ରାଜ୍ୟ

ବ୍ରହ୍ମପୁରରେ ଅପରାଧୀଙ୍କ ଖୋଲା ଚ୍ୟାଲେଞ୍ଜ ! ଗୋଳନ୍ଥରାରେ ବୁଲିଲା ଖଣ୍ଡା, ଦୁର୍ବୃତ୍ତଙ୍କ ଆକ୍ରମଣରେ ଯୁବକ ଗୁରୁତର

ବ୍ରହ୍ମପୁର: ଖାକିକୁ ଆଉ ନାହିଁ ଭୟ, ଆଇନକୁ ନାହିଁ ଖାତିର। ବ୍ରହ୍ମପୁର ପୋଲିସ ଜିଲ୍ଲାରେ ପୁଣିଥରେ ଅପରାଧୀମାନେ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ଗୋଳନ୍ଥରା ଥାନା ଅନ୍ତର୍ଗତ କନିଷି ଢ଼ାବା ନିକଟରେ ଘଟିଛି ଘଟଣା। ଯାହା ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି। ମିଳିଥିବା ସୂଚନା ମୁତାବକ, ଗତ ୨୯ ତାରିଖ ସାମାନ୍ୟ ବଚସାକୁ କେନ୍ଦ୍ର କରି କନିଷି ଓ ହଳଦିଆପଦର ଅଞ୍ଚଳରେ ସ୍ଥାନୀୟ ଅପରାଧୀ ଗୋଷ୍ଠୀର କିଛି ଯୁବକ ଉତ୍ପାତ କରିଥିଲେ। କିନ୍ତୁ କଥା ଏତିକିରେ ସରିନଥିଲା। ଉତ୍ତ୍ୟକ୍ତ ଦୁର୍ବୃତ୍ତମାନେ ଖୋଲାଖୋଲି ଧାରୁଆ ଅସ୍ତ୍ର ନେଇ ଆକ୍ରମଣ କରିବାରୁ ଜଣେ ଯୁବକ ଗୁରୁତର ଭାବେ ଆହତ ହୋଇଛନ୍ତି।

ଅପରାଧ ଘଟାଇବା ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ସୁଦ୍ଧା ସେମାନଙ୍କର ସାଂଘାତିକ କାରନାମା କ୍ୟାମେରାରେ କଏଦ ହୋଇଛି। ସିସିଟିଭି (CCTV) ଭିଜୁଆଲରେ ଜଣେ ଯୁବକ ହାତରେ ଖୋଲା ଖଣ୍ଡା ଧରି ଆତଙ୍କ ରଚୁଛି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସାଧାରଣରେ ବ୍ୟାପକ ଆକ୍ରୋଶ ଓ ଭୟର ବାତାବରଣ ଖେଳିଯାଇଛି।

ଘଟଣାକୁ ନେଇ ଗୋଳନ୍ଥରା ଥାନା ପୋଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଭାଇରାଲ ସିସିଟିଭି ଫୁଟେଜ୍ ଆଧାରରେ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବା ସହ ସେମାନଙ୍କୁ ଗିରଫ କରିବା ପାଇଁ ପୋଲିସ୍ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ତେବେ ଜନଗହଳିପୂର୍ଣ୍ଣ ସ୍ଥାନରେ ଏଭଳି ଖୋଲାଖୋଲି ଖଣ୍ଡା ବୁଲାଇବା ପୋଲିସର ପାଟ୍ରୋଲିଂ ଓ ସୁରକ୍ଷା ବ୍ୟବସ୍ଥା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଖୁବ୍ଶୀଘ୍ର ଅପରାଧୀଙ୍କୁ ଗିରଫ କରି କଠୋର ଦଣ୍ଡ ନଦେଲେ ଅଞ୍ଚଳରେ ଅସନ୍ତୋଷ ଆହୁରି ବୃଦ୍ଧି ପାଇବା ନିଶ୍ଚିତ।

 

 

 

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button