Madhu Babu: ସ୍ବାଭିମାନ ଦିବସ ସମାରୋହ: ‘ଓଡ଼ିଆ ଅସ୍ମିତାର ମେରୁଦଣ୍ଡ ମଧୁ ବାବୁ’

ଭୁବନେଶ୍ବର: ‘କୋଟିଏ ଓଡ଼ିଆ ଗୋଟିଏ ସ୍ବରରେ… ଡାକ ତ୍ରାହି ଜଗନ୍ନାଥ, ଅନ୍ଧାର ଘୁଞ୍ଚିବ ନିଶ୍ଚୟ ଦେଖିବ… ଜାତିର ଉନ୍ନତି ପଥ।’ ୧୮୮୧ ମସିହାରେ କୋଲକାତାରୁ ଫେରିଲା ପରେ ମଧୁବାବୁ ଖ୍ରୀଷ୍ଟଧର୍ମୀ ବୋଲି ଆଡ଼େଇ ରହୁଥିଲା ଓଡ଼ିଆ ଜାତି। କିନ୍ତୁ ଏହି ଜାତିର ଆତ୍ମା ଶ୍ରୀଜଗନ୍ନାଥ ଓ ଜାତିର ମର୍ଯ୍ୟାଦା ଗଜପତି ପରମ୍ପରାକୁ ଇଂରେଜ ହସ୍ତକ୍ଷେପରୁ ଉଦ୍ଧାର କରି ଓଡ଼ିଶାର ସ୍ବାଭିମାନକୁ ସୁରକ୍ଷିତ ରଖିଥିଲେ। ଆପଣା ପ୍ରତି ସମସ୍ତ ଅଭିଯୋଗ ଲିଭେଇ ଦେଇ ଉପରୋକ୍ତ ପଂକ୍ତି ସେ ଲେଖି ଦେଇଥିଲେ ନିଜ କଲମ ମୁନରେ। ବିଶ୍ବକର୍ମାର କଳା ନେଇ ମଧୁବାବୁ ଜାତୀୟତାର ସୌଧ ଗଢ଼ିଥିଲେ। ଆମର ଅସ୍ମିତା ଆହୁରି ଗଭୀର, ବ୍ୟାପକ ଓ ଦୃଢ଼। ଶିକ୍ଷାର ପ୍ରସାର ଓ ଅର୍ଥନୈତିକ ସ୍ବଚ୍ଛଳତା ସର୍ବାଗ୍ରେ କାମ୍ୟ ବୋଲି ସେ ବିଶ୍ବାସ କରୁଥିଲେ। ନାରୀଶିକ୍ଷା ଓ ସମାଜରେ ନାରୀଙ୍କୁ ଉପଯୁକ୍ତ ସମ୍ମାନ ନିମନ୍ତେ ସେ ସଚେତନ ଥିଲେ। କୁଟୀରଶିଳ୍ପ ତଥା ଅନ୍ୟାନ୍ୟ ଶିଳ୍ପ ବିକାଶର ଯୋଜନାମାନ ତାଙ୍କ ଦୂରଦୃଷ୍ଟିର ପରିଚାୟକ ଥିଲେ ମଧୁସୂଦନ। ନିଜ ଜୀବନ କାଳରେ ଓଡ଼ିଶାକୁ ତା’ର ଜାତୀୟତାରେ ସ୍ବୟଂସମ୍ପୂର୍ଣ୍ଣ ଓ ଶକ୍ତିଶାଳୀ କରିବା ତାଙ୍କର ସୀମିତ ସ୍ବପ୍ନ ନଥିଲା। ସେ ସ୍ବପ୍ନ ଦେଖୁଥିଲେ ଶହେ ବର୍ଷ ଆଗକୁ। ଓଡ଼ିଆ ଅସ୍ମିତାର ମେରୁଦଣ୍ଡ ସେ ହିଁ ଦୃଢ଼ କରିଥିଲେ। ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ‘ସମ୍ବାଦ-ଆମ ଓଡ଼ିଶା’ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ‘ସ୍ବାଭିମାନ ଦିବସ ଓ ଆମ ଓଡ଼ିଶା ବକ୍ତୃତାମାଳା’ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ପ୍ରଫେସର ଡ. ନିବେଦିତା ମହାନ୍ତି ଯୋଗ ଦେଇ ଏଭଳି କହିଛନ୍ତି।

