ନକଲୀ ଡିଗ୍ରି ମାମଲାରେ ବରଖାସ୍ତ ହେବେ ୩ ହଜାରରୁ ଅଧିକ ଶିକ୍ଷକ, ସୁଧ ସହ ଆଦାୟ ହେବ ବେତନ
ବିହାର ଶିକ୍ଷାମନ୍ତ୍ରୀ ମିଥିଳେଶ ତିୱାରୀ ଶୁକ୍ରବାର ଘୋଷଣା କରିଛନ୍ତି ଯେ ରାଜ୍ୟ ସରକାର ଜାଲ ଡିଗ୍ରି ଓ ନକଲୀ ଶିକ୍ଷା ପ୍ରମାଣପତ୍ର ମାଧ୍ୟମରେ ଚାକିରି ପାଇଥିବା ୩ ହଜାରରୁ ଅଧିକ ଶିକ୍ଷକଙ୍କୁ ବରଖାସ୍ତ କରିବେ। ତିୱାରୀ କହିଛନ୍ତି ଯେ ଯାଞ୍ଚରୁ ଜାଲି ଶିକ୍ଷାନୁଷ୍ଠାନ ଓ ନିଯୁକ୍ତି କାଳରେ ଉପଯୋଗ ହୋଇଥିବା ନକଲୀ ଶିକ୍ଷାଗତ କାଗଜପତ୍ର ସମ୍ପର୍କିତ ବଡ଼ ଧରଣର ଅନିୟମିତତା ସାମ୍ନାକୁ ଆସିଛି।

ପାଟନା: ବିହାର ଶିକ୍ଷାମନ୍ତ୍ରୀ ମିଥିଳେଶ ତିୱାରୀ ଶୁକ୍ରବାର ଘୋଷଣା କରିଛନ୍ତି ଯେ ରାଜ୍ୟ ସରକାର ଜାଲ ଡିଗ୍ରି ଓ ନକଲୀ ଶିକ୍ଷା ପ୍ରମାଣପତ୍ର ମାଧ୍ୟମରେ ଚାକିରି ପାଇଥିବା ୩ ହଜାରରୁ ଅଧିକ ଶିକ୍ଷକଙ୍କୁ ବରଖାସ୍ତ କରିବେ। ସେ କହିଛନ୍ତି ଯେ ଏହି ଦୁର୍ନୀତିରେ ସାମିଲ ଲୋକଙ୍କ ବିରୋଧରେ କଡ଼ା ଅନୁଶାସନାତ୍ମକ କାର୍ଯ୍ୟାନୁଷ୍ଠାନ କରାଯିବ। ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ତିୱାରୀ କହିଛନ୍ତି ଯେ ରାଜ୍ୟ ସତର୍କତା ବ୍ୟୁରୋ ଦ୍ୱାରା ୨୦୦୬-୨୦୧୫ ମଧ୍ୟରେ ହୋଇଥିବା ଶିକ୍ଷକ ନିଯୁକ୍ତିର ବିସ୍ତୃତ ଯାଞ୍ଚ ପରେ ସରକାର ଏହି ପଦକ୍ଷେପ ନେବାକୁ ଯାଉଛନ୍ତି।
ତିୱାରୀ କହିଛନ୍ତି ଯେ ଯାଞ୍ଚରୁ ଜାଲି ଶିକ୍ଷାନୁଷ୍ଠାନ ଓ ନିଯୁକ୍ତି କାଳରେ ଉପଯୋଗ ହୋଇଥିବା ନକଲୀ ଶିକ୍ଷାଗତ କାଗଜପତ୍ର ସମ୍ପର୍କିତ ବଡ଼ ଧରଣର ଅନିୟମିତତା ସାମ୍ନାକୁ ଆସିଛି। ଅଧିକାରୀମାନେ କହିଛନ୍ତି ଯେ ରିପୋର୍ଟ ଆଧାରରେ ଏହି ଶିକ୍ଷକଙ୍କ ବିରୋଧରେ ଅନେକ ଏଫଆଇଆର ରୁଜୁ ହେଲାଣି। ଏଥିରେ ଶିକ୍ଷକମାନଙ୍କୁ ଅଭିଯୁକ୍ତ କରାଯାଇଛି। ଏମାନଙ୍କୁ ଚାକିରୀରୁ ବରଖାସ୍ତ କରାଯିବା ପରେ ସେମାନଙ୍କ ବିରୋଧରେ କଡ଼ା ଅନୁଶାସନାତ୍ନକ କାର୍ଯ୍ୟାନୁଷ୍ଠାନ ମଧ୍ୟ ହେବ। କେନ୍ଦ୍ର ଓ ରାଜ୍ୟର ଏନଡିଏ ସରକାର ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରୁଛନ୍ତି। ଏହି ଶିକ୍ଷକ ନିଯୁକ୍ତି ଅନିୟମିତତା ଯାଞ୍ଚ ଲାଗି ତତ୍କାଳୀନ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଭିଜିଲାନ୍ସ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ।
ଅଧିକାରୀମାନେ କହିଛନ୍ତି ଯେ ଶିକ୍ଷା ବିଭାଗ ଏପରି ଶିକ୍ଷକଙ୍କଠାରୁ ସେମାନଙ୍କ ଚାକିରୀ କାଳରେ ପୈଠ କରାଯାଇଥିବା ବେତନ ଓ ପାରିତୋଷିକ ସହିତ ସୁଧ ମଧ୍ୟ ଆଦାୟ କରିବ। ଅଧିକାରୀମାନେ କହିଛନ୍ତି ଯେ ତଦନ୍ତ କାଳରେ ଯାଞ୍ଚକର୍ତ୍ତା ଜାଣିବାକୁ ପାଇଛନ୍ତି ଯେ ଶିକ୍ଷକ ରୂପେ ନିଯୁକ୍ତି ପାଇଥିବା ପ୍ରାର୍ଥୀ ମିଛ କଲେଜଙ୍କ ଦ୍ୱାରା ଜାରି ପ୍ରମାଣପତ୍ର ପ୍ରସ୍ତୁତ କରିଥିଲେ। ସେହିପରି ଅନ୍ୟ କେତେକ ଶିକ୍ଷକ ନିଯୁକ୍ତି ପାଇବା ପାଇଁ ଜାଲି ଶିକ୍ଷାଗତ ଯୋଗ୍ୟତା ଉପଯୋଗ କରିଥିଲେ।
ତଦନ୍ତକାଳରେ ଦେଖା ଯାଇଥିଲା ଯେ କେତେକ ଶିକ୍ଷକ ସେମାନଙ୍କ ବିରୋଧରେ ଅନୁଶାସନାତ୍ମକ କାର୍ଯ୍ୟାନୁଷ୍ଠାନ ହେବାକୁ ଯାଉଥିବା ଦେଖି ଚାକିରୀରୁ ଇସ୍ତଫା ଦେଇଥିଲେ। ଅଧିକାରୀମାନେ କହିଛନ୍ତି ଯେ ସେମାନଙ୍କ ବିରୋଧରେ ମଧ୍ୟ ବିଭାଗ ଦ୍ୱାରା କାର୍ଯ୍ୟାନୁଷ୍ଠାନ କରାଯିବ ଓ ସେମାନଙ୍କ ଠାରୁ ପୈଠ ବେତନ ଓ ତାର ସୁଧ ମଧ୍ୟ ଅସୁଲ କରାଯିବ।
ସୌଜନ୍ୟ Prameya News7




