ରାଜ୍ୟ

ଦାରିଙ୍ଗବାଡି ପ୍ରଶାସନର ବଡ଼ ପଦକ୍ଷେପ; ଘରଭଡା ଦେଲେ ପୋଲିସକୁ ତଥ୍ୟ ଦେବେ ମାଲିକ, ବାହାର ରାଜ୍ୟର ଲୋକ ଥାନାରୁ…

ଦାରିଙ୍ଗବାଡି,୧୮।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଗୋଟିଏ ମାସ ମଧ୍ୟରେ ୫ରୁ ଅଧିକ ଲୁଟ୍ ହୋଇଛି । ଏହି ଘଟଣାରେ କନ୍ଧମାଳ ଏସପି ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି ।

ପ୍ରକାଶ ଯେ କନ୍ଧମାଳ ଏସପି ରମେନ୍ଦ୍ର ପ୍ରସାଦଙ୍କ ନିର୍ଦ୍ଦେଶକ୍ରମେ ସୋମବାର ଦାରିଙ୍ଗବାଡି ଥାନା ଅଞ୍ଚଳ ରାଣୀଦୁର୍ଗା ରେସିଡେଣ୍ଟାଲ କଲ୍ୟାଣ ମଣ୍ଡପ ଠାରେ ସମ୍ୱନ୍ନୟ ବୈଠକ ଅନୁଷ୍ଠିତ ହୋଇଥିଲା ।ବାଲିଗୁଡା ଏସଡିପିଓ ତଥା ଆଇପିଏସ ଶୁଭମ ଭୋସଲେଙ୍କ ଅଧ୍ୟକ୍ଷତାରେ ଦାରିଙ୍ଗବାଡି ଆଇଆଇସି ସଂଗ୍ରାମ କେଶରୀ ଜେନାଙ୍କ ଆବାହନ କ୍ରମେ ବଣିକ ସଙ୍ଘ ଓ ହୋଟେଲ ସଙ୍ଘ ଯୋଗ ଦେଇଥିଲେ । ଏହି ବୈଠକରେ ବଣିକ ସଙ୍ଘ ର ସଭାପତି ଲଡ଼ୁ କିଶୋର ସାହୁ, ସନ୍ତୋଷ ସାହୁ, ଦିଲୀପ ସାହୁ, ଭଗବାନ ସାହୁ, ଅଜିତ ସାହୁଙ୍କ ସମେତ ସଙ୍ଘର ଶତାଧିକ ସଦସ୍ୟଙ୍କ ଗହଣରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟରେ ନିଷ୍ପତି ଗ୍ରହଣ କରାଯାଇଥିଲା । ଦାରିଙ୍ଗବାଡି ଏକ ବିଶ୍ୱସ୍ତରୀୟ ପର୍ଯ୍ୟଟନକ୍ଷେତ୍ର ହୋଇଥିବା ବେଳେ ଦୈନିକ ଶହ ଶହ ପର୍ଯ୍ୟଟକଙ୍କ ସମେତ ଅଜଣା ଲୋକଙ୍କ ଯାତାୟାତ ରହୁଛି । ସେହିପରି ଦାରିଙ୍ଗବାଡି ଅଞ୍ଚଳରେ ବିଭିନ୍ନ ବିଭାଗର ଉନ୍ନୟନ କାର୍ଯ୍ୟରେ ରାଜ୍ୟ ବାହାର ମିସ୍ତ୍ରୀ, ଶ୍ରମିକମାନେ ଆସି ଏଠାରେ କାମ କରୁଛନ୍ତି । ସେହିପରି ବୁଲା ବିକାଳୀଙ୍କ ସଂଖ୍ୟା ଓ ନମ୍ବର ବିହୀନ ବାଇକ ଆଦି ଧରି ବୁଲାବିକାଲି ଗାଁ ଗାଁରେ ବ୍ୟବସାୟ କରିବାକୁ ବୁଲୁଛନ୍ତି । ସେହିପରି ଦାରିଙ୍ଗବାଡିରେ ବିଭିନ୍ନ ସାହି, ଗଳିରେ ମାଲିକମାନେ ନିଜ ଘର ଭଡା ଦେଉଛନ୍ତି ଯାହାର କି ତଥ୍ୟ ନା ମାଲିକ ନିକଟରେ ରହିଛି ନା ପୋଲିସ ନିକଟରେ ରହୁଛି ।

