ରାଜ୍ୟ

Odisha Flood Update: ଉଛୁଳିଲାଣି ମହାନଦୀ,ଡରାଉଛି ବୈତରଣୀ, ବ୍ରାହ୍ମଣୀ, ସୁବର୍ଣ୍ଣରେଖା ବନ୍ୟା, ୧୦ ଜିଲ୍ଲାର ୧୮, ୪୬୬ ଲୋକେ ପ୍ରଭାବିତ

ଭୁବନେଶ୍ୱର,୨୬/୦୯:  ଆକଳନଠୁ ବି ଭୟଙ୍କର ପ୍ରକୋପ ।  ଚାରିଦିନ କାଳ ନିର୍ଧୁମ ବର୍ଷିଲା । ଯିବା  ଆଗରୁ ପବନ କୋପ ବି ଦେଲା ।  ଦକ୍ଷିଣ ଓଡ଼ିଶାକୁ କ୍ଷତାକ୍ତ କଲା । ଉପକୂଳ ଓ ଉତ୍ତରରେ ବି ପ୍ରବଳ  ବର୍ଷା କରାଇଲା । ଏଭଳି ଗୁରୁତର  ପ୍ରଭାବ ଦେଖାଇ ଅବପାତ ଓଡ଼ିଶା  ଡେଇଁ ଛତିଶଗଡ଼ ପଳାଇଛି । ହେଲେ ଯିବା ପୂର୍ବରୁ ଏହା ଓଡ଼ିଶାରେ ବନ୍ୟା ସ୍ଥିତି ଆଣି ଦେଇଛି । ଉତ୍ତର ଓ ଦକ୍ଷିଣରେ ବିଭିନ୍ନ ନଦୀ ଜଳସ୍ତର  ଫୁଲି ଉଛୁଳିଲାଣି । ମହାନଦୀକୁ  ଛତିଶଗଡ଼ ବର୍ଷା ଚିନ୍ତା ଘାରିଲାଣି ।

ପାଣିପାଗ ବିଭାଗ ଆକଳନ  ହେଲା, ଆଜି ଆହୁରି ଗୋଟିଏ ଦିନ କିଛି ବର୍ଷା ହୋଇପାରେ ।  ସ୍ଥାନେ ସ୍ଥାନେ ପ୍ରବଳ ବର୍ଷିପାରେ । ରବିବାରଠାରୁ ବର୍ଷା ପୂରା କମିବ । ଗଭୀର ଅବପାତ ୨୩ ତାରିଖ ରାତିରେ ଆନ୍ଧ୍ରରେ ସ୍ଥଳଭାଗ ଛୁଇଁବା  ପରେ ୨୪ ତାରିଖ ପୂରାକୁ ପୂରା  ଦକ୍ଷିଣ ଓଡ଼ିଶାରେଦ କୋପ ଦେଖାଇଥିଲା । ଶୁକ୍ରବାର ସକାଳେ ଏହା  ଅବପାତ ଅବସ୍ଥାକୁ ଆସିଲା । ୨୪ ଓ ୨୫  ତାରିଖରେ ଓଡ଼ିଶାରେ ଲଗାଣ ବର୍ଷା ହୋଇଛି ।  ଦକ୍ଷିଣ ସହ ଉପକୂଳରେ ପ୍ରାୟ ୪୦-୫୦ କିମି  ବେଗରେ ପବନ ମାଡ଼ ହୋଇଛି । ଦକ୍ଷିଣ ଓଡ଼ିଶାର ବହୁ ସ୍ଥାନରୁ ଭୂସ୍ଖଳନ, ପୋଲ  ଭାସିବା, ନଦୀ ଫୁଲିବା ଏବଂ ଗଛ ଓ ପଥର ଖସି  ଯୋଗାଯୋଗ ବିଚ୍ଛିନ୍ନ ଖବର ଆସିଥିବାବେଳେ  ଉତ୍ତର ଓଡ଼ିଶାରେ ବି ବନ୍ୟା ସ୍ଥିତି ଦେଖା  ଦେଇଛି ।

