ଫେମ୍ ଇଣ୍ଡିଆର ଟପ୍ ୨୫ରେ ଝାରସୁଗୁଡ଼ା ଏସ୍ପି: ଓଡ଼ିଶା ପୋଲିସ ପାଇଁ ଆଣିଲେ ଗୌରବ

ଝାରସୁଗୁଡ଼ା,୨ା୯(ଆଶିଷ ରଞ୍ଜନ ଦାଶ):ଫେମ୍ ଇଣ୍ଡିଆ ଏସିଆ ପୋଷ୍ଟ ପକ୍ଷରୁ ପ୍ରକାଶିତ ଦେଶର ୨୫ ଜଣ ପ୍ରମୁଖ ପୋଲିସ ଅଧିକାରୀଙ୍କ ତାଲିକାରେ ଝାରସୁଗୁଡ଼ା ଏସ୍ପି ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ରଙ୍କ ନାମ ସ୍ଥାନ ପାଇଛି। ପୋଲିସ ନେତୃତ୍ୱ, ଅପରାଧ ନିୟନ୍ତ୍ରଣ, ଆଇନଶୃଙ୍ଖଳା ପରିଚାଳନା, ଜନସୁରକ୍ଷା, ପ୍ରଯୁକ୍ତିର ବ୍ୟବହାର ଓ ଜନସାଧାରଣଙ୍କ ସହ ସମନ୍ବୟ ରକ୍ଷା କରିବା ଆଦି କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟକୁ ଆଧାରକରି ଏହି ଚୟନ କରାଯାଇଛି। ଫେମ୍ ଇଣ୍ଡିଆର ସମ୍ପାଦକ ଧୀରଜ କୁମାରଙ୍କ ସୂଚନା ଅନୁସାରେ, ଅଧିକାରୀମାନଙ୍କ କ୍ଷେତ୍ର ଅଭିଜ୍ଞତା, ନେତୃତ୍ୱ ଦକ୍ଷତା, କଠିନ ପରିସ୍ଥିତିରେ ଉଚିତ ନିଷ୍ପତ୍ତି, ଅପରାଧ ନିୟନ୍ତ୍ରଣ, ନାଗରିକ ସେବା ଓ ପୋଲିସ ଆଧୁନିକୀକରଣ ଆଦିକୁ ଚୟନର ମୁଖ୍ୟ ମାପଦଣ୍ଡ କରାଯାଇଛି। ଦେଶର ବିଭିନ୍ନ ରାଜ୍ୟରୁ ଚୟନ ହୋଇଥିବା ୨୫ ଜଣ ଅଧିକାରୀଙ୍କ ମଧ୍ୟରେ ଝାରସୁଗୁଡ଼ା ଏସ୍ପି ରାଘବେନ୍ଦ୍ରଙ୍କ ସ୍ଥାନ ଓଡ଼ିଶା ପୋଲିସ ପାଇଁ ଉଲ୍ଲେଖନୀୟ ସଫଳତା ଆଣିଛି। ଏଥିସହ ଫେମ୍ ଇଣ୍ଡିଆ ଏସିଆ ପୋଷ୍ଟ ପକ୍ଷରୁ ଆଉ ୫ ଜଣ ଅଧିକାରୀଙ୍କୁ ସୁପର-୫ ବର୍ଗରେ ସାମିଲ କରାଯାଇଛି। ଫଳରେ ମୋଟ ୩୦ ଜଣ ପୋଲିସ ଅଧିକାରୀଙ୍କୁ ଏହି ସ୍ବତନ୍ତ୍ର ଚୟନରେ ସ୍ଥାନ ମିଳିଛି। ଫେମ୍ ଇଣ୍ଡିଆର ପରିଚାଳନା ସମ୍ପାଦକ ଅନିଲ ସିଂହ କହିଛନ୍ତି, ଆଧୁନିକ ସମୟରେ ସାଇବର ଅପରାଧ, ନିଶା କାରବାର, ଟ୍ରାଫିକ୍ ପରିଚାଳନା, ମହିଳା ଓ ଶିଶୁ ସୁରକ୍ଷା, ପ୍ରଯୁକ୍ତିଭିତ୍ତିକ ଅପରାଧ ଏବଂ ଜରୁରିକାଳୀନ ସେବା କ୍ଷେତ୍ରରେ ପୋଲିସ ନେତୃତ୍ୱକୁ ନୂଆ ଦକ୍ଷତା ଓ ଅଭିନବ ପଦକ୍ଷେପ ନେବାକୁ ପଡ଼ୁଛି। ଏହି ଚୟନ କେବଳ ପଦବୀ କିମ୍ବା ବରିଷ୍ଠତା ଆଧାରରେ ନୁହେଁ, କ୍ଷେତ୍ରସ୍ତରର ପ୍ରକୃତ କାର୍ଯ୍ୟଦକ୍ଷତା, ନେତୃତ୍ୱ, ଅପରାଧ ନିୟନ୍ତ୍ରଣ, ନୂତନ ପଦକ୍ଷେପ ଓ ଜନବିଶ୍ୱାସ ବୃଦ୍ଧିରେ ଅବଦାନକୁ ଗୁରୁତ୍ୱ ଦିଆଯାଇଛି। ଏହି ଖବର ପାଇବା ପରେ ଝାରସୁଗୁଡ଼ା ଜିଲାର ବିଭିନ୍ନ ମହଲରୁ ଏସ୍ପି ରାଘବେନ୍ଦ୍ରଙ୍କୁ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରାଯାଇଛି।
ସୌଜନ୍ୟ ଧରିତ୍ରୀ




