Bhargavastra: ଶତ୍ରୁର ଡ୍ରୋନ୍ ଆକ୍ରମଣ ଫେଲ୍ କରିବ ‘ଭାର୍ଗବାସ୍ତ୍ର’ ! ପୋଖରଣରେ ସଫଳ ପରୀକ୍ଷଣ, ବଢ଼ିଲା ଭାରତର ଶକ୍ତି

ନୂଆଦିଲ୍ଲୀ, ୨୭।୧୧: ଶତ୍ରୁପକ୍ଷର ଡ୍ରୋନ୍ ଆକ୍ରମଣକୁ ପଣ୍ଡ କରିବ ଭାରତର ସ୍ୱଦେଶୀ ଅସ୍ତ୍ର ‘ଭାର୍ଗବାସ୍ତ୍ର’ । ଡ୍ରୋନ୍ ଝୁଣ୍ଡ ବା ସ୍ୱାର୍ମ ଡ୍ରୋନ୍ ଆକ୍ରମଣର ମୁକାବିଲା ପାଇଁ ପ୍ରସ୍ତୁତ ଏହି ଅତ୍ୟାଧୁନିକ ପ୍ରତିରକ୍ଷା ବ୍ୟବସ୍ଥାର ବିକାଶମୂଳକ ପରୀକ୍ଷଣ ସଫଳ ହୋଇଛି । ରାଜସ୍ଥାନର ପୋଖରଣ ଫିଲ୍ଡ ଫାୟାରିଂ ରେଞ୍ଜରେ ନଭେମ୍ବର ୨୦ରୁ ୨୪ ତାରିଖ ମଧ୍ୟରେ ଏହାର ସଫଳ ପରୀକ୍ଷଣ କରାଯାଇଛି । ସୋଲାର ଡିଫେନ୍ସ ଆଣ୍ଡ ଏରୋସ୍ପେସ୍ ଲିମିଟେଡ୍ (SDAL) ପକ୍ଷରୁ ଏହି ସ୍ୱଦେଶୀ ଡ୍ରୋନ୍ ପ୍ରତିରୋଧୀ ବ୍ୟବସ୍ଥା ବିକଶିତ କରାଯାଇଛି । ଏହା ଭାରତର ପ୍ରତିରକ୍ଷା କ୍ଷମତାକୁ ଆହୁରି ମଜଭୁତ କରିବ ବୋଲି ଆଶା କରାଯାଉଛି ।
ଭାରତର ପ୍ରଥମ ସ୍ୱଦେଶୀ ଦୁଇ-ସ୍ତରୀୟ ଡ୍ରୋନ୍ ପ୍ରତିରୋଧୀ ବ୍ୟବସ୍ଥା:
‘ଭାର୍ଗବାସ୍ତ୍ର’ ହେଉଛି ଭାରତର ପ୍ରଥମ ସ୍ୱଦେଶୀ ଭାବେ ଡିଜାଇନ୍ ଓ ବିକଶିତ ଦୁଇ-ସ୍ତରୀୟ ଯାନବାହନ ଆଧାରିତ କାଉଣ୍ଟର ସ୍ୱାର୍ମ ଡ୍ରୋନ୍ ସିଷ୍ଟମ୍ । ଶତ୍ରୁପକ୍ଷର ଏକାଧିକ ଡ୍ରୋନ୍ ଏକାସାଙ୍ଗରେ ଆକ୍ରମଣ କଲେ ତାହାକୁ ନିଷ୍କ୍ରିୟ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ । ଏହି ବ୍ୟବସ୍ଥାରେ ଏୟାର ଡିଫେନ୍ସ ରକେଟ୍ ସହିତ ଗାଇଡେଡ୍ ମାଇକ୍ରୋ ମିସାଇଲ୍କୁ ସାମିଲ କରାଯାଇଛି । ଫଳରେ ଗୋଟିଏ ପ୍ଲାଟଫର୍ମରୁ ଶତ୍ରୁ ଡ୍ରୋନ୍ ଆକ୍ରମଣର ମୁକାବିଲା କରିବା ସମ୍ଭବ ହେବ । ଭାରତୀୟ ସେନାର ଆବଶ୍ୟକତାକୁ ନଜରରେ ରଖି ଏହି ପ୍ରତିରକ୍ଷା ବ୍ୟବସ୍ଥା ବିକଶିତ କରାଯାଇଛି । ୯ ଜୁଲାଇ ୨୦୨୪ରେ ପ୍ରତିରକ୍ଷା ମନ୍ତ୍ରଣାଳୟର ପ୍ରତିରକ୍ଷା ଉତ୍ପାଦନ ବିଭାଗ ପକ୍ଷରୁ ‘ମେକ୍-II (ବାଏ ଇଣ୍ଡିଆନ୍-IDDM)’ ଶ୍ରେଣୀରେ ଏହି ପ୍ରକଳ୍ପକୁ ମଞ୍ଜୁରି ମିଳିଥିଲା । ଏହାର କାର୍ଯ୍ୟ ସମାପ୍ତି ପାଇଁ ୩୧ ମାର୍ଚ୍ଚ ୨୦୨୭ ତାରିଖ ଧାର୍ଯ୍ୟ କରାଯାଇଛି ।
ପ୍ରାରମ୍ଭିକ ଭାବେ ରକେଟ୍ ଆଧାରିତ ‘ଭର୍ସନ-୧’ ପ୍ରସ୍ତୁତ କରିବାକୁ ଯୋଜନା ରହିଥିଲା । ମାତ୍ର SDAL ନିଜ ଉଦ୍ୟମରେ ଗାଇଡେଡ୍ ମାଇକ୍ରୋ ମିସାଇଲ୍ ସହିତ ଅଧିକ ଉନ୍ନତ ‘ଭର୍ସନ-୨’ ମଧ୍ୟ ବିକଶିତ କରିଛି । ଏହି ମାଇକ୍ରୋ ମିସାଇଲ୍ରେ ଅଟୋନୋମସ୍ ଗାଇଡେନ୍ସ ସିଷ୍ଟମ୍ ଏବଂ ଇନ୍ଫ୍ରାରେଡ୍ ସିକର୍ ଲଗାଯାଇଛି । ଯାହା ଲକ୍ଷ୍ୟକୁ ଚିହ୍ନଟ କରି ସଠିକ୍ ଭାବେ ଆକ୍ରମଣ କରିବାରେ ସହାୟକ ହେବ ।
ସୌଜନ୍ୟ ପ୍ରମେୟ




