ଓଡିଶା

Farmer: ଚାଷୀ ସମାବେଶରେ ନବୀନଙ୍କ ଶାଣିତ ଆକ୍ରମଣ: ‘ସେବା ଦରକାର, ପ୍ରବଚନ ନୁହେଁ’

ଲୋକଙ୍କୁ ସେବା ଦରକାର, ନେତାଙ୍କ ପ୍ରବଚନ ନୁହେଁ। କାହାଣୀରେ ସରକାର ଚାଲେନି, ବରଂ କାମ ଦରକାର। ଚାଷୀଙ୍କ ହକ୍‌ ପାଇଁ ବିଜେଡି ପକ୍ଷରୁ ଆଜି ଲୋୟର ପିଏମ୍‌ଜିରେ ଆୟୋଜିତ ଚାଷୀ ସମାବେଶରେ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ ଏଭଳି ଶାଣିତ ଆକ୍ରମଣ କରିଛନ୍ତି।

ଭୁବନେଶ୍ବର: ଲୋକଙ୍କୁ ସେବା ଦରକାର, ନେତାଙ୍କ ପ୍ରବଚନ ନୁହେଁ। କାହାଣୀରେ ସରକାର ଚାଲେନି, ବରଂ କାମ ଦରକାର। ଚାଷୀଙ୍କ ହକ୍‌ ପାଇଁ ବିଜେଡି ପକ୍ଷରୁ ଆଜି ଲୋୟର ପିଏମ୍‌ଜିରେ ଆୟୋଜିତ ଚାଷୀ ସମାବେଶରେ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ ଏଭଳି ଶାଣିତ ଆକ୍ରମଣ କରିଛନ୍ତି। ‌ହଜାର ହଜାର ଚାଷୀଙ୍କୁ ଉଦ୍‌ବୋଧନ ଦେଇ ସେ କହିଲେ ଖୁବ୍‌ଶୀଘ୍ର ଏ ସରକାର ଦୁଇ ବର୍ଷ ପୂରଣ କରିବ। ଏତେ ଦିନ ବିତିଯାଇଥିଲେ ମଧ୍ୟ ସରକାର ଠିକ୍‌ ଭାବେ ନିଷ୍ପତ୍ତି ନେଇପାରୁ ନାହିଁ କି କାର୍ଯ୍ୟକାରୀ କରିପାରୁ ନାହାନ୍ତି। ନିର୍ବାଚନ ସମୟରେ ବହୁତ ବଡ଼ କଥା କହୁଥିଲେ। ଲମ୍ବା ପ୍ରତିଶ୍ରୁତି ଦେଇଥିଲେ। ହେଲେ କିଛି ମିଳିଲା ନାହିଁ। ବରଂ ବିଜେଡି ସରକାର ଚାଷୀଙ୍କ ପାଇଁ ସ୍ୱତନ୍ତ୍ର ବଜେଟ୍‌ କରିଥିଲା। କାଳିଆ ଯୋଜନା ସହ ଋଣ ବ୍ୟବସ୍ଥା କରିଥିଲା। ଜଳସେଚନ ସୁବିଧା ମଧ୍ୟ ହୋଇଥିଲା। ଏ ଡବଲ୍‌ ଇଞ୍ଜିନ୍‌ ସରକାର କ’ଣ କରିଛି ବୋଲି ନବୀନ ପ୍ରଶ୍ନ କରିଛନ୍ତି।

ଚାଷୀଙ୍କ ହକ୍‌ ପାଇଁ ଲଢ଼େଇ ଚାଲିବ
ସରକାରଙ୍କ କୁମ୍ଭକର୍ଣ୍ଣ ନିଦ ହଜେଇ ଦେବୁ

ଆହୁରି କହିଛନ୍ତି ଯେ ଏବର୍ଷ ଚାଷୀଙ୍କୁ ସାର ମିଳିଲା ନାହିଁ। ଏବେ ଧାନ ବି ସରକାର କିଣୁନି। କଟ୍‌ନିଛଟ୍‌ନି ବଢ଼ି ଚାଲିଛି। ଚାଷୀ ଠିକ୍‌ ସମୟରେ ପଇସା ପାଉନି। ଅଭିଯୋଗ କଲେ ଚାଷୀ ମିଛ କହୁଛି ବୋଲି ସରକାର କହୁଛନ୍ତି। ଚାଷୀଙ୍କ ସମସ୍ୟା ନେଇ ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିଲି। ନିର୍ବାଚନ ପ୍ରତିଶ୍ରୁତି ଆନ୍ତରିକତା ସହ ପାଳନ କରିବାକୁ ଅନୁରୋଧ ମଧ୍ୟ କରିଥିଲି। କଟ୍‌ନିଛଟ୍‌ନି ବନ୍ଦ ପାଇଁ ସ୍ବତନ୍ତ୍ର ସ୍କ୍ବାଡ୍‌ ଗଠନ, ମିଲର ଓ ସରକାରୀ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଭାଙ୍ଗିବା, ଇନ୍‌ପୁଟ୍‌ ସବ୍‌ସିଡିରୁ ୧୫୦ କୁଇଣ୍ଟାଲ ସିଲିଂ ଉଠାଣ, ୪୮ ଘଣ୍ଟାରେ ଡିବିଟିରେ ଚାଷୀଙ୍କୁ ପଇସା ଦେବା ଓ ଖୋଲାରେ ପଡ଼ିଥିବା ଧାନକୁ ୭୨ ଘଣ୍ଟାରେ କିଣିବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିଲି। ମାତ୍ର ଦୁଃଖର ବିଷୟ ହେଉଛି ଯେ ୧୫ ଦିନ ବିତିଯାଇଥିଲେ ମଧ୍ୟ କିଛି  ହେଲାନି। କେବଳ ପ୍ରଚାରରେ ଶହ ଶହ କୋଟି ଖର୍ଚ୍ଚ ହେଉଛି। ଚାଷୀଙ୍କ ପାଇଁ କିଛି ନାହିଁ। ୮ ଦିନ ହେଲା ଚାଷୀଙ୍କ ସମସ୍ୟା ପାଇଁ ବିଜେଡି ବିଧାନସଭାରେ ଲଢୁଛି। ହେଲେ ସରକାରଙ୍କର ଚାଷୀଙ୍କ ପ୍ରତି ଖାତିର ନାହିଁ। କେବଳ ସ୍ଲୋଗାନରେ ଜୟ କିଷାନ। କିନ୍ତୁ କାମରେ ଭାଗୋ କିଷାନ ରହିଛି।

ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ନେଇ ଶ୍ରୀ ପଟ୍ଟନାୟକ ସିଧାସଳଖ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି ଯେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ରାଜ୍ୟରେ କେହି ବି ନିରାପଦ ନୁହନ୍ତି। ଚାଷୀମାନେ ନିଜର ହକ୍‌ ପାଉନାହାନ୍ତି। ମା’ମାନଙ୍କୁ ସୁରକ୍ଷା ମିଳୁ ନାହିଁ। ଯୁବ ସମାଜ ରୋଜଗାରରୁ ବଞ୍ଚିତ ହେଉଛନ୍ତି। ସମସ୍ତ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍‌ ହେଉଛି। କୌଣସି ଗୋଟିଏ ବି ପରୀକ୍ଷା ଠିକ୍‌ ହୋଇପାରି ନାହିଁ। ସାଧାରଣ ଲୋକଙ୍କ ଦୁଃଖ ସରୁନି। ଏ ସରକାର କରୁଛି କଣ? ବିଜୁ ଜନତା ଦଳ ଚାଷୀଙ୍କ ହକ୍‌ ପାଇଁ ଲଢ଼େଇ ଜାରି ରଖିବ, ଆଉ ସରକାରଙ୍କର କୁମ୍ଭକର୍ଣ୍ଣ ନିଦ ହଜେଇ ଦେବ ବୋଲି ନବୀନ ଚେତାବନୀ ଦେଇଛନ୍ତି।

ସମାବେଶରେ ବିଜେଡିର ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ର, ସନ୍ତୃପ୍ତ ମିଶ୍ର, ପ୍ରସନ୍ନ ଆଚାର୍ଯ୍ୟ, ଚନ୍ଦ୍ରଶେଖର ସାହୁ, ସଞ୍ଜୟ ଦାସବର୍ମା, ପ୍ରତାପ ଜେନା, ପ୍ରଣବ ପ୍ରକାଶ ଦାସ, ଅରୁଣ କୁମାର ସାହୁ, ସୁଦାମ ମାରାଣ୍ଡି, ଅତନୁ ସବ୍ୟସାଚ୍ଚୀ ନାୟକ, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ବଦ୍ରି ନାରାୟଣ ପାତ୍ର, ଅଶୋକ ଚନ୍ଦ୍ର ପଣ୍ଡା, ଅନନ୍ତ ନାରାୟଣ ଜେନା, ସୁଶାନ୍ତ କୁମାର ରାଉତ, ଗୌତମବୁଦ୍ଧ ଦାସ, ସସ୍ମିତ୍‌ ପାତ୍ର, ମୁନା ଖାଁ, ସୁଲତା ଦେଓ, ସୁବାଶିଷ ଖୁଣ୍ଟିଆ, ସ୍ନେହାଙ୍ଗିନୀ ଛୁରିଆ, ଚିନ୍ମୟ ସାହୁ, ଇପ୍ସିତା ସାହୁ, ସୁଲୋଚନା ଦାସ, ଶର୍ମିଷ୍ଠା ସେଠୀ, ପ୍ରୀତିରଞ୍ଜନ ଘଡ଼ାଇ, ପ୍ରିୟବ୍ରତ ମାଝି, ଲେନିନ୍‌ ମହାନ୍ତି, ପ୍ରଦୀପ ମାଝୀ, ପ୍ରଫୁଲ୍ଲ ସାମଲ, ମାନସ ମାଡକାମି, ପ୍ରଣବ ବଳବନ୍ତରାୟ ପ୍ରମୁଖ ସାମିଲ ହୋଇ ବକ୍ତବ୍ୟ ରଖିଥିଲେ। ସମାବେଶରେ ସମସ୍ତ ନିର୍ବାଚନମଣ୍ଡଳୀରୁ ଚାଷୀଙ୍କ ସମେତ ଯୁବ ଓ ଛାତ୍ରମାନେ ସାମିଲ ହୋଇଥିଲେ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button