Stock Market: ଦୋହଲିଗଲା ଷ୍ଟକ୍‌ ବଜାର: ସେନ୍‌ସେକ୍ସ ୧୦୪୮ ପଏଣ୍ଟ୍‌ ଖସିଲା, ଆମେରିକାରୁ ପାକିସ୍ତାନ ପର୍ଯ୍ୟନ୍ତ ପ୍ରଭାବ…

ଇରାନ ଉପରେ ଆମେରିକା-ଇସ୍ରାଏଲ୍‌ର ଆକ୍ରମଣ ପ୍ରଭାବରେ ସୋମବାର ସମଗ୍ର ଏସିଆର ଷ୍ଟକ୍‌ ବଜାର ଦୋହଲିଯାଇଛି। ଭାରତଠାରୁ ଆରମ୍ଭ କରି ପାକିସ୍ତାନ ପର୍ଯ୍ୟନ୍ତ ଚାରିଆଡ଼େ ଯୁଦ୍ଧର ତାତି ଅନୁଭୂତ ହୋଇଛି

ମୁମ୍ବାଇ: ଇରାନ ଉପରେ ଆମେରିକା-ଇସ୍ରାଏଲ୍‌ର ଆକ୍ରମଣ ପ୍ରଭାବରେ ସୋମବାର ସମଗ୍ର ଏସିଆର ଷ୍ଟକ୍‌ ବଜାର ଦୋହଲିଯାଇଛି। ଭାରତଠାରୁ ଆରମ୍ଭ କରି ପାକିସ୍ତାନ ପର୍ଯ୍ୟନ୍ତ ଚାରିଆଡ଼େ ଯୁଦ୍ଧର ତାତି ଅନୁଭୂତ ହୋଇଛି। ନିବେଶକମାନେ ସେୟାର ବିକ୍ରି କରିବାରୁ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍‌ସେକ୍ସ ୧୦୪୮ ପଏଣ୍ଟ୍‌ ହ୍ରାସ ପାଇ ୮୦,୨୩୯ ପଏଣ୍ଟ୍‌ରେ ବନ୍ଦ ହୋଇଛି। ସେହିପରି, ନ୍ୟାସନାଲ୍‌ ଷ୍ଟକ୍‌ ଏକ୍ସଚେଞ୍ଜର ନିଫ୍ଟି ୩୧୩ ପଏଣ୍ଟ୍‌ ହ୍ରାସ ପାଇ ୨୪,୮୬୬ ପଏଣ୍ଟ୍‌ରେ ବନ୍ଦ ହୋଇଛି।ଭୂରାଜନୈତିକ ଉତ୍ତେଜନା ଓ ଯୁଦ୍ଧ ଭଳି ସ୍ଥିତି ବଢ଼ୁଥିବାରୁ ଦେଶରେ ଦରଦାମ୍‌ ବେଲଗାମ ହେବା ଆଶଙ୍କା ଦେଖାଦେଇଛି। ଏଥି ସହିତ କର୍ପୋରେଟ୍‌ ସଂସ୍ଥାଗୁଡ଼ିକର ଲାଭ ମଧ୍ୟ ପ୍ରଭାବିତ ହୋଇପାରେ। ତେଣୁ ଯୁଦ୍ଧ ଦ୍ବାରା ପ୍ରଭାବିତ ହେବାକୁ ଥିବା କ୍ଷେତ୍ରଗୁଡ଼ିକର ସେୟାରକୁ ନିବେଶକମାନେ ବିକ୍ରି କରୁଛନ୍ତି। କିଛି ନିବେଶକମାନେ ସେୟାର ବିକ୍ରି କରି ସେହି ପାଣ୍ଠିକୁ ସୁନା ଓ ରୁପା ଭଳି ସୁରକ୍ଷିତ ମାଧ୍ୟମରେ ନିବେଶ କରୁଛନ୍ତି। ସେଥିପାଇଁ ଭାରତୀୟ ଷ୍ଟକ୍‌ ବଜାରରେ ଆଜି କାରବାର ମାନ୍ଦା ରହିଥିଲା।

