ବଢିଲା ମସ୍କଙ୍କ ନେଟୱର୍ଥ, କ୍ଷତିରେ ବେଜୋସ ଓ ଜୁକରବର୍ଗ

ଗତ ୨୪ ଘଣ୍ଟାରେ ବିଶ୍ୱର ସବୁଠୁ ଧନୀକଙ୍କ ସମ୍ପତ୍ତିରେ ହଲଚଲ ଦେଖିବାକୁ ମିଳିଛି। ଟପ-୧୦ ବିଲେନିୟରଙ୍କ ମଧ୍ୟରେ ସାମିଲ ଅଧିକାଂଶଙ୍କ ନେଟୱର୍ଥରେ ବିପୁଳ ହ୍ରାସ ଦେଖାଯାଇଛି। ଏପରି ହଲଚଲ ଗ୍ଲୋବାଲ ବିଜନେସ୍ ଓ ସେୟାର ବଜାରରେ ଉପୁଜିଥିବା ଅସ୍ଥିରତାକୁ ସ୍ପଷ୍ଟ କରୁଛି।

ନୂଆଦିଲ୍ଲୀ ୧୫।୧: ଗତ ୨୪ ଘଣ୍ଟାରେ ବିଶ୍ୱର ସବୁଠୁ ଧନୀକଙ୍କ ସମ୍ପତ୍ତିରେ ହଲଚଲ ଦେଖିବାକୁ ମିଳିଛି। ଟପ-୧୦ ବିଲେନିୟରଙ୍କ ମଧ୍ୟରେ ସାମିଲ ଅଧିକାଂଶଙ୍କ ନେଟୱର୍ଥରେ ବିପୁଳ ହ୍ରାସ ଦେଖାଯାଇଛି। ତେବେ ଏଲନ ମସ୍କଙ୍କ ନେଟୱର୍ଥରେ ବୃଦ୍ଧି ହୋଇଛି। ଏପରି ହଲଚଲ ଗ୍ଲୋବାଲ ବିଜନେସ୍ ଓ ସେୟାର ବଜାରରେ ଉପୁଜିଥିବା ଅସ୍ଥିରତାକୁ ସ୍ପଷ୍ଟ କରୁଛି। ବ୍ଲୁମବର୍ଗ ବିଲେନିୟର୍ସ ଇଣ୍ଡେକ୍ସ ଅନୁସାରେ ଗତ ୨୪ ଘଣ୍ଟାରେ ଏଲନ ମସ୍କଙ୍କ ମୋଟ ନେଟୱର୍ଥରେ ୪୨ ବିଲିୟନ ଡଲାରରୁ ଅଧିକ ବୃଦ୍ଧି ହୋଇଛି। ଏହି ଅଭିବୃଦ୍ଧି ସହିତ ତାଙ୍କର ମୋଟ ସମ୍ପତ୍ତି ୬୮୩ ବିଲିୟନ ଡଲାର ହୋଇଯାଇଛି।

ତେବେ ମସ୍କଙ୍କ ସମ୍ପତ୍ତି ବୃଦ୍ଧି ହୋଇଥିବା ବେଳେ କେତେକ ଉଦ୍ୟୋଗପତିଙ୍କ ସମ୍ପତ୍ତି ହ୍ରାସ ହୋଇଛି। ଓରାକଲ ସହ ସଂସ୍ଥାପକ ଲ୍ୟାରୀ ଏଲିସନଙ୍କର ସବୁଠୁ ଅଧିକ କ୍ଷତି ହୋଇଛି। ଗୋଟିଏ ଦିନରେ ତାଙ୍କ ସମ୍ପତ୍ତି ୮.୮ ବିଲିୟନ ଡଲାର ହ୍ରାସ ହୋଇଛି। ଫଳରେ ତାଙ୍କ ମୋଟ ନେଟୱର୍ଥ ହ୍ରାସ ହୋଇ ୨୪୬ ବିଲିୟନ ଡଲାର ହୋଇଯାଇଛି। ଆମାଜନ ସଂସ୍ଥାପକ ଜେଫ ବେଜୋସଙ୍କ ସମ୍ପତ୍ତିରେ ମଧ୍ୟ ହ୍ରାସ ଦେଖାଯାଇଛି। ତାଙ୍କ ନେଟୱର୍ଥ ୫.୨ ବିଲିୟନ ଡଲାର ହ୍ରାସ ହୋଇ ୨୫୯ ବିଲିୟନ ଡଲାର ହୋଇଯାଇଛି।

