନୁକୂଳତା, ଇଞ୍ଜିନ କାର୍ଯ୍ୟକ୍ଷମତା, ପ୍ରଦୂଷଣ ଓ ଇନ୍ଧନ କ୍ଷମତାକୁ ଧ୍ୟାନରେ ରଖି E20 ନୀତି ନିଷ୍ପତ୍ତି ନିଆଯାଇଛି। ସରକାରଙ୍କ କହିବା ଅନୁସାରେ, ଭାରତରେ ୧ ଲକ୍ଷରୁ ଅଧିକ ଇନ୍ଧନ ବିକ୍ରୟ କେନ୍ଦ୍ର ରହିଛି, ଯାହା ରିଫାଇନେରୀ, ଡିପୋ ଓ ପାଇପଲାଇନ୍ ନେଟୱର୍କ ସହ ଜଡିତ । ଯଦି ସାଧାରଣ ପେଟ୍ରୋଲ, E10 ଓ E20 ପାଇଁ ଅଲଗା ଅଲଗା ଯୋଗାଣ ବ୍ୟବସ୍ଥା କରାଯାଏ, ତେବେ ଖର୍ଚ୍ଚ ବଢ଼ିବ, ଷ୍ଟୋରେଜ୍ ଓ ପରିଚାଳନା ଅଧିକ ଜଟିଳ ହେବ ଏବଂ ଇନ୍ଧନ ବଣ୍ଟନ ବ୍ୟବସ୍ଥା ଉପରେ ଅତିରିକ୍ତ ଚାପ ପଡ଼ିବ ବୋଲି ମନ୍ତ୍ରଣାଳୟ କହିଛି।

ଅନ୍ୟପଟେ E20 ପେଟ୍ରୋଲକୁ ନେଇ ପୁରୁଣା କାର୍ ଓ ଦୁଇଚକିଆ ଯାନ ମାଲିକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। କାରଣ ଅନେକ ପୁରୁଣା ଗାଡ଼ିକୁ ପୂର୍ବରୁ କେବଳ E10 ପେଟ୍ରୋଲ ପାଇଁ ଉପଯୁକ୍ତ ବୋଲି କୁହାଯାଇଥିଲା। ଏନେଇ ପେଟ୍ରୋଲିୟମ ମନ୍ତ୍ରଣାଳୟ କହିଛି ଯେ, ଅଧିକ ଇଥାନଲ ମିଶ୍ରଣ ଲାଗୁ କରିବା ପୂର୍ବରୁ ଅଟୋମୋବାଇଲ୍ ନିର୍ମାତା କମ୍ପାନୀମାନଙ୍କ ସହ ପରାମର୍ଶ କରାଯାଇଥିଲା। ଯଦି ଗାଡ଼ି ନିର୍ମାତାମାନେ ପରୀକ୍ଷଣ ଫଳାଫଳ ନେଇ ସନ୍ତୁଷ୍ଟ ନଥାନ୍ତେ, ତେବେ ସେମାନେ E20 ଯୋଜନାକୁ ସମର୍ଥନ କରିନଥାନ୍ତେ କିମ୍ବା ଗାଡ଼ିର ୱାରେଣ୍ଟି ଜାରି ରଖିନଥାନ୍ତେ।ସରକାରଙ୍କ ଅନୁଯାୟୀ, ଏହି ପୁରୁଣା ଗାଡ଼ିଗୁଡ଼ିକରେ E20 ବ୍ୟବହାର ଯୋଗୁଁ ଜଙ୍ଗ ଲାଗିବା, ଅସାଧାରଣ ଘସାଘସି କିମ୍ବା ପାର୍ଟସ୍ ଖରାପ ହେବା ଭଳି ବଡ଼ ସମସ୍ୟା ଦେଖାଯାଇନାହିଁ। ହିରୋ ମୋଟୋକର୍ପର ଅନୁଭବ ମଧ୍ୟ ସମାନ ବୋଲି ମନ୍ତ୍ରଣାଳୟ କହିଛି। ସେପଟେ କିଛି ଗ୍ରାହକ E20 ଲାଗୁ କରିବା ନେଇ ଆପତ୍ତି ଜାରି ରଖିଛନ୍ତି। ସୋସିଆଲ ମିଡିଆରେ ଅନେକ ଗାଡ଼ି ମାଲିକ ନିଜ ଅନୁଭବ ସେୟାର କରି ଏହି ନୀତି ଉପରେ ପ୍ରଶ୍ନ ଉଠାଉଛନ୍ତି।

 

 

 

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button