Lebanon CrisisL: ଲେବାନନ ରାଷ୍ଟ୍ରପତିଙ୍କ ଅଭିଯୋଗର ଉତ୍ତର ଦେଲେ ଆରାଘଚି

ତେହେରାନ: ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି ଲେବାନନ ରାଷ୍ଟ୍ରପତି ଜୋସେଫ ଆଉନ୍ଙ୍କୁ ତାଙ୍କର ସାମ୍ପ୍ରତିକ ମନ୍ତବ୍ୟ ପାଇଁ କଡ଼ା ସମାଲୋଚନା କରିଛନ୍ତି। ଏକ ସୋସିଆଲ ମିଡିଆ ପୋଷ୍ଟରେ,ସେ ପ୍ରକୃତ ଶତ୍ରୁକୁ ଚିହ୍ନିବାକୁ ଚେଷ୍ଟା କରିବାକୁ ଜୋସେଫଙ୍କୁ ପରାମର୍ଶ ଦେଇଛନ୍ତି। ଆରାଘଚି ସୋସିଆଲ ମିଡିଆ ଏକ୍ସରେ ଲେବାନନ ରାଷ୍ଟ୍ରପତିଙ୍କ ସାକ୍ଷାତକାରର ଏକ କ୍ଲିପ୍ ମଧ୍ୟ ସେୟାର କରିଛନ୍ତି। ଲେବାନନ ରାଷ୍ଟ୍ରପତି ଜୋସେଫ ଆଉନ୍ ସମ୍ପ୍ରତି ଏକ ଗଣମାଧ୍ୟମ ସାକ୍ଷାତକାରରେ ଇରାନ ଉପରେ ଗୁରୁତର ଅଭିଯୋଗ ଆଣି କହିଥିଲେ ଯେ, ଇରାନ ଲେବାନନକୁ ଏକ ମୋହରା ଭାବରେ ବ୍ୟବହାର କରୁଛି । ଏହା ବନ୍ଦ କରି ଆଲୋଚନାରେ ସାମିଲ ହେବା ଉଚିତ୍। ତାଙ୍କ ବକ୍ତବ୍ୟ ଇରାନକୁ ଅସନ୍ତୁଷ୍ଟ କରିଛି।
ଲେବାନନ ରାଷ୍ଟ୍ରପତିଙ୍କ ଅଭିଯୋଗର ଜବାବ ଏବେ ଆବାସ ଆରାଘଚି ଦେଇଛନ୍ତି । ସେ ବ୍ୟଙ୍ଗାତ୍ମକ ଭାବରେ କହିଛନ୍ତି ଯେ, ରାଷ୍ଟ୍ରପତି ଜୋସେଫଙ୍କ କଥା ଶୁଣି ଏପରି ଲାଗୁଛି ଯେପରି ଇରାନ ଲେବାନନର ଏକ ପଞ୍ଚମାଂଶ ଦଖଲ କରିସାରିଛି, ଜନସଂଖ୍ୟାର ଏକ ଚତୁର୍ଥାଂଶକୁ ବିସ୍ଥାପିତ କରିଛି ଏବଂ ପ୍ରତିଦିନ ବୋମାମାଡ଼ କରୁଛି। ସେ କହିଛନ୍ତି, ରାଷ୍ଟ୍ରପତି ମହାଶୟ ଲେବାନନକୁ ପ୍ରକୃତ ଶତ୍ରୁଠାରୁ ରକ୍ଷା କରନ୍ତୁ। ଏକ ସାକ୍ଷାତକାରରେ, ଆଉନ୍ କହିଥିଲେ ଯେ ଇରାନ ଲେବାନନର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରିବା ଉଚିତ୍ ନୁହେଁ ଏବଂ ଆମେରିକା ସହିତ ଆଲୋଚନାରେ ଲେବାନନକୁ ଏକ ବନ୍ଦୀ ଭାବରେ ବ୍ୟବହାର କରୁଥିବା ଅଭିଯୋଗ କରିଥିଲେ।
ସେ ଇରାନକୁ କହିଥିଲେ, ‘‘ଏହା ତୁମର ଦେଶ ନୁହେଁ, ଏହା ଆମର ଦେଶ। ତୁମେ ଆମକୁ ମୋହରା ଭାବେ ବ୍ୟବହାର କରୁଛ, ଯାହା ଭୁଲ।’’ ସେ ହିଜବୁଲ୍ଲାକୁ ମଧ୍ୟ ନିବେଦନ କରି କହିଥିଲେ,ଏହି ସଂଘର୍ଷର ଅନ୍ତ ହିଂସା କିମ୍ବା ଯୁଦ୍ଧ ନୁହେଁ, ବରଂ କେବଳ ଆଲୋଚନା ଏବଂ କୂଟନୀତିରେ ହେବ। ଏହି ପଥ ଅନୁସରଣ କରିବାକୁ ପଡିବ।।
ସୌଜନ୍ୟ ସମ୍ବାଦ




