ଜାତୀୟ

Tirumala Temple: ତିରୁପତିଙ୍କୁ ୨୦୭ କୋଟିର ସୁନା ଭେଟି ! ୧୨୧ କେଜି ସୁନା ଦାନ କଲେ ଦମ୍ପତି

ତିରୁପତି, ୨୭।୧୧: ଭଗବାନଙ୍କ ପ୍ରତି ଅତୁଟ ଭକ୍ତି ଓ ଆସ୍ଥାର ଅନନ୍ୟ ଉଦାହରଣ । ତିରୁପତି ମନ୍ଦିରକୁ ଜଣେ ଭକ୍ତ ଦମ୍ପତି ଦାନ କରିଛନ୍ତି ୧୨୧ କିଲୋଗ୍ରାମ ସୁନାର ଅଳଙ୍କାର ଓ ହୀରା । ଏହି ଦାନର ଆନୁମାନିକ ମୂଲ୍ୟ ୨୦୭.୬ କୋଟି ଟଙ୍କା । ଭଗବାନ ଭେଙ୍କଟେଶ୍ୱରଙ୍କୁ ଜଣେ ଭକ୍ତଙ୍କ ପକ୍ଷରୁ ଏହା ସର୍ବକାଳୀନ ସବୁଠୁ ବଡ଼ ଦାନ ବୋଲି କୁହାଯାଉଛି । ଚେନ୍ନାଇର ବ୍ୟବସାୟୀ ବର୍ଦ୍ଧମାନ ଜୈନ ଓ ତାଙ୍କ ପତ୍ନୀ ରାଧିକା ଜୈନ ଏହି ମହାଦାନ କରିଛନ୍ତି । ଗୁରୁବାର ଆନ୍ଧ୍ରପ୍ରଦେଶର ତିରୁମାଲାସ୍ଥିତ ତିରୁପତି ମନ୍ଦିରରେ ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁଙ୍କ ଉପସ୍ଥିତିରେ ଦାନ ପ୍ରକ୍ରିୟା ସମ୍ପନ୍ନ ହୋଇଥିଲା ।

ବ୍ୟବସାୟରେ ସଫଳତା ମିଳିବା ପରେ ଭଗବାନଙ୍କ ପ୍ରତି କୃତଜ୍ଞତା ଜଣାଇବାକୁ ଏହି ଦମ୍ପତି ଦାନ କରିଛନ୍ତି । ଏଥିପାଇଁ ସେମାନେ ପୂର୍ବରୁ ମାନସିକ ମଧ୍ୟ କରିଥିଲେ । ନିଜ କମ୍ପାନୀର ଅଂଶଧନ ବିକ୍ରି କରି ବଡ଼ ଅର୍ଥରାଶି ପାଇବା ପରେ ମାନସିକ ପୂରଣ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହା ପୂର୍ବରୁ ବର୍ଦ୍ଧମାନ ଜୈନ ଏକ ଭକ୍ତି ଚ୍ୟାନେଲକୁ ୫ କୋଟି ଟଙ୍କା ଏବଂ ଗୋ-ସୁରକ୍ଷା ପାଇଁ ୧ କୋଟି ଟଙ୍କା ଦାନ କରି ଚର୍ଚ୍ଚାକୁ ଆସିଥିଲେ ।

୪୬ଟି ଅଳଙ୍କାରରେ ସଜ୍ଜିତ ହେବେ ଭଗବାନ:

ଦାନ କରାଯାଇଥିବା ଅଳଙ୍କାର ମଧ୍ୟରେ ଭଗବାନ ଭେଙ୍କଟେଶ୍ୱରଙ୍କ ପାଇଁ ୧୦୬ କିଲୋଗ୍ରାମର ସୁନା ଅଳଙ୍କାର ରହିଛି । ସେହିପରି ଦେବୀ ଶ୍ରୀ ପଦ୍ମାବତୀ ଅମ୍ମାଭାରୁଙ୍କ ପାଇଁ ୧୫ କିଲୋଗ୍ରାମର ଅଳଙ୍କାର ଓ ପୋଷାକ ଦାନ କରାଯାଇଛି । ଏଥିରେ ସୁନାର ବାଘ ନଖ, ବିଭିନ୍ନ ପ୍ରକାର ହାର, ମୁକୁଟ, ରତ୍ନ ଓ ଅନ୍ୟାନ୍ୟ ମୂଲ୍ୟବାନ ଅଳଙ୍କାର ସାମିଲ ରହିଛି ।

ତିରୁପତିରେ କେଶ ଦାନର ରହିଛି ପରମ୍ପରା

ତିରୁପତି ମନ୍ଦିରରେ କେଶ ଦାନର ମଧ୍ୟ ଏକ ସ୍ୱତନ୍ତ୍ର ପରମ୍ପରା ରହିଛି । ଧାର୍ମିକ ବିଶ୍ୱାସ ଅନୁଯାୟୀ, ଭକ୍ତମାନେ ନିଜର ଅହଂକାର, ପାପ ଓ ଖରାପ ଗୁଣକୁ ତ୍ୟାଗ କରିବାର ପ୍ରତୀକ ଭାବେ ଏଠାରେ କେଶ ଦାନ କରିଥାନ୍ତି । ଏହାଦ୍ୱାରା ମା’ ଲକ୍ଷ୍ମୀଙ୍କ କୃପା ମିଳିବା ସହ ଜୀବନରୁ ଦୁଃଖ ଦୂର ହୁଏ ବୋଲି ଭକ୍ତଙ୍କ ବିଶ୍ୱାସ ରହିଛି ।

 

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button