Sonam Raghuvanshi: ରାଜ ରଘୁବଂଶୀ ହତ୍ୟା ମାମଲାରେ ସୁପ୍ରିମକୋର୍ଟରେ ସୋନମଙ୍କ ଗୁହାରି, କହିଲେ-ମୋତେ ଫସାଯାଇଛି

ନୂଆଦିଲ୍ଲୀ ୧୧।୦୭; ବହୁଚର୍ଚ୍ଚିତ ରାଜା ରଘୁବଂଶୀ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ସୋନମ ରଘୁବଂଶୀ ସୁପ୍ରିମ୍କୋର୍ଟରେ ଦାଖଲ କରିଥିବା ସତ୍ୟପାଠରେ ନିଜକୁ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ବୋଲି ଦାବି କରିଛନ୍ତି। ତାଙ୍କ ବିରୋଧରେ ଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଛ ଏବଂ ତାଙ୍କୁ ଯୋଜନାବଦ୍ଧ ଭାବେ ଫସାଯାଇଛି ବୋଲି ସେ କହିଛନ୍ତି। ସୋନମଙ୍କ ଜାମିନ ରଦ୍ଦ କରିବା ପାଇଁ ମେଘାଳୟ ସରକାର କରିଥିବା ଆବେଦନର ଜବାବରେ ସେ ଏହି ସତ୍ୟପାଠ ଦାଖଲ କରିଛନ୍ତି।
ସୋନମ କହିଛନ୍ତି, ତାଙ୍କ ବିରୋଧରେ ପ୍ରତ୍ୟକ୍ଷ ପ୍ରମାଣ ନାହିଁ। କେବଳ ପରିସ୍ଥିତିଜନିତ ପ୍ରମାଣକୁ ଆଧାର କରି ତାଙ୍କୁ ଅଭିଯୁକ୍ତ ଭାବେ ଫସାଯାଇଛି । ସେ ତଦନ୍ତ ଓ ବିଚାର ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି ଏବଂ ମାମଲାର ବିଚାର ବିଳମ୍ବ ପାଇଁ ତାଙ୍କୁ ଦାୟୀ କରାଯାଇପାରିବ ନାହିଁ ବୋଲି ମଧ୍ୟ ଉଲ୍ଲେଖ କରିଛନ୍ତି। ଅନ୍ୟପକ୍ଷରେ, ମେଘାଳୟ ସରକାର ସୁପ୍ରିମ୍କୋର୍ଟରେ କହିଛନ୍ତି ଯେ, ରାଜା ରଘୁବଂଶୀଙ୍କ ହତ୍ୟା କୌଣସି ଦୁର୍ଘଟଣା କିମ୍ବା ରହସ୍ୟମୟ ଘଟଣା ନୁହେଁ, ବରଂ ଏହା ଏକ ସୁଚିନ୍ତିତ ଷଡ଼ଯନ୍ତ୍ର।
ସରକାରଙ୍କ ଦାବି ଅନୁସାରେ, ସୋନମ ଅନ୍ୟ ଅଭିଯୁକ୍ତମାନଙ୍କ ସହ ମିଶି ଯୋଜନା ପ୍ରସ୍ତୁତ କରି ନିଜ ସ୍ୱାମୀଙ୍କୁ ମେଘାଳୟକୁ ନେଇଥିଲେ ଏବଂ ଘଟଣା ପରେ ଅପହରଣର ଏକ ମିଛ କାହାଣୀ ଗଢ଼ିଥିଲେ। ସରକାରଙ୍କ ମତରେ, ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ତାଙ୍କ ଜାମିନ ରଦ୍ଦ କରାଯିବା ଉଚିତ। ଏହାପୂର୍ବରୁ ସୁପ୍ରିମ୍କୋର୍ଟ ସୋନମଙ୍କୁ ମିଳିଥିବା ଜାମିନ ଉପରେ ତୁରନ୍ତ ରୋକ ଲଗାଇବାକୁ ମନା କରିଥିଲେ। ଏବେ ମେଘାଳୟ ସରକାରଙ୍କ ଜାମିନ ରଦ୍ଦ ଆବେଦନ ଏବଂ ସୋନମଙ୍କ ସତ୍ୟପାଠକୁ ବିଚାର କରି ସୁପ୍ରିମ୍କୋର୍ଟ ପରବର୍ତ୍ତୀ ଶୁଣାଣିରେ ନିଷ୍ପତ୍ତି ନେବେ।
ସୌଜନ୍ୟ Prameya News7




