ଦରମାରୁ କାଟି ସ୍ତ୍ରୀ-ପିଲାଙ୍କୁ ଦିଆଯିବ ଟଙ୍କା

ଭୁବନେଶ୍ୱର : ସ୍ତ୍ରୀ, ସନ୍ତାନସନ୍ତତିଙ୍କୁ ଭରଣପୋଷଣ ସହାୟତା ଠିକ୍ ଭାବେ ଦେଉ ନ ଥିବା କିମ୍ବା ଛାଡ଼ପତ୍ର ସମ୍ପର୍କିତ ଖର୍ଚ୍ଚ ବହନ କରିବାରେ ଅବହେଳା କରୁଥିବା ସରକାରୀ କର୍ମଚାରୀଙ୍କ ପ୍ରତି ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏପରି କରୁଥିବା କର୍ମଚାରୀଙ୍କ ଦରମାରୁ ଟଙ୍କା କାଟି ତାଙ୍କ ପତ୍ନୀ ଓ ପିଲାଙ୍କୁ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦେଶ ଦେଇଛନ୍ତି। ଏହା ଦ୍ୱାରା କୋର୍ଟଙ୍କ ନିର୍ଦେଶ ସତ୍ତ୍ୱେ ସ୍ୱାମୀଙ୍କ ଠାରୁ ଭରଣପୋଷଣ ପାଉ ନ ଥିବା ମହିଳା ଏବଂ ସନ୍ତାନସନ୍ତତିଙ୍କ ପେଟପୋଷିବା ଚିନ୍ତା ଦୂର ହେବ। ଅନେକ ରାଜ୍ୟ ସରକାରୀ କର୍ମଚାରୀ ସେମାନଙ୍କ ସ୍ତ୍ରୀ ବା ସନ୍ତାନସନ୍ତତିଙ୍କୁ ଭରଣପୋଷଣ ସହାୟତା ଦେଉନାହାନ୍ତି। ଛାଡ଼ପତ୍ର ସମ୍ପର୍କିତ ପୋଷଣ ଖର୍ଚ୍ଚ ମଧ୍ୟ ଦେଉନାହାନ୍ତି। ଏଥିପାଇଁ ଅଦାଲତ ପକ୍ଷରୁ ସ୍ପଷ୍ଟ ନିର୍ଦେଶ ଥିବା ସତ୍ତ୍ୱେ ଅନେକ ପୁରୁଷ କର୍ମଚାରୀ ଏହି ଭରଣପୋଷଣ ଦେବାରେ ଅବହେଳା କରୁଥିବା ନେଇ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ ହେଉଛି। ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟେକ ଅଭିଯୋଗ ଶୁଣାଣି ସମୟରେ ଏ ସମ୍ପର୍କିତ ହାରାହାରି ୨-୩ଟି ଅଭିଯୋଗ ଆସୁଛି। ତେଣୁ, ମୁଖ୍ୟମନ୍ତ୍ରୀ ଏହା ଉପରେ କଡ଼ା ଆଭିମୁଖ୍ୟ ନେଇ ଏହି ଅର୍ଥକୁ ସମ୍ପୃକ୍ତ କର୍ମଚାରୀଙ୍କ ଦରମାରୁ କାଟି ତାଙ୍କ ପରିବାରକୁ ପ୍ରଦାନ କରିବା ପାଇଁ ନିର୍ଦେଶ ଦେଇଛନ୍ତି। ଶ୍ରୀ ମାଝୀ କହିଛନ୍ତି ଯେ, ରାଜ୍ୟର ସରକାରୀ କର୍ମଚାରୀ ହୋଇ ଅଦାଲତର ଅବମାନନା କରିବା ସହିତ ପତ୍ନୀ ଓ ପିଲାଙ୍କ ପ୍ରତି ଏଭଳି ଅବିଚାର କରିବା ରାଜ୍ୟ ସରକାରଙ୍କ ପକ୍ଷେ ଆଦୌ ଗ୍ରହଣୀୟ ନୁହେଁ।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ରାଜ୍ୟ ସରକାର ସମ୍ପୃକ୍ତ ମହିଳା ଓ ସନ୍ତାନସନ୍ତତିଙ୍କ ଭରଣପୋଷଣ ପାଇଁ ନୂଆ ଆଦେଶନାମା ଜାରି କରିଛନ୍ତି। ନୂଆ ନିୟମ ଅନୁଯାୟୀ ଭରଣପୋଷଣ ପ୍ରଦାନ ପାଇଁ ଅଦାଲତଙ୍କ ନିର୍ଦେଶ ପାଇବା ପରେ ବିଭାଗୀୟ ଡିଡିଓ ସମ୍ପୃକ୍ତ ସରକାରୀ କର୍ମଚାରୀଙ୍କ ମାସିକ ଦରମା ବିଲ୍ ପ୍ରସ୍ତୁତ କରିବା ସମୟରେ ଭରଣପୋଷଣ ପାଇଁ ଅଦାଲତ ଯେଉଁ ପରିମାଣର ଅର୍ଥ ନିର୍ଦ୍ଧାରିତ କରିଛନ୍ତି, ସେହି ପରିମାଣର ଅର୍ଥକୁ ଦରମାରୁ କାଟି ସମ୍ପୃକ୍ତ କର୍ମଚାରୀଙ୍କ ପତ୍ନୀ ବା ସନ୍ତାନସନ୍ତତିଙ୍କ ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ ଇଲୋକ୍ଟୋନିକ୍ ସୂତ୍ରରେ ଜମା କରିବେ। ଆଗାମୀ ଦିନରେ ଅଦାଲତଙ୍କ ନିର୍ଦେଶିତ ଭରଣପୋଷଣ ସମ୍ପର୍କିତ ବିଷୟକୁ ରାଜ୍ୟ ସରକାରଙ୍କ ସମନ୍ୱିତ ଓ ସ୍ୱୟଂଚାଳିତ ବ୍ୟବସ୍ଥା (ଏଚଆରଏମଏସ)ରେ ଯୋଡ଼ାଯାଇ ଏହି ବ୍ୟବସ୍ଥାକୁ ଆହୁରି ଉନ୍ନତ କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। ଏହାଦ୍ୱାରା ଅଦାଲତଙ୍କ ନିର୍ଦେଶର ଅନୁପାଳନ ହେବା ସହିତ ସମ୍ପୃକ୍ତ ମହିଳା ବା ସେମାନଙ୍କ ସନ୍ତାନସନ୍ତତିଙ୍କ ଦୁର୍ଦ୍ଦଶା ମଧ୍ୟ ଅନେକ ପରିମାଣରେ ଦୂର ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।
ସୌଜନ୍ୟ ସମାଜ