‘ଅସ୍ମିତା’ର ଚାରିତ୍ରିକ ଗୁଣ ବୁଝିବାର କ୍ଷମତା ହରାଉଛେ: ନିବେଦିତା
ଅସ୍ମିତା ଯଜ୍ଞରେ ଆମକୁ ଶ୍ରମ ଆହୁତି ଦେବାର ଆବଶ୍ୟକତା ଅଛି: ସୌମ୍ୟରଂଜନ

ଭୁବନେଶ୍ବର ୟୁନିଟ୍-୮ସ୍ଥିତ ‘ଆମ ଓଡ଼ିଶା’ କାର୍ଯ୍ୟାଳୟ ପରିସରରେ ‘ଆମ ଅସ୍ମିତା ଓ ଏକବିଂଶ ଶତାବ୍ଦୀ’ ପ୍ରସଙ୍ଗରେ ବକ୍ତୃତା ଦେଇ ଡ. ମହାନ୍ତି ଆହୁରି କହିଥିଲେ, ଏକବିଂଶ ଶତାବ୍ଦୀରେ ଆଜି ଅନୁଭୂୂତ ହେଉଛି ଯେ ଜୀବନଶୈଳୀର ପରିବର୍ତ୍ତନ ସହ ଆମେ ପ୍ରାୟ ଆମର ସଂସ୍କୃତି ଓ ପରମ୍ପରାକୁ ଯଥେଷ୍ଟ ମର୍ଯ୍ୟାଦା ଦେଇ ପାରୁନାହୁଁ। ତେଣୁ ଅସ୍ମିତା ବୋଲି କହିଲେ ଆମେ ଏହାର ଚାରିତ୍ରିକ ଗୁଣ ବୁଝିବାର କ୍ଷମତା ହରାଉଛେ। ଆମର ଭାଷା ମଧ୍ୟ ବହୁଳ ଭାବେ ଆଘାତପ୍ରାପ୍ତ। ଆମେ ପ୍ରାୟ ହିନ୍ଦୀ ବା ଇଂରାଜୀରେ କଥାବାର୍ତ୍ତା କରିବା ଦ୍ବାରା ଆମ ପରପିଢ଼ି ଲାଗି ଭାଷାର ମର୍ଯ୍ୟାଦା ଅକ୍ଷୁଣ୍ଣ ରଖିପାରୁନାହିଁ। ଅନ୍ୟ ଭାଷାର ଶବ୍ଦ ଆମ ଭାଷାକୁ ବିଭ୍ରାନ୍ତ କରୁଛି। ବିଭିନ୍ନ ଭାଷା ପରସ୍ପରକୁ ପ୍ରଭାବିତ କରିବା ସ୍ବାଭାବିକ। ତେବେ ଏହାଦ୍ବାରା କୌଣସି ଭା‌ଷାର ଗୁଣାତ୍ମକ ବୈଶିଷ୍ଟ୍ୟକୁ ନଷ୍ଟ କରିବା କ୍ଷମଣୀୟ ନୁହେଁ। ନିଜ ମାତୃଭାଷା ପ୍ରତି ସଚେତନତା ହିଁ କେବଳ ଏହି ଅବକ୍ଷୟର ପ୍ରତିରୋଧ କରିପାରିବ। ଅସ୍ମିତା ସମ୍ପର୍କରେ ଆଲୋଚନା କଲା ବେଳେ ମନରେ ସ୍ବତଃ ପ୍ରଶ୍ନ ଉଠେ, ଓଡ଼ିଶାର ଅସ୍ମିତା କେବଳ ରାଜନୈତିକ ଓଡ଼ିଶାର ସୀମା ଦ୍ବାରା ସୀମିତ ହେବା ଉଚିତ କି?

