ବ୍ରିଟେନ ଛାଡ଼ିବାରେ ଭାରତୀୟ ସବୁଠୁ ଆଗରେ, ବର୍ଷକରେ ଫେରିଲେ ୮୫ ହଜାର

ନୂଆଦିଲ୍ଲୀ, ୨୭/୧୧: ଗତବର୍ଷ ଜୁନ୍ରୁ ଚଳିତବର୍ଷ ଜୁନ୍ ମଧ୍ୟରେ ବ୍ରିଟେନ ଛାଡ଼ିଥିବା ଭିସାଧାରୀଙ୍କ ମଧ୍ୟରୁ ସର୍ବାଧିକ ହେଉଛି ଭାରତୀୟ ଛାତ୍ରଛାତ୍ରୀ ଏବଂ କର୍ମଜୀବୀ । ଆଲୋଚ୍ୟ ସମୟରେ ୮୫,୦୦୦ ଭାରତୀୟ ନାଗରିକ ବ୍ରିଟେନ ଛାଡ଼ିଥିବା ଅଫିସ ଫର୍ ନ୍ୟାସ୍ନାଲ ଷ୍ଟାଟିଷ୍ଟିକ୍ସ(ଓଏନ୍ଏସ୍)ର ତଥ୍ୟରୁ ଜଣାପଡ଼ିଛି । ଏଥିରୁ ଷ୍ଟଡି ଭିସାରେ ୫୫,୦୦୦ ଏବଂ ୱାର୍କ ଭିସାରେ ୨୮,୦୦୦ ଜଣ ଭାରତୀୟ ରହିଛନ୍ତି । ସେହିଭଳି ଅନ୍ୟ ଭିସା ବର୍ଗରେ ୨୦୦୦ ଭାରତୀୟ ନାଗରିକ ରହିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ବ୍ରିଟେନ ଛାଡ଼ିଥିବା ନାଗରିକ ସଂଖ୍ୟାରେ ଚୀନ୍ ଦ୍ୱିତୀୟ ସ୍ଥାନରେ ରହିଛି । ଆଲୋଚ୍ୟ ସମୟରେ ୫୧,୦୦୦ ଚୀନ୍ ନାଗରିକଙ୍କୁ ବ୍ରିଟେନ ଛାଡ଼ିବାକୁ ପଡ଼ିଛି ।
ବୃହତ୍ ସଂଖ୍ୟାରେ ଭାରତୀୟ ବ୍ରିଟେନ ଛାଡ଼ିଥିବା ସତ୍ତେ୍ୱ ସେଠାରେ ପହଞ୍ଚିଥିବା ସର୍ବାଧିକ ଗୋଷ୍ଠୀ ମଧ୍ୟରେ ରହିଛନ୍ତି ଭାରତୀୟ । ଆଲୋଚ୍ୟ ସମୟରେ ୟୁକେ ୭୭,୦୦୦ ଷ୍ଟଡି ଭିସା ଗ୍ରାଣ୍ଟ ଏବଂ ୪୦,୦୦୦ ୱାର୍କ ଭିସା ଗ୍ରାଣ୍ଟ୍ସ ଭାରତୀୟଙ୍କୁ ପ୍ରଦାନ କରିଥିବା ରିପୋର୍ଟରୁ ଜଣାପଡ଼ିଛି ।
ବ୍ରିଟେନର ଗୃହ ବିଭାଗ ତଥ୍ୟ ଅନୁସାରେ, ୨୦୨୬ ସେପ୍ଟେମ୍ବର ସୁଦ୍ଧା ବର୍ଷକ ମଧ୍ୟରେ ପ୍ରାୟ ୩୧,୦୦୦ ବିଦେଶୀ ବେଆଇନ ମାର୍ଗ ଦେଇ ବ୍ରିଟେନରେ ପହଞ୍ଚିଛନ୍ତି । ଏଥିମଧ୍ୟରୁ ୮୬% କ୍ଷୁଦ୍ର ଡଙ୍ଗା ମାଧ୍ୟମରେ ଇଂଲିଶ ଚ୍ୟାନେଲ ଦେଇ ୟୁକେ ପହଞ୍ଚିଛନ୍ତି । ସୂଚନାଯୋଗ୍ୟ, ନେଟ୍ ପ୍ରବାସନକୁ ଖସାଇବା ବ୍ରିଟିଶ ସରକାରଙ୍କ ପ୍ରାଥମିକତା ରହିଆସିଛି ।
ସୌଜନ୍ୟ ପ୍ରମେୟ