କେବଳ ଭାରତ ନୁହେଁ, ପାକିସ୍ତାନ ଷ୍ଟକ୍‌ ବଜାରରେ ମଧ୍ୟ ଆଜି କାରବାରରେ ଘୋର ଅସ୍ଥିରତା ଦେଖିବାକୁ ମିଳିଥିଲା। ପାକିସ୍ତାନର କରାଚୀ ଷ୍ଟକ୍‌ ଏକ୍ସଚେଞ୍ଜ-୩୦ ସୂଚକାଙ୍କ ୯.୭୩ ପ୍ରତିଶତ (ପ୍ରାୟ ୫୦୦୦ ପଏଣ୍ଟ୍‌) ହ୍ରାସ ପାଇ ୪୬,୩୨୬ ପଏଣ୍ଟ୍‌ରେ ବନ୍ଦ ହୋଇଛି। ଜାପାନର ନିକେଇ ୧.୩୫ ପ୍ରତିଶତ ହ୍ରାସ ପାଇ ୫୮,୦୫୭ ପଏଣ୍ଟ୍‌ରେ ବନ୍ଦ ହୋଇଛି। ହଂକଂର ହ୍ୟାଙ୍ଗ ସେଙ୍ଗ ସୂଚକାଙ୍କ ୨.୧୪ ପ୍ରତିଶତ ହ୍ରାସ ପାଇ ୨୬,୦୫୯ ପଏଣ୍ଟ୍‌ରେ ବନ୍ଦ ହୋଇଛି। ଚୀନ୍‌ର ସାଂଘାଇ କମ୍ପୋଜିଟ୍‌ ସୂଚକାଙ୍କ ୦.୪୭ ପ୍ରତିଶତ ହ୍ରାସ ପାଇ ୪,୧୮୨ ପଏଣ୍ଟ୍‌ରେ ବନ୍ଦ ହୋଇଛି। ଅନ୍ୟ ପକ୍ଷରେ ଆମେରିକାରେ ଡାଓ ଜୋନ୍ସ ୧୭ ପଏଣ୍ଟ୍‌ ହ୍ରାସ ଘଟି ୪୮,୯୭୭ ପଏଣ୍ଟ୍‌ରେ ବନ୍ଦ ହୋଇଛି। ପ୍ରଯୁକ୍ତି ଆଧାରିତ ଷ୍ଟକ୍‌ ସୂଚକାଙ୍କ ନାସ୍‌ଦାକ୍‌ କମ୍ପୋଜିଟ୍‌ ୦.୯୨ ପ୍ରତିଶତ ହ୍ରାସ ପାଇ ୨୨,୬୬୮ ପଏଣ୍ଟ୍‌ରେ ବନ୍ଦ ହୋଇଛି। ଏସ୍‌ଆଣ୍ଡ୍‌ପି ୫୦୦ ସୂଚକାଙ୍କ ୩୦ ପଏଣ୍ଟ୍‌ ହ୍ରାସ ପାଇ ୬୮୭୮ ପଏଣ୍ଟ୍‌ରେ ବନ୍ଦ ହୋଇଛି। ଜର୍ମାନୀର ଡିଏଏକ୍ସ ୨.୩ ପ୍ରତିଶତ, ଫ୍ରାନ୍ସର ସିଏସି ୧.୮ ପ୍ରତିଶତ ଓ ଲଣ୍ଡନର ଏଫ୍‌ଟିଏସ୍‌ଇ ୦.୭ ପ୍ରତିଶତ ହ୍ରାସ ପାଇଛି।

ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି ପାଇବା ସହିତ ରଙ୍ଗ ନିର୍ମାତା, ଟାୟାର କମ୍ପାନି ଓ ତୈଳ ବିପଣନ କମ୍ପାନିଗୁଡ଼ିକର ସେୟାର ହ୍ରାସ ପାଇଛି। ଏହା କଞ୍ଚାମାଲ ମୂଲ୍ୟ, ମୁଦ୍ରାସ୍ଫୀତି ଏବଂ ମାର୍ଜିନ୍ ଚାପ ବିଷୟରେ ଚିନ୍ତା ବଢାଇଛି। ଏସିଆନ୍ ପେଣ୍ଟସ୍, ବର୍ଜର ପେଣ୍ଟସ୍ ଏବଂ କନସାଇ ନେରୋଲାକର ସେୟାର ପ୍ରାୟ୩% ହ୍ରାସ ପାଇଛି। ଇଣ୍ଡିଆନ୍ ଅଏଲ୍ ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ୍ ୫% ପର୍ଯ୍ୟନ୍ତ ହ୍ରାସ ପାଇଛି। ଟାୟାର କମ୍ପାନି ସିଏଟ୍‌ ଓ ଏମ୍‌ଆରଏଫ୍‌ର ସେୟାର ୨ ପ୍ରତିଶତ ହ୍ରାସ ପାଇଛି।

ସୌଜନ୍ୟ ସମ୍ବାଦ

Exit mobile version