ଫାଇନାଲ ପୂର୍ବରୁ ଆଉଟ୍, ଭାରତ-ପାକ୍ ମ୍ୟାଚ୍ ସମୟରେ ନଜର ଆସିବେନି ନକଭି

ନୂଆଦିଲ୍ଲୀ: ଆଉ ଅଳ୍ପ ସମୟର ଅପେକ୍ଷା, ଆରମ୍ଭ ହେବ ହାଇଭୋଲଟେଜ୍ ମୁକାବିଲା । ଏସିଆନ ଗେମ୍ସର କ୍ରିକେଟରେ ସ୍ବର୍ଣ୍ଣ ପଦକ ପାଇଁ ଭାରତ-ପାକିସ୍ତାନ ମଧ୍ୟରେ ହେବ ମହାମୁକାବିଲା । ତେବେ ଫାଇନାଲ ସମୟରେ ଏସୀୟ କ୍ରିକେଟ୍ କାଉନସିଲ୍ (ACC) ଏବଂ ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ମୁଖ୍ୟ ମୋହସିନ ନକଭିଙ୍କ ଉପସ୍ଥିତିକୁ ନେଇ ଚାଲିଥିବା ସସପେନ୍ସର ଅନ୍ତ ଘଟିଛି । ପୂର୍ବରୁ କିଛି ମ୍ୟାଚ୍ରେ ଟ୍ରଫି ପ୍ରେଜେଣ୍ଟସନକୁ ନେଇ ବିବାଦ ଦେଖାଦେଇଥିବା ବେଳେ, ଆଜିର ଫାଇନାଲ୍ ମ୍ୟାଚ୍ରେ ମୋହସିନ ନକଭି ଉପସ୍ଥିତ ରହିବେ ନାହିଁ ବୋଲି ସ୍ପଷ୍ଟ ହୋଇଯାଇଛି।
ନକଭିଙ୍କ ଅନୁପସ୍ଥିତି କାହିଁକି ଗୁରୁତ୍ୱପୂର୍ଣ୍ଣ?
ପୂର୍ବରୁ ପୁରୁଷ ଏସିଆ କପ୍ ୨୦୨୫ ଏବଂ ମହିଳା ଏସିଆ କପ୍ ୨୦୨୬ରେ ଭାରତୀୟ ଦଳର ବିଜୟ ପରେ ମୋହସିନ ନକଭିଙ୍କ ହାତରୁ ଟ୍ରଫି ଗ୍ରହଣ କରିବାକୁ ଭାରତୀୟ ଖେଳାଳିମାନେ ମନା କରିଥିଲେ । ଭାରତୀୟ ଟିମ୍ ବିନା ଟ୍ରଫିରେ ହିଁ ନିଜର ବିଜୟ ଉତ୍ସବ ପାଳନ କରିଥିଲା । ଏହି କାରଣରୁ ଏସୀୟ କ୍ରୀଡ଼ାର ଫାଇନାଲ୍ ମ୍ୟାଚରେ ମଧ୍ୟ ତାଙ୍କ ଉପସ୍ଥିତିକୁ ନେଇ କଳ୍ପନାଜଳ୍ପନା ଲାଗି ରହିଥିଲା । ତେବେ ପୂର୍ବରୁ ସ୍ଥିର ହୋଇଥିବା ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ଯୋଗୁଁ ନକଭି ଏହି ଫାଇନାଲ୍ ଦିନରେ ଉପସ୍ଥିତ ରହିପାରିବେ ନାହିଁ ବୋଲି ଏସିସି ପକ୍ଷରୁ ସ୍ପଷ୍ଟ କରାଯାଇଛି । ସେ ମ୍ୟାଚରେ ଅଂଶଗ୍ରହଣ କରୁଥିବା ସମସ୍ତ ଦଳଗୁଡ଼ିକୁ ଶୁଭେଚ୍ଛା ଜଣାଇଛନ୍ତି ।
କିପରି ରହିଲା ଫାଇନାଲ୍ ଯାତ୍ରା?
ଟୁର୍ଣ୍ଣାମେଣ୍ଟରେ ଆଇସିସି ର୍ୟାଙ୍କିଙ୍ଗ୍ ଆଧାରରେ ଭାରତ ଏବଂ ପାକିସ୍ତାନ ସିଧାସଳଖ କ୍ୱାର୍ଟରଫାଇନାଲ୍କୁ ପ୍ରବେଶ କରିଥିଲେ । ବର୍ଷା କାରଣରୁ କ୍ୱାର୍ଟରଫାଇନାଲ୍ ମ୍ୟାଚ୍ ରଦ୍ଦ ହୋଇଥିବାରୁ ଉଭୟ ଦଳ ସିଡିଂ ଆଧାରରେ ସେମିଫାଇନାଲ୍କୁ ଉନ୍ନୀତ ହୋଇଥିଲେ । ସେମିଫାଇନାଲ୍ରେ ଶ୍ରୀଲଙ୍କାକୁ ମୁକାବିଲା କରିଥିଲା ଭାରତ। ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୬୯ ରନ୍ କରିଥିଲା। ଇଶାନ କିଷାନ ୪ଟି ଚୌକା ଏବଂ ୫ଟି ଛକା ସହାୟତାରେ ଅପରାଜିତ ୮୦ ରନ୍ କରିଥିବା ବେଳେ ବୈଭବ ସୂର୍ଯ୍ୟବଂଶୀ ୨୧ ବଲ୍ରୁ ୩୮ ରନ୍ କରିଥିଲେ। ପରେ ଭାରତୀୟ ବୋଲରମାନଙ୍କ ଘାତକ ବୋଲିଂ ଆଗରେ ଶ୍ରୀଲଙ୍କା ମାତ୍ର ୪୫ ରନ୍ରେ ଅଲଆଉଟ୍ ହୋଇଯାଇଥିଲା ଏବଂ ଭାରତ ୧୨୪ ରନ୍ରେ ବିଜୟୀ ହୋଇଥିଲା।
ଅନ୍ୟପକ୍ଷରେ, ବର୍ଷାଜନିତ ସମସ୍ୟା କାରଣରୁ ସେମିଫାଇନାଲ୍ ମ୍ୟାଚ୍ ୧୩ ଓଭରକୁ ହ୍ରାସ କରାଯାଇଥିଲା। ବାଂଲାଦେଶ ନିର୍ଦ୍ଧାରିତ ଓଭରରେ ୧୧୧/୭ ରନ୍ କରିଥିବା ବେଳେ ପାକିସ୍ତାନ ୧୧.୩ ଓଭରରେ ୪ ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରିନେଇଥିଲା। ଭାରତ ହେଉଛି ଏସୀୟ କ୍ରୀଡ଼ାର ପୁରୁଷ କ୍ରିକେଟ୍ର ଡିଫେଣ୍ଡିଂ ଚାମ୍ପିୟନ। ଗତ ୨୦୨୩ ହାଙ୍ଗଝୋଉ ଏସୀୟ କ୍ରୀଡ଼ାରେ ଭାରତ ସ୍ୱର୍ଣ୍ଣ ପଦକ ଜିତିଥିଲା। ଉଭୟ ପାରମ୍ପରିକ ପ୍ରତିଦ୍ବନ୍ଦିଙ୍କ ମଧ୍ୟରେ ମୁକାବିଲା ହେବାକୁ ଥିବାବେଳେ କଡ଼ା ଟକ୍କର ହେବ ବୋଲି ଆଶା କରାଯାଉଛି ।
ସୌଜନ୍ୟ ପ୍ରମେୟ