ଜଳ ସମ୍ପଦ ବିଭାଗ ସୂଚନା ଅନୁସାରେ  ମହାନଦୀ ଉପରମୁଣ୍ଡରେ ଅଧିକ ବର୍ଷା ଆଶଙ୍କା  ଥିବାରୁ ହୀରାକୁଦ ୪ଟି ଗେଟ୍‌ ଖୋଲିଛି । ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୮୪ ହଜାର ୯୧୯ କ୍ୟୁସେକ ପାଣି ପ୍ରବେଶ କରୁଥିବାବେଳେ  ସେତିକି ପାଣି ନିଷ୍କାସିତ ହେଉଛି । ହୀରାକୁଦ  ଜଳସ୍ତର ୬୨୯.୬୫ ଫୁଟ ରହିଥିଲା ସନ୍ଧ୍ୟାରେ । ବ୍ରାହ୍ମଣୀ ଜଳସ୍ତର ବଢ଼ୁଥିଲେ ମଧ୍ୟ  ବିପଦ ସଙ୍କେତ ତଳେ ଅଛି । ରାତି ୯ଟା  ସୁଦ୍ଧା ଜେନାପୁରରେ ଜଳସ୍ତର ୨୦.୨୨ମିଟର  ଥିଲା । ଏଠାରେ ବିପଦ ସଙ୍କେତ ସ୍ତର ୨୩  ମିଟର । ବୈତରଣୀ ବିପଦ ସଙ୍କେତ ଉପରେ  ଚାଲିଛି । ଆଖୁଆପଦାରେ ଜଳସ୍ତର ୧୯.୨୪  ମିଟର ଥିଲା । ଏଠି ବିପଦ ସଙ୍କେତ ସ୍ତର  ୧୮.୩୩ ।

ବୁଢ଼ାବଳଙ୍ଗ ବିପଦ ସଙ୍କେତ (୮.୧୩  ମି) ଉପରେ ପ୍ରବାହିତ ହେଉଛି । ଜଳସ୍ତର  ୮.୨୬ ମିଟରରେ ଚାଲିଥିଲା । ସୁବର୍ଣ୍ଣରେଖା  ଫୁଲୁଥିବାବେଳେ ଶନିବାରକୁ ରାଜଘାଟରେ ବିପଦ ସଙ୍କେତ ଟପିପାରେ । ଜଳସ୍ତର ୯.୭୧  ମିଟରରେ ପ୍ରବାହିତ ହେଉଥିଲା । ଜଳକା  ମଥାନିରେ ବିପଦ ସଙ୍କେତ ଟପି ୬.୮୨  ମିଟରରେ ପ୍ରବାହିତ ହେଉଥିଲା । ଭଦ୍ରକରେ ସାଳନ୍ଦୀ ବିପଦ ସଙ୍କେତ (୧୭ ଫୁଟ) ଡେଇଁ  ୧୮.୩୦ ଫୁଟରେ ପ୍ରବାହିତ ହେଉଛି ।  ଋଷିକୂଲ୍ୟା ଜଳସ୍ତର ୧୬.୧୫ ମିଟରରେ  ଥିବାବେଳେ ପାଣି କମୁଛି । ବଂଶଧାରା ବିପଦ ସଙ୍କେତ (୫୪.୬୦ ମି) ଉପରେ ରହିଛି ।  ଏଠାରେ ଜଳସ୍ତର ୫୪.୬୯ ଥିବାବେଳେ  କ୍ରମଶଃ ଖସୁଛି ।

ଏହି ଲଗାଣ ବର୍ଷା, ପବନ ଯୋଗୁ ୧୦ଟି  ଜିଲ୍ଲାର ୫୬ଟି ବ୍ଲକ ଅନ୍ତର୍ଗତ ୮୫୭ ଗାଁ ଏବଂ  ୭ଟି ସହରର ୨୮ଟି ୱାର୍ଡ ଅଧୀନସ୍ଥ ମୋଟ ୧୮  ହଜାର ୪୬୬ ଲୋକେ ପ୍ରଭାବିତ ହୋଇଛନ୍ତି ।  ଦକ୍ଷିଣ ଓଡ଼ିଶାର ୫ ଜିଲ୍ଲା ସର୍ବାଧିକ ପ୍ରଭାବିତ  ହୋଇଛି । ବର୍ତ୍ତମାନ ସୁଦ୍ଧା ସରକାରୀ ଭାବେ  କୌଣସି ଜୀବନ ହାନି ସୂଚନା ହସ୍ତଗତ  ହୋଇନାହିଁ । କେବଳ ନବରଙ୍ଗପୁରର ୪ଟି  ଗାଁ ପାଣି ଘେରରେ  ଥିଲା । କୋରାପୁଟରେ  ୮୪୪, ମାଲକାନଗିରିରେ ୧୪୦୮, ଗଜପତିରେ  ୭୬୫୨, କଳାହାଣ୍ଡିରେ ୨୧୧, ନବରଙ୍ଗପୁରରେ  ୪୩୫୯ଙ୍କୁ ମିଶାଇ ପ୍ରାୟ ୧୪ ହଜାର ୪୮୦  ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର  କରାଯାଇଥିଲା । ପ୍ରାକ୍‌ ସୂଚନା ଅନୁସାରେ  ୪୦୪ଟି ଘର ନଷ୍ଟ ହୋଇଛି । ବର୍ଷା ଛାଡ଼ିବାର ୫  ଦିନ ଭିତରେ କ୍ଷୟକ୍ଷତି ଆକଳନ କରି ରିପୋର୍ଟ  ଦେବାକୁ କୁହାଯାଇଛି ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button