Ashwini Vaishnaw: ଦୀପ ଜାଳିବା ଉପରେ କଟକଣାକୁ ନେଇ ତାତିଲେ ରେଳମନ୍ତ୍ରୀ, TVK ସରକାରଙ୍କୁ କଡ଼ା ଟାର୍ଗେଟ୍

ତାମିଲନାଡ଼ୁ, ୨୭।୧୧: ତାମିଲନାଡ଼ୁର ଟିଭିକେ ସରକାରଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ପାରମ୍ପରିକ ଦୀପ ଜାଳିବା ଉପରେ କଟକଣା ଲଗାଯିବାକୁ ନେଇ ସେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଏପରି ନିଷ୍ପତ୍ତି ଲକ୍ଷ ଲକ୍ଷ ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଛି ବୋଲି ସେ କହିଛନ୍ତି । ଏଥିସହ ଦେଶର ସଭ୍ୟତାଗତ ଐତିହ୍ୟ ଓ ମନ୍ଦିର ପରମ୍ପରାକୁ ଲୋପ କରିବାକୁ ଉଦ୍ୟମ ହେଉଥିବା ନେଇ ମଧ୍ୟ ସେ ଚେତାବନୀ ଦେଇଛନ୍ତି । ବିଜେପି ପକ୍ଷରୁ ଆୟୋଜିତ ସମ୍ବିଧାନ ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଗୋଟିଏ ପାରମ୍ପରିକ ଦୀପ ଜାଳିବା ଉପରେ ରୋକ୍ ଲଗାଇ ତାମିଲନାଡ଼ୁ ସରକାର ଲକ୍ଷ ଲକ୍ଷ ଲୋକଙ୍କ ଭାବନାକୁ ଆଘାତ ଦେଇଛନ୍ତି । ଯଦି ଏପରି କଟକଣାକୁ ଚ୍ୟାଲେଞ୍ଜ କରାନଯାଏ, ତେବେ ଆଗକୁ ଲୋକଙ୍କୁ ମନ୍ଦିର ଯିବାକୁ ମଧ୍ୟ ବାରଣ କରାଯିବ କି ବୋଲି ସେ ପ୍ରଶ୍ନ କରିଛନ୍ତି ।
ସେ କହିଛନ୍ତି, “ଆଜି ଦୀପ ଜାଳିବାକୁ ରୋକୁଛନ୍ତି, କାଲି କହିବେ କେହି ମନ୍ଦିର ଯାଇପାରିବେ ନାହିଁ । ମନ୍ଦିର ବନ୍ଦ କରିଦେବେ କି ? କ’ଣ ଏଇଆ ସେମାନେ ଚାହୁଁଛନ୍ତି ?” ଧାର୍ମିକ ସ୍ୱାଧୀନତାର ସୁରକ୍ଷା, ନିଜ ସଂସ୍କୃତି ଓ ପ୍ରାଚୀନ ଐତିହ୍ୟକୁ ସମ୍ମାନ ଦେବା ହିଁ ସମ୍ବିଧାନ ପ୍ରତି ପ୍ରକୃତ ସମ୍ମାନ ବୋଲି ସେ ମତ ରଖିଛନ୍ତି । ଏଥିସହ ଭଗବାନ ମୁରୁଗନଙ୍କ ପ୍ରତି ଆସ୍ଥା ଓ ଗୌରବକୁ ବଜାୟ ରଖିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି ।
ରେଳ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣକୁ ନେଇ କ’ଣ କହିଲେ ?
କେବଳ ଧାର୍ମିକ ପ୍ରସଙ୍ଗ ନୁହେଁ, ତାମିଲନାଡ଼ୁରେ ରେଳ ପ୍ରକଳ୍ପର ଜମି ଅଧିଗ୍ରହଣକୁ ନେଇ ମଧ୍ୟ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ରେଳମନ୍ତ୍ରୀ । ଟିଭିକେ ସରକାରଙ୍କୁ ସିଧାସଳଖ ଆହ୍ୱାନ ଦେଇ ସେ କହିଛନ୍ତି, ରେଳ ପ୍ରକଳ୍ପ ପାଇଁ ଆବଶ୍ୟକ ଜମି ଅଧିଗ୍ରହଣର ଦାୟିତ୍ୱ ରାଜ୍ୟ ସରକାର ନିଅନ୍ତୁ। କେନ୍ଦ୍ର ସରକାର ଏଥିପାଇଁ ଆବଶ୍ୟକ ସମସ୍ତ ଅର୍ଥ ଯୋଗାଇଦେବେ । ଅଶ୍ୱିନୀ ବୈଷ୍ଣବଙ୍କ ଦାବି ଅନୁଯାୟୀ, ତାମିଲନାଡ଼ୁରେ ବିଭିନ୍ନ ରେଳ ପ୍ରକଳ୍ପ ପାଇଁ ପ୍ରାୟ ୪,୮୦୦ ହେକ୍ଟର ଜମି ଆବଶ୍ୟକ । କିନ୍ତୁ ରାଜ୍ୟ ସରକାର ଏପର୍ଯ୍ୟନ୍ତ ମାତ୍ର ୧,୨୫୩ ହେକ୍ଟର ଜମି ଅଧିଗ୍ରହଣ କରିଛନ୍ତି । ଅର୍ଥାତ୍ ମୋଟ ଆବଶ୍ୟକତାର ମାତ୍ର ୨୪ ପ୍ରତିଶତ ଜମି ହିଁ ଅଧିଗ୍ରହଣ ହୋଇଛି । ତାମିଲନାଡ଼ୁବାସୀଙ୍କୁ ନ୍ୟାୟ ଦେବା ସହ ସମସ୍ତ ରେଳ ପ୍ରକଳ୍ପକୁ ବିନା ବାଧାରେ ସମ୍ପୂର୍ଣ୍ଣ କରିବାକୁ କେନ୍ଦ୍ର ପ୍ରସ୍ତୁତ ବୋଲି ସେ କହିଛନ୍ତି ।
କାର୍ତ୍ତିଗାଇ ଦୀପମ୍ ଉତ୍ସବ କ’ଣ ?
କାର୍ତ୍ତିଗାଇ ଦୀପମ୍ ହେଉଛି ତାମିଲନାଡୁର ଏକ ପ୍ରମୁଖ ହିନ୍ଦୁ ଆଲୋକର ପର୍ବ । ତାମିଲ୍ ମାସ କାର୍ତ୍ତିଗାଇରେ ଏହା ପାଳନ କରାଯାଏ । ଏହି ଅବସରରେ ଘର ଓ ମନ୍ଦିରରେ ଦୀପ ଜାଳିବାର ପରମ୍ପରା ରହିଛି । ଏହି ପର୍ବ ଭଗବାନ ଶିବ ଓ ଭଗବାନ ମୁରୁଗନଙ୍କ ସହ ଜଡ଼ିତ ଧାର୍ମିକ ମାନ୍ୟତା ରହିଛି । ବିଶେଷକରି ତିରୁବନ୍ନାମଲାଇର ପାହାଡ଼ ଉପରେ ବିଶାଳ ଦୀପ ଜାଳିବାର ପରମ୍ପରା ଏହି ଉତ୍ସବର ମୁଖ୍ୟ ଆକର୍ଷଣ । ଏହି ପରମ୍ପରାକୁ ନେଇ ଉଠିଥିବା ବିବାଦ ଏବେ ତାମିଲନାଡ଼ୁ ରାଜନୀତିକୁ ସରଗରମ କରିଛି ।
ସୌଜନ୍ୟ ପ୍ରମେୟ




