ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଓ ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର, କୋଲକାତାର ମିଳିତ ସହଯୋଗରେ ଆୟୋଜିତ ହେଉଛି ଜାତୀୟ ନାଟକ ଉତ୍ସବ “ପୂର୍ବରଙ୍ଗ-୨୦୨୬”। ଆଜି ନାଟକ ଉତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ନାଟ୍ୟକାର ନନ୍ଦ କିଶୋର ଆଚାର୍ଯ୍ୟଙ୍କ ରଚିତ ନାଟକ “ପାଞ୍ଚାଳୀ” ପ୍ରଦର୍ଶିତ ହୋଇଥିଲା।
ହିମାଚଳ କଲ୍ଚର ରିସର୍ଚ୍ଚ ଫୋରମ୍ ଓ ଥିଏଟର ରେପରଟୋରୀ ଦ୍ୱାରା ପ୍ରସ୍ତୁତ ନାଟକ “ପାଞ୍ଚାଳୀ”ର ନିର୍ଦ୍ଦେଶନା ଦେଇଥିଲେ ନାଟ୍ୟକାର ପ୍ରଫେସର ସୁରେଶ ଶର୍ମା। ଅଭିନେତ୍ରୀ ସମ୍ପା ମଣ୍ଡଳ ଓ ରିଧିମା ବାଙ୍ଗା ମଞ୍ଚରେ ନିଜର ଚମତ୍କାର ଅଭିନୟ ମାଧ୍ୟମରେ ପାଞ୍ଚାଳୀଙ୍କୁ ଜୀବନ୍ତ ଭାବେ ଗଢ଼ିତୋଳିଥିଲେ। ପାଞ୍ଚାଳୀଙ୍କ ଆବିର୍ଭାବ ଠାରୁ ନେଇ ମହାଭାରତ ଯୁଦ୍ଧ ଏବଂ ଯୁଦ୍ଧ ପରର ବିଭୀଷିକାକୁ ପାଞ୍ଚାଳୀଙ୍କ ଦୃଷ୍ଟିକୋଣରେ ଦର୍ଶକଙ୍କ ସମ୍ମୁଖରେ ପ୍ରସ୍ତୁତ କରାଯାଇଥିଲା। ପାଞ୍ଚାଳୀଙ୍କ ଶକ୍ତି, ସାମର୍ଥ୍ୟ, ସାଧନା, ବେଦନା ଏବଂ ମନସ୍ତତ୍ତ୍ୱର ବିଶ୍ଳେଷଣ ଦର୍ଶକମାନଙ୍କୁ ବିମୋହିତ କରିଥିଲା।
ସୌଜନ୍ୟ ସମ୍ବାଦ