ସେହିପରି ମେଟା ସିଇଓ ମାର୍କ ଜୁକରବର୍ଗଙ୍କ ସମ୍ପତ୍ତିରେ ଗୋଟିଏ ଦିନରେ ୫.୩ ବିଲିୟନ ଡଲାର ହ୍ରାସ ହୋଇଛି ଓ ତାଙ୍କ ମୋଟ ନେଟୱର୍ଥ ୨୧୮ ବିଲିୟନ ଡଲାରକୁ ପହଞ୍ଚି ଯାଇଛି। ସେହିପରି ମାଇକ୍ରୋସଫ୍ଟର ପୂର୍ବତନ ସିଇଓ ଷ୍ଟିଭ ବାଲ୍ମୋରଙ୍କ ନେଟୱର୍ଥରେ ୩.୫ ବିଲିୟନ ଡଲାର ହ୍ରାସ ହୋଇଛି। ଏବେ ତାଙ୍କର ମୋଟ ସମ୍ପତ୍ତିର ପରିମାଣ ୧୬୧ ବିଲିୟନ ଡଲାର ହୋଇଯାଇଛି। ଲଗଜରୀ ବ୍ରାଣ୍ଡର ବ୍ୟବସାୟୀ ବର୍ନାର୍ଡ ଅର୍ଣ୍ଣଲ୍ଟଙ୍କ ନେଟୱର୍ଥରେ ମଧ୍ୟ ୨.୪ ବିଲିୟନ ଡଲାର ହ୍ରାସ ହୋଇଛି। ସେହିପରି ଏନଭିଡିୟା ମୁଖ୍ୟ ଜେନସନ ହୁଆଙ୍ଗଙ୍କ ସମ୍ପତ୍ତି ମଧ୍ୟ ୨ ବିଲିୟନ ଡଲାର ପର୍ଯ୍ୟନ୍ତ ହ୍ରାସ ହୋଇଛି।

ଦିଗ୍ଗଜ ନିବେଶକ ୱାରେନ ବଫେଙ୍କ ସମ୍ପତ୍ତିରେ ମାମୁଲି ହ୍ରାସ ହୋଇଛି। ଏଣୁ ତାଙ୍କ ମୋଟ ନେଟୱର୍ଥ ୧୪୯ ବିଲିୟନ ଡଲାର ହୋଇଯାଇଛି। ଗୁଗଲ ସହ ସଂସ୍ଥାପକ ସର୍ଗେଇ ବ୍ରିନ ଓ ଲ୍ୟାରୀ ପେଜଙ୍କ ସମ୍ପତ୍ତିରେ ମଧ୍ୟ ଗତ ୨୪ ଘଣ୍ଟାରେ ହ୍ରାସ ଦେଖାଯାଇଛି। ତେବେ ଏମାନଙ୍କ ସମ୍ପତ୍ତିରେ ହ୍ରାସ ଅନ୍ୟ ବିଲେନିୟରଙ୍କ ହ୍ରାସ ତୁଳନାରେ କମ୍। ଏହି ସମୟରେ ଭାରତୀୟ ବିଲେନିୟରଙ୍କ କଥା କୁହାଗଲେ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତିରେ ହାଲୁକା ବୃଦ୍ଧି ହୋଇଛି ଓ ତାଙ୍କ ନେଟୱର୍ଥ ପାଖାପାଖି ୧୦୦ ବିଲିୟନ ଡଲାର ହୋଇଯାଇଛି। ତେବେ ଆଦାନୀ ଗ୍ରୁପ ଚେୟାରମ୍ୟାନ ଗୌତମ ଆଦାନୀଙ୍କ ନେଟୱର୍ଥ ହ୍ରାସ ହୋଇଛି। ତାଙ୍କ ମୋଟ ସମ୍ପତ୍ତିର ପରିମାଣ ୮୦ ବିଲିୟନ ଡଲାରକୁ ହ୍ରାସ ହୋଇଛି।

ସୌଜନ୍ୟ Prameya News7

Exit mobile version