ବର୍ଷା ଋତୁ ପାଇଁ ବାଲି ଉତ୍ତୋଳନ ବନ୍ଦ , ଅନୁଗୁଳ ପ୍ରଶାସନର କଡ଼ା ନିର୍ଦ୍ଦେଶ
ବର୍ଷା ଋତୁରେ ନଦୀର ଜଳସ୍ତର ବୃଦ୍ଧି ପାଇବା ସହ ପରିବେଶ ସୁରକ୍ଷା ଏବଂ ସମ୍ଭାବ୍ୟ ଦୁର୍ଘଟଣାକୁ ଏଡ଼ାଇବା ପାଇଁ ଅନୁଗୁଳ ଜିଲ୍ଲା ପ୍ରଶାସନ ବାଲି ଉତ୍ତୋଳନ ଉପରେ ରୋକ୍ ଲଗାଇଛି । ଏଥିପାଇଁ ସମସ୍ତ ବାଲିଘାଟରେ ଖନନ କାର୍ଯ୍ୟ ବନ୍ଦ ରଖିବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି ।

କନକ ବ୍ୟୁରୋ : ବର୍ଷା ଋତୁରେ ନଦୀର ଜଳସ୍ତର ବୃଦ୍ଧି ପାଇବା ସହ ପରିବେଶ ସୁରକ୍ଷା ଏବଂ ସମ୍ଭାବ୍ୟ ଦୁର୍ଘଟଣାକୁ ଏଡ଼ାଇବା ପାଇଁ ଅନୁଗୁଳ ଜିଲ୍ଲା ପ୍ରଶାସନ ବାଲି ଉତ୍ତୋଳନ ଉପରେ ରୋକ୍ ଲଗାଇଛି । ଏଥିପାଇଁ ସମସ୍ତ ବାଲିଘାଟରେ ଖନନ କାର୍ଯ୍ୟ ବନ୍ଦ ରଖିବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି । ପ୍ରଶାସନର କହିବା ଅନୁସାରେ, ବର୍ଷା ସମୟରେ ନଦୀର ପ୍ରାକୃତିକ ପ୍ରବାହକୁ ବଜାୟ ରଖିବା, ନଦୀବନ୍ଧର ସୁରକ୍ଷା ଏବଂ ଜନଜୀବନକୁ ବିପଦମୁକ୍ତ ରଖିବା ପାଇଁ ଏହି ପଦକ୍ଷେପ ନିଆଯାଇଛି । ନିୟମ ଉଲ୍ଲଂଘନ କରି ବାଲି ଉତ୍ତୋଳନ କରୁଥିବା ବ୍ୟକ୍ତି କିମ୍ବା ସଂସ୍ଥା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ ପ୍ରଶାସନ ସତର୍କ କରିଛି ।
ତେବେ ଏହାରି ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବେଆଇନ ଭାବେ ବାଲି ଉତ୍ତୋଳନ ଏବଂ ଚୋରାଚାଲାଣ ଚାଲିଥିବା ଅଭିଯୋଗ ସାମ୍ନାକୁ ଆସୁଛି । ରାତି ଅଧିଆରେ ଶହ ଶହ ହାଇୱା ଏବଂ ଟ୍ରାକ୍ଟରରେ ବାଲି ପରିବହନ ହେଉଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି । ବର୍ଷା ଋତୁରେ ବାଲି ଉତ୍ତୋଳନ ଉପରେ ସରକାରୀ କଟକଣା ଲାଗିଥିବାବେଳେ, ବେଆଇନ ଖନନକୁ ରୋକିବା ପାଇଁ କେତେ ପ୍ରଭାବଶାଳୀ ଭାବେ ପ୍ରଶାସନ ପଦକ୍ଷେପ ନେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି ।
ସୌଜନ୍ୟ KANAK NEWS




