ପତ୍ନୀ ହତ୍ୟା ମାମଲାରେ ଦୋଷୀ ପୂର୍ବତନ ବିଧାୟକଙ୍କ ମୃତ୍ୟୁ, ଜେଲ୍ରେ ସଜା ଭୋଗୁଥିବା ବେଳେ ଆଖି ବୁଜିଲେ

ଭୁବନେଶ୍ୱର: ରାୟଗଡା ଜିଲ୍ଲା ଗୁଣପୁରର ପୂର୍ବତନ ରାମମୂର୍ତ୍ତି ଗମାଙ୍ଗୋଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା। ସେ ୧୯୯୦ ରୁ ୧୯୯୫ ମସିହା ପର୍ଯ୍ୟନ୍ତ ଜନତା ଦଳରୁ ବିଧାୟକ ହୋଇଥିଲେ। ପରେ ବିଜେଡି – ବିଜେପି ମେଣ୍ଟ ସମୟରେ ୨୦୦୦ ମସିହାରୁ ୨୦୦୫ ପର୍ଯ୍ୟନ୍ତ ବିଜେପିରୁ ବିଧାୟକ ଥିଲେ।
ପରବର୍ତ୍ତୀ ସମୟରେ ଏକାଧିକ ଥର ଦଳ ପରିବର୍ତ୍ତନ କରି ବିଜେଡିରେ ସାମିଲ ହୋଇଥିଲେ। ପତ୍ନୀ ହତ୍ୟା ମାମଲାରେ ଭୁବନେଶ୍ଵରର ସ୍ଵତନ୍ତ୍ର କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲ୍ ଦଣ୍ଡାଦେଶ ଶୁଣାଇ ଥିଲେ।
ସେ ରକ୍ତଚାପ ଓ ମଧୁମେହରେ ପୀଡିତ ଥିଲେ। ମଧୁମେହ ଅଧିକ ଥିବାରୁ ଦୁଇ ଦିନ ହେବ ଏମସରେ ଚିକିତ୍ସା ହେଉଥିଲେ। ଗୁରୁବାର କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ଆଜି ଭୋର ୩ଟା ସମୟରେ ଡାକ୍ତରଖାନାରେ ମୃତ୍ୟୁ ଘଟିଥିବା ତାଙ୍କ ପରିଜନ ପକ୍ଷରୁ ଜଣାପଡିଛି।
କଣ ଥିଲା ପୂରା ମାମଲା ?
ରାମ ମୂର୍ତ୍ତି ଗମାଙ୍ଗଙ୍କ ପତ୍ନୀ ଶଶୀରେଖା ଗମାଙ୍ଗଙ୍କର ଅର୍ଦ୍ଧଦଗ୍ଧ ମୃତଦେହ ବାଥରୁମ୍ ଭିତରୁ ଉଦ୍ଧାର କରାଯାଇଥିଲା। ସେହି ସମୟରେ ଶଶୀରେଖା ଗର୍ଭବତୀ ଥିଲେ। ପୂର୍ବତନ ବିଧାୟକ ଦାବି କରିଥିଲେ ଯେ ତାଙ୍କ ପତ୍ନୀ ଆତ୍ମହତ୍ୟା କରିଛନ୍ତି। ରାଜନୈତିକ ଶତ୍ରୁତା ଯୋଗୁଁ ତାଙ୍କୁ ଏଥିରେ ଫସାଯାଉଛି। ପ୍ରଥମେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ତଦନ୍ତ ପରେ ଏହାକୁ ହତ୍ୟା ମାମଲାରେ (IPC ଧାରା ୩୦୨ ଏବଂ ୨୦୧) ପରିବର୍ତ୍ତିତ କରାଯାଇଥିଲା।
ନିମ୍ନ ଅଦାଲତଙ୍କ ରାୟ (ଜୁନ୍ ୨୦୨୩)
ଦୀର୍ଘ ୨୮ ବର୍ଷର ବିଚାର ପ୍ରକ୍ରିୟା, ୧୧ ଜଣ ସାକ୍ଷୀଙ୍କ ବୟାନ ଏବଂ ବହୁ ପାରିପାର୍ଶ୍ୱିକ ପ୍ରମାଣକୁ ଆଧାର କରି ଭୁବନେଶ୍ୱରର ସ୍ପେଶାଲ କୋର୍ଟ (MP/MLA) ୨୭ ଜୁନ୍ ୨୦୨୩ରେ ରାୟ ଶୁଣାଇଥିଲେ। କୋର୍ଟ ରାମ ମୂର୍ତ୍ତି ଗମାଙ୍ଗଙ୍କୁ ପତ୍ନୀ ହତ୍ୟା ଓ ପ୍ରମାଣ ନଷ୍ଟ ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଥିଲେ। ତାଙ୍କୁ ଆଜୀବନ କାରାଦଣ୍ଡ ସହିତ ୫୦ ହଜାର ଟଙ୍କା ଜରିମାନା ଅନାଦେୟ ଆଉ ୧ ବର୍ଷ ସଶ୍ରମ କାରାଦଣ୍ଡର ନିର୍ଦ୍ଦେଶ ଦେଇଥିଲେ। ନିମ୍ନ ଅଦାଲତଙ୍କ ଦଣ୍ଡାଦେଶକୁ ଚ୍ୟାଲେଞ୍ଜ କରି ରାମ ମୂର୍ତ୍ତି ଗମାଙ୍ଗ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
ହାଇକୋର୍ଟ ଶୁଣାଣି ସମୟରେ ଫୋରେନ୍ସିକ ରିପୋର୍ଟକୁ ଗୁରୁତ୍ୱ ଦେଇଥିଲେ। ମୃତଦେହର ମୁଣ୍ଡ ପଛପଟେ ଆଘାତ ଚିହ୍ନ ଥିଲା ଏବଂ ବାଥରୁମର କବାଟ କିମ୍ବା ପରିବେଶରେ ଆତ୍ମହତ୍ୟା ଭଳି କୌଣସି ପରିସ୍ଥିତି ସୃଷ୍ଟି ହୋଇନଥିଲା। ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହୋଇଥିଲା।
୩୦ ଅକ୍ଟୋବର ୨୦୨୪ରେ ଓଡ଼ିଶା ହାଇକୋର୍ଟ ରାମ ମୂର୍ତ୍ତିଙ୍କ ଆବେଦନକୁ ଖାରଜ କରିବା ସହ ନିମ୍ନ ଅଦାଲତଙ୍କ ଆଜୀବନ କାରାଦଣ୍ଡାଦେଶକୁ କାଏମ ରଖିଥିଲେ। ତାଙ୍କୁ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ହାଇକୋର୍ଟଙ୍କ ରାୟ ବିରୋଧରେ ସେ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି, ଯେଉଁଥିରେ ଫେବୃଆରୀ ୨୦୨୫ରେ କୋର୍ଟ ନୋଟିସ ଜାରି କରିଥିଲେ। ରାମ ମୂର୍ତ୍ତି ଗମାଙ୍ଗଙ୍କ ବୟସ ପ୍ରାୟ ୮୦ ବର୍ଷ ହୋଇଥିବାରୁ, ଜେଲରେ ସଜା କାଟୁଥିବା ସମୟରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଥିଲା। ଡାକ୍ତରୀ ସେବା ଓ ନଜରବନ୍ଦୀରେ ଥିବାବେଳେ ସକାଳେ ମୃତ୍ୟୁ ଘଟିଛି।
ସୌଜନ୍ୟ Prameya News7