‘ଆମ ଓଡ଼ିଶା’ ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ଅଧ୍ୟକ୍ଷତା କରି କହିଲେ, ଶିକ୍ଷା ଗୋଟିଏ ଜାତିର ଏକାନ୍ତ କାମ୍ୟ ହେବା ଉଚିତ। ହେଲେ ଆମର ଏ ଅଣ୍ଡାଯୁକ୍ତ, ଦଣ୍ଡମୁକ୍ତ ସ୍କୁଲ ବ୍ୟବସ୍ଥା ଓଡ଼ିଆ ଅସ୍ମିତା ପାଇଁ ଆଦୌ ଅନୁକୂଳ ନୁହେଁ। ଏଭଳି ସ୍କୁଲ ବ୍ୟବସ୍ଥା ପରେ ବିଶ୍ବବିଦ୍ୟାଳୟ ତିଆରି କରିଦେଲେ ଓଡ଼ିଶାର କେଉଁ ମାନ ଓ ଅସ୍ମିତା ରହିଯିବ ବୋଲି ଆମେ ବିଚାର କରୁଛେ? ଅସ୍ମିତାର ଯଜ୍ଞରେ ଆମକୁ ବହୁତ କିଛି ଶ୍ରମ ଆହୁତି ଦେବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। କାର୍ଯ୍ୟକ୍ରମରେ ‘ସମ୍ବାଦ’ ସମ୍ପାଦକ ତନୟା ପଟ୍ଟନାୟକ ସ୍ବାଗତ ଭାଷଣ ଦେଇ କହିଥିଲେ ଯେ ଏକବିଂଶ ଶତାବ୍ଦୀରେ ଆମ ବୀରପୁରୁଷମାନଙ୍କୁ ଭୁଲି ନଯିବାର ସଂକଳ୍ପ ଆମର ଉଦ୍ଦେଶ୍ୟ ହେବା ଉଚିତ। ମଧୁବାବୁଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ ‘ଭାରତ ରତ୍ନ’ ସମ୍ମାନ ଦାବି ଅଭିଯାନକୁ କେବଳ ବୌଦ୍ଧିକ ଆଲୋଚନାରେ ସୀମିତ ନ ରଖି ପ୍ରତିଟି ଗାଁ, ସହର, ସ୍କୁଲ, କଲେଜ, ସାମାଜିକ ଗଣମାଧ୍ୟମ ପର୍ଯ୍ୟନ୍ତ ଆନ୍ଦୋଳନରେ ପରିଣତ କରିବାକୁ ସେ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ। ଏଥିସହ ଜିତୁ ମୁଣ୍ଡାଙ୍କ ଭଳି ଆଦିବାସୀ ଲୋକ ଯେମିତି ସମସ୍ତ ସରକାରୀ ବ୍ୟବସ୍ଥା ଓ ସମସ୍ତ ମୌଳିକ ସୁବିଧା ସମ୍ପର୍କରେ ସଚେତନ ହୋଇପାରିବେ, ସେ ନେଇ ସମସ୍ତେ ସତର୍କ ହେଲେ ଓଡ଼ିଆ ଅସ୍ମିତା ପ୍ରକୃତ ପକ୍ଷେ ପ୍ରତିଫଳିତ ହେବ ବୋଲି କହିଥିଲେ। ‘ଆମ ଓଡ଼ିଶା’ର ସମ୍ପାଦକ (ପ୍ରକାଶନ) ଅସିତ ମହାନ୍ତି ଅତିଥି ପରିଚୟ ଦେଇଥିଲେ ଓ ଗୋବିନ୍ଦଚନ୍ଦ୍ର ଚାନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।

ସୌଜନ୍ୟ ସମ୍ବାଦ