ଦେଶ ବିଦେଶ

ପିଓକେ ବ୍ୟତୀତ ଅନ୍ୟ କୌଣସି ପ୍ରସଙ୍ଗରେ ପାକିସ୍ତାନ ସହ କଥାବାର୍ତ୍ତା ହେବ ନାହିଁ: ରାଜନାଥ

ନୂଆଦିଲ୍ଲୀ : ୨୭ତମ କାର୍ଗିଲ ବିଜୟ ଦିବସ ଅବସରରେ ଲଦାଖର ଦ୍ରାସ୍‌ସ୍ଥିତ କାର୍ଗିଲ ଯୁଦ୍ଧ ସ୍ମାରକୀରେ ସହିଦ ଯବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଏହି ଅବସରରେ ଦେଶବାସୀଙ୍କୁ ସମ୍ବୋଧିତ କରି ସେ ପାକିସ୍ତାନକୁ କଡ଼ା ଚେତାବନୀ ଦେଇଛନ୍ତି। ରାଜନାଥ ସ୍ପଷ୍ଟ କରିଛନ୍ତି ଯେ ପାକିସ୍ତାନ ସହ ଆଉ କୌଣସି ଦ୍ୱିପାକ୍ଷିକ ଆଲୋଚନା ହେବ ନାହିଁ। ଯଦି ପାକିସ୍ତାନ ସହିତ କେବେ ଆଲୋଚନା ହୁଏ, ତେବେ ତାହା କେବଳ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ପ୍ରସଙ୍ଗରେ ହିଁ ହେବ, କାରଣ ପିଓକେ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ଓ ଏହାକୁ ପାକିସ୍ତାନ ବେଆଇନ ଭାବେ ଦଖଲ କରିଛି। ଭାରତର ସାର୍ବଭୌମତ୍ୱ ଓ ସୁରକ୍ଷା ପ୍ରତି କୌଣସି ଧମକ କିମ୍ବା ପାକିସ୍ତାନର ପ୍ରତ୍ୟେକ ଦୁଃସାହସିକ ପଦକ୍ଷେପର ଭାରତୀୟ ସେନା ଏପରି ଜବାବ ଦେବ, ଯାହା ପାକିସ୍ତାନର କଳ୍ପନା ବାହାରେ। ପାକିସ୍ତାନ ଆତଙ୍କବାଦକୁ ନିଜର ସରକାରୀ ନୀତିର ଅଂଶ ବନାଇସାରିଛି। ସେଠାରେ ସେନା ଓ ଆତଙ୍କବାଦୀ ସଙ୍ଗଠନଗୁଡ଼ିକ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ। ଭାରତ ଯେତେବେଳେ ନୂତନ ଜ୍ଞାନକୌଶଳ, ନବସୃଜନ ଏବଂ ଜାହାଜ/ଚିପ୍ ଡିଜାଇନ୍ କରିବାରେ ବ୍ୟସ୍ତ, ପାକିସ୍ତାନ ସେତେବେଳେ ଅନୁପ୍ରବେଶ ଓ ଆତଙ୍କବାଦ ଡିଜାଇନ୍ କରିବାରେ ଲିପ୍ତ ରହିଛି। ଭାରତ ଆଜି ଡାଟା ସେଣ୍ଟର ଗଢ଼ୁଥିବା ବେଳେ ପାକିସ୍ତାନ କଠୋରପନ୍ଥୀ କେନ୍ଦ୍ର ତିଆରି କରିବାରେ ମାତିଛି। ରାଜନାଥ କହିଛନ୍ତି ଯେ ‘ଅପରେସନ୍ ସିନ୍ଦୂର’ ମାଧ୍ୟମରେ ଭାରତୀୟ ସେନା ପ୍ରମାଣିତ କରିସାରିଛି ଯେ ଭାରତ ନିଜ ମାଟିକୁ ସୁରକ୍ଷିତ ରଖିବା ପାଇଁ ସୀମା ଭିତରେ କିମ୍ବା ବାହାରେ ଯାଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତୁତ। ୧୯୯୯ କାର୍ଗିଲ ଯୁଦ୍ଧ ଭାରତ ପାଇଁ କେବଳ ଏକ ସାମରିକ ଓ କୂଟନୈତିକ ବିଜୟ ନୁହେଁ। ଏହା ଭାରତୀୟ ସେନାର ସାହସ, ଦୃଢ ସଂକଳ୍ପ ଓ ତ୍ୟାଗର ପ୍ରତୀକ ଭାବେ ପରିଚିତ ବୋଲି ରାଜନାଥ କହିଛନ୍ତି।

 

 

 

 

 

ସୌଜନ୍ୟ ସମାଜ

Show More

Leave a Reply

Your email address will not be published. Required fields are marked *

Back to top button