ତେଣୁ ବାହାର ରାଜ୍ୟର ଲୋକ ସ୍ଥାନୀୟ ଅସାମାଜିକ ଲୋକଙ୍କ ସହ ମିଶି ଅପରାଧିକ କାର୍ଯ୍ୟ କରି ଫେରାର ହୋଇଗଲେ ମଧ୍ୟ କୌଣସି ତଥ୍ୟ ନଥିବାରୁ ଅପରାଧି ମାନେ ଖସି ପଳାଇବାରେ ସକ୍ଷମ ହେଉଛନ୍ତି । ସେହିପରି ଦାରିଙ୍ଗବାଡିରେ ଏବେ ଲୁଟ ହୋଇଥିବା ଘର ଗୁଡିକ ନିକଟରେ ସିସି ଟିଭି ନଥିବାରୁ ପୋଲିସକୁ ଅପରାଧୀଙ୍କ ନିକଟରେ ପହଞ୍ଚିବା ବିଳମ୍ବ ଓ ମୁସ୍କିଲ ହେଉଛି । ତେଣୁ ଏହାର ସମାଧାନ ପାଇଁ ପ୍ରଶାସନ ଓ ଉଭୟ ସଙ୍ଘର ସହାୟତାରେ ଦାରିଙ୍ଗବାଡି ସହରରେ ସିସିଟିଭି ଲଗାଇବାକୁ ନିଷ୍ପତ୍ତି ନେଇଛି । ଏଥିସହ ଯେଉଁମାନେ ବାହାର ରାଜ୍ୟ କିମ୍ବା ଜିଲାରୁ ଦାରିଙ୍ଗବାଡି ଅଞ୍ଚଳରେ ଶ୍ରମିକ, ମିସ୍ତ୍ରୀ ଓ ଅନ୍ୟାନ୍ୟ କାମ ପାଇଁ ଆସି ରହୁଛନ୍ତି ସେମାନଙ୍କ ତଥ୍ୟ  ସମ୍ପୃକ୍ତ ଠିକା ସଂସ୍ଥା ବା ସରକାରୀ, ବେସରକାରୀ ସଂସ୍ଥା ପକ୍ଷରୁ ପୋଲିସକୁ ଦିଆଯିବାକୁ ବାଧ୍ୟ ବୋଲି ନିଷ୍ପତି ଗ୍ରହଣ କରାଯାଇଛି ।

ସେହିପରି ବିଭିନ୍ନ ରାଜ୍ୟର ପଞ୍ଜିକୃତନମ୍ବର ଥିବା ବାଇକରେ ବୁଲାବିକାଳି ବେଧଡ଼କ ବୁଲୁଛନ୍ତି । ସେମାନଙ୍କ ବାଇକ ରେଜିଷ୍ଟ୍ରେସନ ନମ୍ବର ସହ ଗାଡି କାଗଜପତ୍ର ଯାଞ୍ଚ, ଆଧାର ଓ ଅନ୍ୟାନ୍ୟ ପରିଚୟ ପତ୍ରକୁ ପୋଲିସ କଡାକଡି ଯାଞ୍ଚ କରାଯିବ । ସେମାନଙ୍କୁ ପୋଲିସ ପକ୍ଷରୁ ପରିଚୟ ପତ୍ର ପ୍ରଦାନ କରାଯିବା ସହ ସେମାନଙ୍କ ସମସ୍ତ ତଥ୍ୟ ପୋଲିସ ରଖିବାକୁ ନିଷ୍ପତି ଗ୍ରହଣ କରାଯାଇଛି ।

 

 

 

 

ସୌଜନ୍ୟ ଧରିତ୍ରୀ

Show More

Leave a Reply

Your email address will not be published. Required fields are marked *

Back to top button